US Midterm Election: ଟ୍ରମ୍ପଙ୍କ ଗଡ଼ ଦୋହଲାଇଲେ ଡେମୋକ୍ରାଟ୍, ଭାରତକୁ ମିଳିବ ଫାଇଦା? ପଡୋଶୀ ଦେଶର ବଢ଼ିବ ଅଡୁଆ!
ନୂଆଦିଲ୍ଲୀ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା। ଦୁଇଟି ଯାକ ସଦନ ଉପରେ ଡେମୋକ୍ରାଟିକ୍ ପାର୍ଟି ନିୟନ୍ତ୍ରଣ ହାସଲ କରିବା ପରେ ଟ୍ରମ୍ପଙ୍କ ରାଜନୈତିକ ଶକ୍ତି ଦୁର୍ବଳ ହୋଇଛି। ଏବେ ଆମେରିକା କଂଗ୍ରେସରେ ଟ୍ରମ୍ପଙ୍କୁ ପୂର୍ବଭଳି ମନଇଚ୍ଛା ନିଷ୍ପତ୍ତି ନେବା ସହଜ ହେବନି। ତାଙ୍କ ବିଦେଶ ନୀତିଠାରୁ ଆରମ୍ଭ କରି ପରିବାରର ବ୍ୟବସାୟିକ କାରବାର ପର୍ଯ୍ୟନ୍ତ, ସବୁକିଛି ଉପରେ ଡେମୋକ୍ରାଟ୍ମାନେ ପ୍ରଶ୍ନ ଉଠାଇପାରନ୍ତି। ଯାହାର ପ୍ରଭାବ ଭାରତ ଓ ପାକିସ୍ତାନ ଉପରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଛି।
ନିର୍ବାଚନରେ ଝଟକା ପରେ ଟ୍ରମ୍ପ ନିଜ ରାଜନୈତିକ ଶକ୍ତି ପ୍ରମାଣ କରିବାକୁ ଏକ ବଡ଼ ବିଦେଶ ନୀତିଗତ ସଫଳତା ହାସଲ କରିବାକୁ ଚାହିଁପାରନ୍ତି। ଏଥିପାଇଁ ଭାରତ ସହ ଦୀର୍ଘଦିନ ଧରି ଅଟକି ରହିଥିବା ବାଣିଜ୍ୟ ଚୁକ୍ତିକୁ ଆଗକୁ ବଢ଼ାଇବା ତାଙ୍କ ପ୍ରାଥମିକତା ହୋଇପାରେ। ଭାରତ ମଧ୍ୟ ଆମେରିକା ସହ ଏଭଳି ଏକ ଚୁକ୍ତି ଚାହୁଁଛି, ଯେଉଁଥିରେ ଚୀନ୍ ଓ ଭିଏତନାମ ଭଳି ପ୍ରତିଦ୍ୱନ୍ଦ୍ୱୀ ଦେଶ ତୁଳନାରେ ଭାରତକୁ ଭଲ ଟାରିଫ୍ ସର୍ତ୍ତ ମିଳିବ। ଆମେରିକାର ଟାରିଫ୍ ନୀତି ଓ ଭାରତର ଉତ୍ପାଦନ କ୍ଷମତାକୁ ନେଇ ଚାଲିଥିବା ଯାଞ୍ଚ ଏହି ଚୁକ୍ତିରେ ବାଧା ସୃଷ୍ଟି କରିଛି। ଏବେ ଟ୍ରମ୍ପଙ୍କ ଉପରେ ଘରୋଇ ରାଜନୈତିକ ଚାପ ବଢ଼ିବାରୁ ଭାରତୀୟ ଆଲୋଚନାକାରୀଙ୍କୁ ଅଧିକ ସମୟ ଓ ସୁଯୋଗ ମିଳିପାରେ। ତେବେ ଡେମୋକ୍ରାଟ୍ଙ୍କ ନିୟନ୍ତ୍ରଣରେ କଂଗ୍ରେସ ରହିଲେ ମଧ୍ୟ ଟ୍ରମ୍ପଙ୍କ ଟାରିଫ୍ ଲଗାଇବାର କ୍ଷମତା ଆପେଆପେ ଶେଷ ହୋଇଯିବ ନାହିଁ। କିନ୍ତୁ ଏହାର ଆମେରିକୀୟ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ପ୍ରଭାବକୁ ନେଇ କଂଗ୍ରେସରେ ଅଧିକ ଚର୍ଚ୍ଚା ଓ ଯାଞ୍ଚ ହୋଇପାରେ।
