Vance Turns on Trump: ବିପଦ ସମୟରେ ଟ୍ରମ୍ପଙ୍କୁ ଧୋକା ଦେବେ କି ପାଖ ଲୋକ? ଜେଡି ଭାନ୍ସଙ୍କ ମୋର୍ଚ୍ଚା! ନୂଆ ରାଜନୈତିକ ମେଣ୍ଟ ଗଢ଼ିବାକୁ ଚାଲିଛି ପ୍ରସ୍ତୁତି?
ନୂଆଦିଲ୍ଲୀ: ଆମେରିକା ରାଜନୀତିରେ ବଡ଼ ହଲଚଲ୍! ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ପରେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ଖୋଲାଖୋଲି ସମାଲୋଚନା କରୁଛନ୍ତି ଉପରାଷ୍ଟ୍ରପତି ଜେଡି ଭାନ୍ସ। ଏପରିକି ଟ୍ରମ୍ପଙ୍କଠାରୁ ଅସନ୍ତୁଷ୍ଟ ଭୋଟରଙ୍କୁ ନିଜ ଆଡ଼କୁ ଆଣିବାକୁ ନୂଆ ରାଜନୈତିକ ମେଣ୍ଟ ଗଢ଼ିବା ପାଇଁ ସେ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।
ଭାନ୍ସଙ୍କ କହିବା ଅନୁସାରେ, ରିପବ୍ଲିକାନ୍ ପାର୍ଟିର ପରାଜୟ ପଛରେ ଯୁଦ୍ଧ ଏକ ବଡ଼ କାରଣ। ମଧ୍ୟପ୍ରାଚ୍ୟରେ ଆମେରିକୀୟ ସେନାକୁ ଯୁଦ୍ଧରେ ସାମିଲ କରିବା ଏବଂ ବିଦେଶୀ ଅଭିଯାନରେ କୋଟି କୋଟି ଡଲାର ଖର୍ଚ୍ଚ କରିବାକୁ ନେଇ ସାଧାରଣ ଲୋକ ଅସନ୍ତୁଷ୍ଟ ଅଛନ୍ତି। ୨୦୨୪ରେ ଲୋକେ ‘ଆମେରିକା ଫାଷ୍ଟ’ ନୀତି ଆଶାରେ ଟ୍ରମ୍ପଙ୍କୁ ଭୋଟ୍ ଦେଇଥିଲେ। କିନ୍ତୁ ମହଙ୍ଗା ଦର, ନିଯୁକ୍ତି ଓ ସୀମା ସୁରକ୍ଷା ଭଳି ଘରୋଇ ପ୍ରସଙ୍ଗ ପଛରେ ପଡ଼ିଯାଇଥିବା ଭାନ୍ସ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାନ୍ସ ଏବେ ‘ନ୍ୟୁ ରାଇଟ୍’ ନାମକ ଦକ୍ଷିଣପନ୍ଥୀ ରାଜନୈତିକ ଗୋଷ୍ଠୀ ସହ ନୂଆ ମେଣ୍ଟ ଗଢ଼ିବାକୁ ଉଦ୍ୟମ କରୁଛନ୍ତି। ଇସ୍ରାଏଲ୍ ସହ ଆମେରିକାର ସମ୍ପର୍କର ପୁନଃସମୀକ୍ଷା କରିବା ମଧ୍ୟ ଏହି ଗୋଷ୍ଠୀର ଏକ ପ୍ରମୁଖ ଦାବି ବୋଲି ଖବରରେ କୁହାଯାଇଛି।
ଅନ୍ୟପଟେ ନିର୍ବାଚନ ପରାଜୟ ପରେ ମଧ୍ୟ ଟ୍ରମ୍ପ ନିଜ ନିଷ୍ପତ୍ତିକୁ ଠିକ୍ ବୋଲି କହିଛନ୍ତି। ଇରାନ୍ ବିରୋଧରେ ପୁଣି ସେହି ପଦକ୍ଷେପ ନେବାକୁ ପଡ଼ିଲେ ମଧ୍ୟ ନେବେ ବୋଲି ସେ ମତ ରଖିଛନ୍ତି। ଯୁଦ୍ଧ ଯୋଗୁଁ ପେଟ୍ରୋଲ ଦର ବଢ଼ିଥିବା ଏବଂ ଏହା ନିର୍ବାଚନରେ ଦଳକୁ କ୍ଷତି ପହଞ୍ଚାଇଥିବା କଥା ମଧ୍ୟ ଟ୍ରମ୍ପ ସ୍ୱୀକାର କରିଛନ୍ତି।
ତେବେ ଏହି ମତଭେଦ ଆଗକୁ ଟ୍ରମ୍ପ ଓ ଭାନ୍ସଙ୍କ ମଧ୍ୟରେ ରାଜନୈତିକ ଦୂରତା ବଢ଼ାଇବ କି? ତାହା ଉପରେ ଏବେ ସମସ୍ତଙ୍କ ନଜର।
