ଭୁବନେଶ୍ୱର: ରାଜ୍ୟ ସରକାର ଅକ୍ଟୋବର ୨୭, ୨୦୨୬ରେ ଆଇଏଏସ୍ (IAS) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏହି କ୍ରମରେ ୮ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ବିଭାଗର ଅତିରିକ୍ତ ସଚିବ ଥିବା ପୋମା ଟୁଡୁଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହିତ ତାଙ୍କୁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ (MD) ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।
ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆର୍ଡିସି (RDC) ଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସମ୍ବଲପୁର ଉତ୍ତରାଞ୍ଚଳ ଆର୍ଡିସି ଭାବେ ବଦଳି କରାଯାଇଛି। ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଜାରି ରଖିବେ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA)ର ଉପାଧ୍ୟକ୍ଷ ଥିବା ଶୁଭମ ସକ୍ସେନାଙ୍କୁ ମଧ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ବିଜୟ ଅମୃତ କୁଲାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ୍ ଆର୍ଡିସି (RDC) ଦାୟିତ୍ୱ ପ୍ରଦାନ କରାଯାଇଛି।
କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ବା NHM ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଏହି ନିର୍ଦ୍ଦେଶନାମା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି କରାଯାଇଛି। । ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗୃହ ବିଭାଗର ଅତିରିକ୍ତ ସଚିବ ପ୍ରଣତି ଛୋଟରାୟଙ୍କୁ OMFED ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।
ସେହିପରି ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ସୁବ୍ର କୁମାର ପଣ୍ଡାଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଅଦଳବଦଳ ଫଳରେ ରାଜ୍ୟର କୃଷି, ସ୍ୱାସ୍ଥ୍ୟ, ଦୁଗ୍ଧ ଉତ୍ପାଦନ, ନଗର ଉନ୍ନୟନ ଓ ରାଜସ୍ୱ ପ୍ରଶାସନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନୂଆ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବେ ।

