Latest Odisha News

BREAKING NEWS

Anirudh-Kavya’s Wedding: ଗ୍ରୀସ୍‌ରେ ବିବାହ ବନ୍ଧନରେ ବାନ୍ଧି ହେଲେ ସନ୍‌ରାଇଜର୍ସ ହାଇଦ୍ରାବାଦ ମାଲିକାଣୀ, ଦୃଷ୍ଟି ଆକର୍ଷଣ କଲା ଫ୍ରଣ୍ଟ ରୋ’ରେ ରଜନୀକାନ୍ତ-ଷ୍ଟାଲିନଙ୍କ ଉପସ୍ଥିତି…

ନୂଆଦିଲ୍ଲୀ: ଗ୍ରୀସ୍‌ରେ ଧୁମଧାମରେ ନୁହେଁ, ବରଂ ଏକ ଅନ୍ତରଙ୍ଗ ତଥା ଷ୍ଟାର୍‌ ଖଚିତ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଓ ସନ୍‌ରାଇଜର୍ସ ହାଇଦ୍ରାବାଦର ସହ-ମାଲିକାଣୀ କାବ୍ୟା ମାରନ୍। ନଭେମ୍ବର ୧୧ ତାରିଖରେ ଗ୍ରୀସ୍‌ରେ ଏହି ହାଇପ୍ରୋଫାଇଲ୍‌ ବିବାହ ସମ୍ପନ୍ନ ହୋଇଥିବା ବେଳେ, ଏହାର ଭିତର ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ବିବାହ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତ ଏବଂ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଉପସ୍ଥିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତାମିଲ୍‌ ସିନେମାର ସୁପରଷ୍ଟାର ରଜନୀକାନ୍ତ ଏବଂ ରାଜନୀତିର ପ୍ରମୁଖ ଚେହେରା ଷ୍ଟାଲିନ୍‌ଙ୍କୁ ଏକାଠି ଦେଖିବା ଏହି ହାଇପ୍ରୋଫାଇଲ୍‌ ବିବାହର ଆକର୍ଷଣକୁ ଆହୁରି ବଢ଼ାଇଛି। ନବଦମ୍ପତିଙ୍କ ସହ ଉଭୟ ଦିଗ୍ଗଜଙ୍କ ଫ୍ରଣ୍ଟ ରୋ’ରେ ଉପସ୍ଥିତି ଏହି ବିବାହକୁ ଆହୁରି ଚର୍ଚ୍ଚିତ କରିଛି। ସାମ୍ନାକୁ ଆସିଥିବା ଏକ ଫଟୋରେ ଅନିରୁଦ୍ଧ ଓ କାବ୍ୟାଙ୍କୁ ଧଳା ଫୁଲରେ ସଜାଯାଇଥିବା ପୃଷ୍ଠଭୂମିରେ ରଜନୀକାନ୍ତ, ଏମ୍‌.କେ. ଷ୍ଟାଲିନ୍‌, କାବ୍ୟାଙ୍କ ପିତା ସନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ କଳାନିଧି ମାରନ୍‌, ମା’ କାବେରୀ ମାରନ୍‌ ଏବଂ ଅନିରୁଦ୍ଧଙ୍କ ପିତା ରବି ରାଘବେନ୍ଦ୍ର ଓ ମା’ ଲକ୍ଷ୍ମୀ ରବିଚନ୍ଦରଙ୍କ ସହ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି।

ବିବାହର କଲର୍ ଥିମ୍‌କୁ ଅନୁସରଣ କରି ରଜନୀକାନ୍ତ ହାଲୁକା ବ୍ଲସ୍‌-ବେଜ୍‌ ରଙ୍ଗର ସାର୍ଟ ସହ ଧଳା ଭେଷ୍ଟି ପିନ୍ଧିଥିଲେ। ସେହିପରି ଏମ୍‌.କେ. ଷ୍ଟାଲିନ୍‌ କ୍ରିମ୍‌-ବେଜ୍‌ ରଙ୍ଗର ସାର୍ଟ, ସୁନାର ବର୍ଡର ଥିବା ଭେଷ୍ଟି ଏବଂ ଡାର୍କ ସନ୍‌ଗ୍ଲାସ୍‌ରେ ନଜର ଆସିଥିଲେ। ଉଭୟଙ୍କ ପାରମ୍ପରିକ ପୋଷାକ ଓ ଷ୍ଟାଇଲ୍‌ ବିଶେଷ ଆକର୍ଷଣ ସାଜିଥିଲା। କଳାନିଧି ମାରନ୍‌ ଓ ରବି ରାଘବେନ୍ଦ୍ର ଧଳା ସାର୍ଟ ସହ ପାରମ୍ପରିକ ଭେଷ୍ଟି ପିନ୍ଧିଥିବା ବେଳେ, କାବେରୀ ମାରନ୍‌ ଭାରି ଏମ୍ବ୍ରଏଡରି ଥିବା ପିଚ୍‌-ପିଙ୍କ୍‌ ପୋଷାକରେ ନଜର ଆସିଥିଲେ। ଅନ୍ୟପଟେ ଲକ୍ଷ୍ମୀ ରବିଚନ୍ଦର ଫୁଲର ଡିଜାଇନ୍‌ ଥିବା ସେଜ୍‌ ରଙ୍ଗର ସିଲ୍କ ଶାଢ଼ି ପିନ୍ଧିଥିଲେ।

