Latest Odisha News

BREAKING NEWS

୧୪ରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର,ପକ୍କା ଘର ପାଇବେ ୨ ଲକ୍ଷରୁ ଅଧିକ ହିତାଧିକାରୀ;ଆସିବେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପକ୍କା ଘର ଆସନ୍ତା ୧୪ ତାରିଖରେ ହିତାଧିକାରୀଙ୍କୁ ମିଳିବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ। ଏହି ପର୍ଯ୍ୟାୟରେ ୨ ଲକ୍ଷ ୯୧ ହଜାର ୬୬୬ଟି ଘର ଯୋଗାଇ ଦେବେ ରାଜ୍ୟ ସରକାର। ଏଥିପାଇଁ ନଭେମ୍ବର ୧୪ ତାରିଖରେ ବଲାଙ୍ଗୀରରେ ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ତାଙ୍କ ସହ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ।

ଏହି ୭ ଲକ୍ଷ ଘର ଦୁଇଟି ଯୋଜନାରେ ଦିଆଯିବ। ୩ ଲକ୍ଷ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ମିଳିବ। ସେହିପରି ୪ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ।

ପୂର୍ବରୁ ଆବାସ ଯୋଜନାରେ ୪ ଲକ୍ଷ ଏବଂ ଅନ୍ତ୍ୟୋଦୟ ଯୋଜନାରେ ୫ ଲକ୍ଷ ଘର ମିଳିଥିବା ବେଳେ ଆସନ୍ତା ୧୪ ତାରିଖରେ ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୬୬ଟି ଘର ଆବଣ୍ଟନ କରାଯିବ। ଏହାଦ୍ୱାରା ଆହୁରି ଲକ୍ଷାଧିକ ପରିବାରଙ୍କ ପକ୍କା ଘର ସ୍ୱପ୍ନ ପୂରଣ ହେବ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, ‘୨୦୧୬ରୁ ଗରିବଙ୍କୁ ପକ୍କା ଘର ଯୋଗାଇ ଦେବାର ସଂକଳ୍ପ ନେଇ ଆବାସ ଯୋଜନା ଆଗକୁ ବଢ଼ିଥିଲା। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପରେ ଆବାସ ଯୋଜନାକୁ ନେଇ ସର୍ଭେ କରାଯାଇଥିଲା। ସର୍ଭେରେ ପ୍ରାୟ ୩୭ ଲକ୍ଷ ଘରର ଆବଶ୍ୟକତା ସାମ୍ନାକୁ ଆସିଥିଲା। ପ୍ରଥମେ ୧ ଲକ୍ଷ ୨୦ ହଜାର ଘର ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୪ ଲକ୍ଷ ଘର ମିଳିଛି। ଏହାସହ ୫ ଲକ୍ଷ ଅନ୍ତ୍ୟୋଦୟ ଘର ମଧ୍ୟ ଯୋଗାଇ ଦିଆଯାଇଛି । ଏବେ ଆଉ ୨ ଲକ୍ଷ ୯୧ ହଜାର ୬୬୬ଟି ଘର ଯୋଗାଇ ଦେବାକୁ ଯାଉଛନ୍ତି ସରକାର।’

ମନ୍ତ୍ରୀ ଆହୁରି କହିଛନ୍ତି, ‘ଆସନ୍ତା ୧୪ ତାରିଖରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟରେ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେଠାରେ ହିତାଧିକାରୀଙ୍କୁ ଆବାସ ବଣ୍ଟନ କରାଯିବ । ଏହା ବ୍ୟତୀତ ରାଜ୍ୟର ପ୍ରତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଏହା କାର୍ଯ୍ୟକ୍ରମ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଆବସ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ‘

Leave A Reply

Your email address will not be published.