ଭୁବନେଶ୍ୱର: ସାହିତ୍ୟ ଏକାଡେମୀ ଓ ଓଡିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଆସନ୍ତା ୧୫ ଓ ୧୬ ନଭେମ୍ବରରେ ରାଜଧାନୀର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ‘ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ’ । ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ‘ଜନଜାତୀୟ ଗୌରବ ଦିବସ’ ପାଳନ ଉପଲକ୍ଷେ ଏହି ସମ୍ମିଳନୀରେ ଆୟୋଜନ କରାଯାଉଛି । ଏହି ଜାତୀୟ ସ୍ତରୀୟ ସାହିତ୍ୟିକ ସମାବେଶରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଆଦିବାସୀ ଭାଷାର ୪୦ରୁ ଅଧିକ ଲେଖକ ଅଂଶଗ୍ରହଣ କରିବେ । ସମ୍ମିଳନୀରେ ଆସାମ, ଅରୁଣାଚଳପ୍ରଦେଶ, ଛତିଶଗଡ, ଗୁଜରାଟ, ହରିୟାଣା , ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମାହାରଷ୍ଟ୍ର,ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡିଶା , ରାଜସ୍ଥାନ ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ଲେଖକ ଅଂଶଗ୍ରହଣ କରିବେ । ଏବଂ ବିଭିନ୍ନ ଆଦିବାସୀ ଭାଷା ଆଓ, ବଂଜାରା, ବୈଗାନୀ, ଦେଶିଆ, ଗାରୋ, ଖଡିଆ, ମିଜୋ, ମୁଣ୍ଡାରୀ, ନିଶି, ସଉରା, ଟୋଡା, ଗୋଣ୍ଡି ଆଦି ଭାଷାର ସମୃଦ୍ଧ ଭାଷାଗତ ଓ ସାଂସ୍କୃତିକ ବିବିଧତାର ପ୍ରତିନିଧିତ୍ୱ କରିବେ ।
ଦୁଇଦିନିଆ କାର୍ଯ୍ୟକ୍ରମରେ ଆଦିବାସୀ ସାହିତ୍ୟ ଓ ସଂସ୍କୃତି ସହ ଜଡିତ ବିଷୟବସ୍ତୁ ଉପରେ ଗବେଷଣାତ୍ମକ ପ୍ରବନ୍ଧ ପାଠ, ବହୁବାଷୀ କ୍ଷୁଦ୍ରଗଳ୍ପ ପାଠ ଓ ବହୁଭାଷୀ କବିତା ପାଠ କରାଯିବ । ଉଭୟ ଦିନ ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ର ଆୟୋଜିତ ହେବ ।
ଉଦ୍ଘାଟନୀ ଅଧିବେଶନରେ ଓଡିଶାର ମାନ୍ୟବର ରାଜ୍ୟପାଳ ବ୍ରଜମୋହନ ରାମ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାହିତ୍ୟ ଏକାଡେମୀ ଓଡିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରୀ ଦାସ ଓ ଓଡିଆ ଭାଷା ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଅତିଥି ଭାବେ ଯୋଗଦେବେ । ସାହିତ୍ୟ ଏକାଡେମୀ ସଚିବ ବରୁଣ ଗୁଲାଟି ଓ ଓଡିଶା ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ରହିବେ । ସେହିପରି ଉଦ୍ଯାପନୀ ଅଧିବେଶନରେ ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ ଅଧ୍ୟକ୍ଷତା କରିବେ । ସୁପରିଚିତ ଲେଖକ ତଥା ଓଡିଶା ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଲଲାଟେନ୍ଦୁ ସାହୁ, ହାୱଡାସ୍ଥିତ ହିନ୍ଦୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ନନ୍ଦୀନି ସାହୁ, ଡକ୍ଟର ଦମୟନ୍ତୀ ବେଶ୍ରା, ଭାଗ୍ୟେଶ ଝା, ଡକ୍ଟର ବିଜୟାନନ୍ଦ ସିଂ, ଚୈତନ୍ୟ ମାଝୀ ପ୍ରମୁଖ ବିଭିନ୍ନ ଅଧିବେଶନରେ ଅଂଶଗ୍ରହଣ କରିବେ ।
