ନୂଆଦିଲ୍ଲୀ: ୧୯ ବର୍ଷରୁ କମ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଝାରଖଣ୍ଡ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍ରେ ସ୍କୋରିଂକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି । ପ୍ରଥମେ ବ୍ୟାଟିଂ କରି ଉତ୍ତରାଖଣ୍ଡ ଦଳ ୬ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା । ଏହାର ଜବାବରେ ଝାରଖଣ୍ଡ ଦଳ ୨୦ ଓଭରରେ ୧୩୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଫଳରେ ଅଫିସିଆଲ୍ ସ୍କୋର ଅନୁଯାୟୀ ଉତ୍ତରାଖଣ୍ଡ ମ୍ୟାଚ୍କୁ ୧ ରନ୍ରେ ଜିତିଥିଲା । ଝାରଖଣ୍ଡ କ୍ରିକେଟ୍ ଆସୋସିଏସନ୍ ଅନୁଯାୟୀ, ୨୦ତମ ଓଭରର ଚତୁର୍ଥ ବଲ୍ରେ ବ୍ୟାଟ୍ସମାନ୍ ଦ୍ୱିତୀୟ ରନ୍ ନେବାକୁ ଯାଇ ରନ୍ଆଉଟ୍ ହୋଇଥିଲେ । କିନ୍ତୁ ସେମାନେ ପ୍ରଥମ ରନ୍ଟି ସମ୍ପୂର୍ଣ୍ଣ କରିସାରିଥିଲେ । ମେଦାନର ଅନ୍ୟ ପାଖରେ ଥିବା ସ୍କୋରବୋର୍ଡରେ ଏହି ରନ୍ ଯୋଡ଼ି ହୋଇଯାଇଥିଲେ ମଧ୍ୟ ମୁଖ୍ୟ ଅଫିସିଆଲ୍ ସ୍କୋରର୍ ଏହାକୁ ରେକର୍ଡ କରିବାକୁ ଭୁଲିଯାଇଥିଲେ ।
ସ୍କୋରବୋର୍ଡରେ ସ୍କୋର ସଠିକ୍ ଦେଖାଯାଉଥିବାରୁ ଝାରଖଣ୍ଡ ଖେଳାଳିମାନେ ଭାବିଥିଲେ ଯେ ମ୍ୟାଚ୍ ଟାଏ ହୋଇଛି । କିନ୍ତୁ ଶେଷ ବଲ୍ରେ ରନ୍ ହେବା ସତ୍ତ୍ୱେ ସେମାନଙ୍କୁ ୧ ରନ୍ରେ ପରାସ୍ତ ବୋଲି ଘୋଷଣା କରାଗଲା । ନିୟମ ଅନୁଯାୟୀ ଅମ୍ପାୟାରମାନେ ମୁଖ୍ୟ ସ୍କୋରର୍ଙ୍କ ରେକର୍ଡ ଉପରେ ନିର୍ଭର କରୁଥିବାରୁ ମ୍ୟାଚ୍ ସମୟରେ ଏହାର ସମଧାନ ହୋଇପାରି ନଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଭୁଲ୍ କାରଣରୁ ଦଳକୁ କ୍ଷତି ସହିବାକୁ ପଡ଼ିଥିବାର ଦର୍ଶାଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ଲିଖିତ ଅଭିଯୋଗ ପଠାଯାଇଛି ।