ଏଥିସହିତ ଭାରତୀୟ ଆଇଟି ପେଶାଦାରଙ୍କ ପାଇଁ ମଧ୍ୟ ଏହି ନିର୍ବାଚନ ଫଳାଫଳ ଗୁରୁତ୍ୱପୂର୍ଣ୍ଣ। ଟ୍ରମ୍ପ ପ୍ରଶାସନ H-1B ଭିସା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ନୂଆ ଭିସା ପାଇଁ ୧ ଲକ୍ଷ ଡଲାର ଶୁଳ୍କ ଲାଗୁ କରିଛି। ଏହାସହ ଯେଉଁ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି, ସେମାନଙ୍କ H-1B ଆବେଦନକୁ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
H-1B ଭିସା ପାଉଥିବା ପ୍ରତି ୪ ଜଣଙ୍କ ମଧ୍ୟରୁ ପ୍ରାୟ ୩ ଜଣ ଭାରତୀୟ। ତେଣୁ ଏହି ନିୟମର ପ୍ରଭାବ ଭାରତୀୟ ଟେକ୍ନୋଲୋଜି କର୍ମଚାରୀଙ୍କ ଉପରେ ପଡ଼ିଛି। ଡେମୋକ୍ରାଟ୍ମାନେ ପୂର୍ବରୁ ଏହି କଟକଣାକୁ ସମାଲୋଚନା କରିଆସିଛନ୍ତି। ଏବେ କଂଗ୍ରେସରେ ସେମାନଙ୍କ ପ୍ରଭାବ ବଢ଼ିବାରୁ ଏହି ନିୟମର ଆର୍ଥିକ ପ୍ରଭାବ ଉପରେ ଅଧିକ ଯାଞ୍ଚ ହୋଇପାରେ। ଦୀର୍ଘମିଆଦୀ ଭିତ୍ତିରେ ଏହା ଭାରତୀୟ ପେଶାଦାରଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ। ତେବେ ତୁରନ୍ତ କୌଣସି ରିହାତି ମିଳିବା ନିଶ୍ଚିତ ନୁହେଁ। ଅନ୍ୟପଟେ ଡେମୋକ୍ରାଟ୍ମାନେ ଭାରତର ମାନବାଧିକାର ସ୍ଥିତି, ଧାର୍ମିକ ସ୍ୱାଧୀନତା ଓ ସଂଖ୍ୟାଲଘୁଙ୍କ ସ୍ଥିତି ଉପରେ ଅଧିକ ପ୍ରଶ୍ନ ଉଠାଇପାରନ୍ତି। ଏହା ଭାରତ-ଆମେରିକା ସମ୍ପର୍କରେ ଆଉ ଏକ ଆହ୍ୱାନ ହୋଇପାରେ।
ତେବେ ଭାରତ ପାଇଁ ଯେଉଁଠି କିଛି ସୁଯୋଗ ଦେଖାଯାଉଛି, ସେଠି ପାକିସ୍ତାନ ପାଇଁ ଅଡୁଆ ବଢ଼ିପାରେ। ଗତ ଦେଢ଼ ବର୍ଷ ଧରି ପାକିସ୍ତାନ ଟ୍ରମ୍ପଙ୍କ ନିକଟତର ହେବାକୁ ଉଦ୍ୟମ କରିଆସିଛି। ଏହି ଉଦ୍ୟମରେ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କ ଭୂମିକା ମଧ୍ୟ ରହିଛି। ଟ୍ରମ୍ପ ତାଙ୍କୁ ‘ମୋର ପ୍ରିୟ ଫିଲ୍ଡ ମାର୍ଶାଲ୍’ ବୋଲି ସମ୍ବୋଧନ କରିଥିଲେ। ପାକିସ୍ତାନ ଓ ଟ୍ରମ୍ପଙ୍କ ପରିବାର ସହ ଜଡ଼ିତ ବ୍ୟବସାୟିକ ସମ୍ପର୍କ ମଧ୍ୟ ଏବେ ଚର୍ଚ୍ଚାରେ। ଟ୍ରମ୍ପ ପରିବାରର କ୍ରିପ୍ଟୋକରେନ୍ସି ବ୍ୟବସାୟ ଓ୍ବାଲ୍ଡ ଲିବର୍ଟି ଫାଇନାନ୍ସିଆଲ ସହ ଜଡ଼ିତ ଏକ ସଂସ୍ଥା ସହ ପାକିସ୍ତାନ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଥିଲା। ଏହି କମ୍ପାନୀର ସହ-ପ୍ରତିଷ୍ଠାତାଙ୍କ ମଧ୍ୟରେ ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ମଧ୍ୟ ଅଛନ୍ତି।
