ମୋହାଲି:ମୋହାଲିର ଅଲମ୍ପିଆନ୍ ବଲବୀର ସିଂ ସିନିୟର ଇଣ୍ଟରନ୍ୟାସନାଲ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ୨୦୨୬ ଫାଇନାଲ୍ରେ ଭାରତୀୟ ପୁରୁଷ ହକି ଟିମ୍ ଚିତ୍ତାକର୍ଷକ ପ୍ରଦର୍ଶନ କରିଛି । ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଭାରତ ୪-୧ ଗୋଲ୍ରେ ଜାପାନକୁ ପରାସ୍ତ କରି ରେକର୍ଡ ଷଷ୍ଠ ଥର ଏବଂ ଲଗାତାର ତୃତୀୟ ଥର ପାଇଁ ଏହି ଟାଇଟଲ୍ ନିଜ ନାମରେ କରିଛି । ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଜାପାନ ୧-୦ ଗୋଲ୍ରେ ଆଗୁଆ ରହି ଭାରତ ଉପରେ ଚାପ ସୃଷ୍ଟି କରିଥିଲା । ତୃତୀୟ ମିନିଟ୍ରେ ଜାପାନର କାଜୁମାସା ମାତ୍ସୁମୋତୋ ଗୋଲ୍ କରିଥିଲେ । ତେବେ ତୃତୀୟ କ୍ୱାର୍ଟରରେ (୪୩ତମ ମିନିଟ୍) ଓଡ଼ିଶାର ତାରକା ଖେଳାଳି ଶିଳାନନ୍ଦ ଲାକ୍ରା ବରାବର ଗୋଲ୍ ଦାଗି ମ୍ୟାଚ୍କୁ ୧-୧ ସ୍ଥିତିକି ଆଣିଥିଲେ । ଏହାପରେ ଚତୁର୍ଥ କ୍ୱାର୍ଟରରେ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ।
ଦିଲପ୍ରୀତ ସିଂ ୪୮ତମ ମିନିଟରେ ଦ୍ୱିତୀୟ ଗୋଲ୍ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ । ଜୁଗରାଜ ସିଂ(୫୩ତମ)ପେନାଲ୍ଟି କୋର୍ନରରୁ ତୃତୀୟ ଗୋଲ୍ ଦେଇଥିଲେ । ବିବେକ ସାଗର ପ୍ରସାଦ ଚତୁର୍ଥ ଗୋଲ୍ ଦେଇ ଭାରତର ବିଜୟ ନିଶ୍ଚିତ କରିଥିଲେ । ଫାଇନାଲ୍ରେ ଶାନଦାର ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ଗୋଲ୍ ଦେଇଥିବା ଓଡ଼ିଶାର ଶିଳାନନ୍ଦ ଲାକ୍ରାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ଭାରତ ଏସୀୟ ହକିରେ ନିଜର ଦବ୍ଦବା ବଜାୟ ରଖିଛି ।
