Latest Odisha News

BREAKING NEWS

ୟୁଥ୍ ଅଲିମ୍ପିକ୍ସ ୨୦୨୬: ଅମ୍ବେକର୍ ମୀତେଇଙ୍କ ଐତିହାସିକ ପଞ୍ଚ, ଭାରତ ଜିତିଲା ପ୍ରଥମ ସ୍ୱର୍ଣ ପଦକ

ଡକାର: ସେନେଗାଲର ଡକାରଠାରେ ଚାଲିଥିବା ୟୁଥ୍ ଅଲିମ୍ପିକ୍ସ ୨୦୨୬ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ ପଦକ ଆସିଛି । ମଣିପୁରର ଯୁବ ବକ୍ସର ଲାଏରେନ୍‌ଲାକପମ୍ ଅମ୍ବେକର୍ ମୀତେଇ ଦମଦାର ପ୍ରଦର୍ଶନ କରି ପାଇଁ ଏହି ଗୌରବ ଆଣିଛନ୍ତି । ପୁରୁଷ ବକ୍ସର୍‌ଙ୍କ ୫୦ କିଗ୍ରା ଇଭେଣ୍ଟର ଫାଇନାଲ୍ ମୁକାବିଲାରେ ମୀତେଇଙ୍କ ସାମ୍ନା ଆୟର୍ଲାଣ୍ଡର କ୍ରିଷ୍ଟିଆନ୍ ଜୁବାନିଙ୍କ ସହିତ ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ବକ୍ସର ୩-୨ ବ୍ୟବଧାନରେ ବିଜୟୀ ହୋଇ ସ୍ୱର୍ଣ ପଦକ ନିଜ ନାମରେ କରିଛନ୍ତି । ୨୦୧୦ରେ ଆରମ୍ଭ ହୋଇଥିବା ୟୁଥ୍ ଅଲିମ୍ପିକ୍ସ ଇତିହାସରେ ଅମ୍ବେକର୍ ମୀତେଇ ହେଉଛନ୍ତି ଭାରତ ପାଇଁ ସ୍ୱର୍ଣ ପଦକ ଜିତିଥିବା ପ୍ରଥମ ବକ୍ସର ଏବଂ ସାମଗ୍ରିକ ଭାବେ ତୃତୀୟ ଆଥଲେଟ୍ ।

ଏହାପୂର୍ବରୁ ୨୦୧୮ ୟୁଥ୍ ଅଲିମ୍ପିକ୍ସରେ ଭାରତ ୩ଟି ସ୍ୱର୍ଣ ପଦକ (ଜେରେମୀ ଲାଲ୍‌ରିନୁଙ୍ଗା – ଭାରୋତ୍ତୋଳନ, ମନୁ ଭାକର ଏବଂ ସୌରଭ ଚୌଧୁରୀ – ଶୁଟିଂ) ଜିତିଥିଲା । ୟୁଥ୍ ଅଲିମ୍ପିକ୍ସର ବକ୍ସିଂ ଇତିହାସରେ ଏହା ଭାରତର ଦ୍ୱିତୀୟ ପଦକ ଅଟେ । ଏହାପୂର୍ବରୁ ୨୦୧୦ରେ ଶିବ ଥାପା (୫୪ କିଗ୍ରା) ରୌପ୍ୟ ପଦକ ଜିତିଥିଲେ । ସେମିଫାଇନାଲରେ କୋଲୋମ୍ବିଆର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଏବଂ ଫାଇନାଲରେ ଆୟର୍ଲାଣ୍ଡର କ୍ରିଷ୍ଟିଆନ୍ ଜୁବାନିଙ୍କୁ (୩-୨ ପଏଣ୍ଟରେ) ପରାସ୍ତ କରି ସେ ଇତିହାସ ରଚିଥିଲେ । ତାଙ୍କର ଏହି ବିଜୟ ଭାରତକୁ ୟୁଥ୍ ଅଲିମ୍ପିକ୍ସ ଇତିହାସରେ ବକ୍ସିଂରେ ପ୍ରଥମ ସ୍ୱର୍ଣ ପଦକ ଏବଂ ୨୦୨୬ ଖେଳରେ ଭାରତ ପାଇଁ ପ୍ରଥମ ଗୋଲ୍ଡ ମେଡାଲ୍ ଭେଟି ଦେଇଛି । ଏହା ସହିତ ସେ ଭାରତୀୟ ବକ୍ସିଂ ଜଗତରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି ।

Leave A Reply

Your email address will not be published.