ସେହିପରି ଟ୍ରମ୍ପଙ୍କ ପୁଅମାନଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଆମେରିକୀୟ କମ୍ପାନୀ Powerus ସହ ପାକିସ୍ତାନ ଅନେକ ମାନବବିହୀନ ବିମାନ ବ୍ୟବସ୍ଥା କିଣିବା ପାଇଁ ଚୁକ୍ତି କରିଛି। ଏହାବ୍ୟତୀତ ଆମେରିକୀୟ କମ୍ପାନୀ US Strategic Metals ସହ ଜରୁରୀ ଖଣିଜ ସମ୍ପଦର ବିକାଶ ପାଇଁ ୫୦୦ ନିୟୁତ ଡଲାରର MoU ସ୍ୱାକ୍ଷର କରିଛି। ନ୍ୟୁୟର୍କରେ ଥିବା ପାକିସ୍ତାନର ଜାତୀୟ ବିମାନ ସଂସ୍ଥାର ମାଲିକାନାରେ ଥିବା ରୁଜଭେଲ୍ଟ ହୋଟେଲ୍ର ନବୀକରଣ ଚୁକ୍ତିରେ ମଧ୍ୟ ୱିଟକଫ୍ଙ୍କ ଭୂମିକା ଥିବା ରିପୋର୍ଟରେ କୁହାଯାଇଛି। ଏବେ ଡେମୋକ୍ରାଟ୍ମାନେ କଂଗ୍ରେସର ଉଭୟ ସଦନ ନିୟନ୍ତ୍ରଣ କରିବା ପରେ ଟ୍ରମ୍ପଙ୍କ ପରିବାର ଓ ତାଙ୍କ ନିକଟତର ଲୋକଙ୍କ ବ୍ୟବସାୟିକ କାରବାର ଉପରେ ତଦନ୍ତ ଓ ଶୁଣାଣି ବଢ଼ିପାରେ। ଏଥିରେ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଓ ଜ୍ୱାଇଁ ଜାରେଡ୍ କୁଶନରଙ୍କ ବ୍ୟବସାୟିକ ସମ୍ପର୍କ ମଧ୍ୟ ଯାଞ୍ଚ ପରିସରକୁ ଆସିପାରେ। ଏଭଳି ତଦନ୍ତରେ ପାକିସ୍ତାନ ସେନା ସହ ଜଡ଼ିତ ଚୁକ୍ତିଗୁଡ଼ିକ ଉପରେ ମଧ୍ୟ ପ୍ରଶ୍ନ ଉଠିବାର ସମ୍ଭାବନା ରହିଛି।
ମୋଟାମୋଟି ଭାବେ ଦେଖିଲେ ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ଫଳାଫଳ ଭାରତ ଓ ପାକିସ୍ତାନ ପାଇଁ ଦୁଇ ପ୍ରକାର ପରିସ୍ଥିତି ସୃଷ୍ଟି କରିପାରେ। ଭାରତ ପାଇଁ ଟ୍ରେଡ୍ ଡିଲ୍ରେ ଭଲ ସର୍ତ୍ତ ହାସଲ କରିବା ଓ H-1B ଭିସା କଟକଣା ଉପରେ ଚାପ ସୃଷ୍ଟି ହେବାର ସୁଯୋଗ ରହିଛି। ଅନ୍ୟପଟେ ପାକିସ୍ତାନ ପାଇଁ ଟ୍ରମ୍ପଙ୍କ ପରିବାର ଓ ତାଙ୍କ ଘନିଷ୍ଠ ମହଲ ସହ ହୋଇଥିବା ବ୍ୟବସାୟିକ ଚୁକ୍ତି ଯାଞ୍ଚର ସମ୍ଭାବନା ଚିନ୍ତା ବଢ଼ାଇପାରେ।
ତେବେ ଟ୍ରମ୍ପ ଏବେ ମଧ୍ୟ ୨୦୨୯ ଜାନୁଆରୀ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ। ତେଣୁ ତାଙ୍କ କାର୍ଯ୍ୟକାରୀ କ୍ଷମତା ଶେଷ ହୋଇନାହିଁ। କିନ୍ତୁ ଆଗାମୀ ଦୁଇ ବର୍ଷରେ ତାଙ୍କୁ ଡେମୋକ୍ରାଟ୍ଙ୍କ ନିୟନ୍ତ୍ରଣରେ ଥିବା କଂଗ୍ରେସର କଡ଼ା ପ୍ରଶ୍ନ ଓ ଯାଞ୍ଚର ସାମ୍ନା କରିବାକୁ ପଡ଼ିପାରେ। ଏହା ଭାରତ ଓ ପାକିସ୍ତାନ ସହ ଆମେରିକାର ସମ୍ପର୍କର ଆଗାମୀ ଦିଗକୁ ମଧ୍ୟ ପ୍ରଭାବିତ କରିପାରେ।