ମୁଖ୍ୟ ବିବାହ ସମାରୋହରେ ଅନିରୁଦ୍ଧ ଆଇଭରି ରଙ୍ଗର ସିଲ୍କ କୁର୍ତ୍ତା, ସୁନା ବର୍ଡର ଥିବା ଭେଷ୍ଟି ଏବଂ ସୁନ୍ଦର ଏମ୍ବ୍ରଏଡରି ହୋଇଥିବା ଲମ୍ବା ଜ୍ୟାକେଟ୍‌ ପିନ୍ଧିଥିଲେ। ଏହା ସହ ମ୍ୟାଚିଂ କମରବନ୍ଧ ତାଙ୍କ ଲୁକ୍‌କୁ ଆହୁରି ଆକର୍ଷଣୀୟ କରିଥିଲା। କାବ୍ୟା ତାଙ୍କ ସହ ବ୍ଲସ୍‌-ପିଙ୍କ୍‌ ରଙ୍ଗର ଫ୍ଲୋର୍‌-ଲେଙ୍ଗ୍‌ ଲେହେଙ୍ଗାରେ ନଜର ଆସିଥିଲେ। ଲେହେଙ୍ଗାରେ ସୂକ୍ଷ୍ମ ଏମ୍ବ୍ରଏଡରି ଓ ସିକ୍ୱିନ୍‌ କାମ ଥିବା ବେଳେ, ଷ୍ଟେଟମେଣ୍ଟ ଚୋକର୍‌ ଓ ମ୍ୟାଚିଂ ଇୟରରିଂ ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିଥିଲା।

ସନ୍‌ ପିକ୍ଚର୍ସ ନିଜ X ହ୍ୟାଣ୍ଡଲ୍‌ରେ ମଧ୍ୟ ବିବାହର ଅନେକ ମନୋରମ ମୁହୂର୍ତ୍ତ ସେୟାର କରିଛି। ସେଥିମଧ୍ୟରୁ ଏକ ଫଟୋରେ ବିବାହ ରୀତି ସମ୍ପନ୍ନ ହେବା ପରେ ମଞ୍ଚ ଉପରେ ଅନିରୁଦ୍ଧ ଓ କାବ୍ୟା ପରସ୍ପରଙ୍କ ଆଖିକୁ ଚାହିଁ ରହିଥିବା ଦୃଶ୍ୟ ଖୁବ୍‌ ମନଛୁଆଁ ହୋଇଛି। ଅନ୍ୟ ଏକ ଫଟୋରେ ଧଳା ଫୁଲର ବର୍ଷା ମଧ୍ୟରେ ନବଦମ୍ପତି ହାତ ଧରି ଆଇଲ୍‌ ଦେଇ ଚାଲିଯାଉଥିବା ଦେଖାଯାଇଛି।

ଦିନବେଳର ଉତ୍ସବରେ ମଧ୍ୟ ଏହି ଯୋଡ଼ିଙ୍କ ଷ୍ଟାଇଲ୍‌ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ଅନିରୁଦ୍ଧ ଓ କାବ୍ୟା ହାତ ଧରି ଚାଲୁଥିବା ଏକ ଫଟୋରେ କାବ୍ୟା ମେଟାଲିକ୍‌ ବିଡ୍‌ସ ଓ ଫ୍ରିଞ୍ଜ୍‌ ଡିଟେଲ୍‌ ଥିବା ବ୍ରାଉନ୍‌ ହାଲ୍ଟର-ନେକ୍‌ ଡ୍ରେସ୍‌ ପିନ୍ଧିଥିଲେ। ଅନିରୁଦ୍ଧ ବ୍ରାଉନ୍‌ ସାର୍ଟ ଓ ଡ୍ରେପ୍‌ଡ ଟ୍ରାଉଜର୍‌ ସହ ଆଇଭରି-ଗ୍ରୀନ୍‌ ରଙ୍ଗର ପାମ୍‌-ଟ୍ରି ଡିଜାଇନ୍‌ ଥିବା ଏମ୍ବ୍ରଏଡରି ଜ୍ୟାକେଟ୍‌ ପିନ୍ଧିଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ବିବାହ ଘୋଷଣା କରି ଅନିରୁଦ୍ଧ ଲେଖିଛନ୍ତି, “My once in a lifetime, for a lifetime 11.11”। ଅର୍ଥାତ୍‌, ଜୀବନରେ ଥରେ ମିଳୁଥିବା ଏକ ଅମୂଲ୍ୟ ସମ୍ପର୍କ, ଯାହା ସାରା ଜୀବନ ପାଇଁ।

ନଭେମ୍ବର ୧୦ ଓ ୧୧ ତାରିଖରେ ଗ୍ରୀସ୍‌ରେ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅନ୍ତରଙ୍ଗ ବିଦେଶୀ ବିବାହ ପରେ ନବଦମ୍ପତି ନଭେମ୍ବର ୨୧ ତାରିଖରେ ଚେନ୍ନାଇରେ ଏକ ଭବ୍ୟ ରିସେପ୍‌ସନ୍‌ ଆୟୋଜନ କରିବେ। ଏହି ରିସେପ୍‌ସନ୍‌ରେ ମଧ୍ୟ ଅନେକ ରାଜନେତା, ଚଳଚ୍ଚିତ୍ର ଜଗତର ତାରକା ଓ ଶିଳ୍ପପତିଙ୍କ ଯୋଗଦାନ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Leave A Reply

Your email address will not be published.