Pawan Kalyan Divorce: ତୃତୀୟ ଥର ପାଇଁ ଭାଙ୍ଗିଲା ସମ୍ପର୍କ! ୧୩ ବର୍ଷ ପରେ ପତ୍ନୀ ଆନାଙ୍କଠାରୁ ଅଲଗା ହେଲେ ପବନ କଲ୍ୟାଣ…
ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛି ଏକ ବଡ଼ ଖବର। ୧୩ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ପବନ କଲ୍ୟାଣ ଓ ତାଙ୍କ ପତ୍ନୀ ଆନା କୋନିଡେଲା। ଉଭୟ ଏକ ମିଳିତ ବିବୃତ୍ତି ଜାରି କରି ବିବାହ ବିଚ୍ଛେଦ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି।
ଗତ ରାତିରେ ପବନ କଲ୍ୟାଣଙ୍କ ଇନଷ୍ଟାଗ୍ରାମ ପେଜ୍ରେ ଏହି ବିବୃତ୍ତି ପୋଷ୍ଟ କରାଯାଇଥିଲା। ପରସ୍ପର ବୁଝାମଣା ଓ ସମ୍ମାନର ସହ ଏହି ନିଷ୍ପତ୍ତି ନେଇଥିବା ଦମ୍ପତି କହିଛନ୍ତି। ବିବାହ ସମ୍ପର୍କର ଅନ୍ତ ହୋଇଥିଲେ ମଧ୍ୟ ଉଭୟ ଭଲ ବନ୍ଧୁ ଭାବେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ମିଳିତ ବିବୃତ୍ତିରେ ଉଭୟ କହିଛନ୍ତି, “ଆମର ବୈବାହିକ ସମ୍ପର୍କ ଶେଷ ହୋଇଥିଲେ ମଧ୍ୟ ଆମେ ଭଲ ବନ୍ଧୁ ଓ ଆମ ପିଲାମାନଙ୍କ ପ୍ରତି ସମର୍ପିତ ଅଭିଭାବକ ହୋଇ ରହିବୁ। ପିଲାମାନଙ୍କ ସୁଖ ଓ ମଙ୍ଗଳ ସର୍ବଦା ଆମର ପ୍ରାଥମିକତା ରହିବ।” ଏହି ବ୍ୟକ୍ତିଗତ ପରିବର୍ତ୍ତନ ସମୟରେ ନିଜସ୍ୱ ଜୀବନର ଗୋପନୀୟତାକୁ ସମ୍ମାନ ଦେବାକୁ ମଧ୍ୟ ସେମାନେ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି।
ପବନ କଲ୍ୟାଣଙ୍କ ଏହା ଥିଲା ତୃତୀୟ ବିବାହ । ୧୯୯୭ରେ ସେ ନନ୍ଦିନୀଙ୍କୁ ବିବାହ କରିଥିଲେ। ୧୯୯୯ରେ ଉଭୟ ଅଲଗା ହୋଇଥିଲେ। ପରେ ୨୦୦୯ରେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କରୁ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ୨୦୧୨ରେ ଏହି ବିବାହରେ ମଧ୍ୟ ବିଚ୍ଛେଦ ହୋଇଥିଲା। ୨୦୧୩ରେ ପବନ କଲ୍ୟାଣ ରୁଷିଆର ମୂଳ ବାସିନ୍ଦା ଆନା କୋନିଡେଲାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ସନ୍ତାନ ପୋଲେନା ଅଞ୍ଜନା ପବନୋଭା ଓ ମାର୍କ ଶଙ୍କର ପବନୋଭିଚ୍ ଅଛନ୍ତି।
୧୯୯୬ରେ ‘ଅକ୍କଡା ଅମ୍ମାୟି ଇକ୍କଡା ଅବ୍ବାୟି’ ଚଳଚ୍ଚିତ୍ରରୁ ଅଭିନୟ ଜଗତରେ ପାଦ ଥାପିଥିଲେ ପବନ। ୨୦୧୪ରେ ଜନସେନା ପାର୍ଟି ଗଠନ କରି ରାଜନୀତିରେ ସକ୍ରିୟ ହୋଇଥିଲେ। ୨୦୨୪ ନିର୍ବାଚନରେ ଜନସେନା, ଟିଡିପି ଓ ବିଜେପି ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଜୁନ୍ ୧୪, ୨୦୨୪ରେ ସେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକ ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
