Latest Odisha News

BREAKING NEWS

Money-Saving Habits: ଶିଶୁ ଦିବସରେ ପିଲାଙ୍କୁ ଶିଖାନ୍ତୁ ଟଙ୍କା ସଞ୍ଚୟ କରିବାର ୭ ଉପାୟ…ବଡ଼ ହେଲେ ଆର୍ଥିକ ସମସ୍ୟାରୁ ରହିବେ ଦୂରରେ!

ଭୁବନେଶ୍ବର: ଶିଶୁ ଦିବସରେ ପିଲାଙ୍କୁ କେବଳ ଉପହାର ନୁହେଁ, ଟଙ୍କା ସଞ୍ଚୟ ଓ ଏହାର ସଠିକ୍‌ ବ୍ୟବହାରର ଶିକ୍ଷା ମଧ୍ୟ ଦିଅନ୍ତୁ। ପିଲାବେଳୁ ଟଙ୍କାର ମୂଲ୍ୟ ବୁଝିଲେ, ବଡ଼ ହେବା ପରେ ସେମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ଦାୟିତ୍ୱବାନ ହୋଇପାରିବେ। ବଜାର ବିଶେଷଜ୍ଞ ଓ ନିବେଶ ପରାମର୍ଶଦାତାଙ୍କ ଅନୁସାରେ, ପିଲାଙ୍କୁ ଏବେଠାରୁ ଶିଖାଇବା ଉଚିତ୍‌ ଏହି ୭ଟି ନିୟମ।

୧. ଯଥାଶୀଘ୍ର ସଞ୍ଚୟ ଆରମ୍ଭ କରନ୍ତୁ: ଟଙ୍କାକୁ ବଢ଼ିବା ପାଇଁ ଅଧିକ ସମୟ ଦେଲେ ଦୀର୍ଘକାଳରେ ଭଲ ଫଳ ମିଳିପାରେ। ଏହାକୁ ଚକ୍ରବୃଦ୍ଧି ସୁଧ ବା କମ୍ପାଉଣ୍ଡିଂ କୁହାଯାଏ। ନିବେଶକ ୱାରେନ୍‌ ବଫେଟ୍‌ଙ୍କ ଅଧିକାଂଶ ସମ୍ପତ୍ତି ୬୫ ବର୍ଷ ବୟସ ପରେ ବଢ଼ିଥିବା ଉଦାହରଣ ଏହାର ଗୁରୁତ୍ୱକୁ ଦର୍ଶାଏ। ଶୀଘ୍ର ଆରମ୍ଭ କଲେ ଛୋଟ ଭୁଲ୍‌ରୁ ଶିଖିବାର ସୁଯୋଗ ମଧ୍ୟ ମିଳେ।

୨. ନିୟମିତ ସଞ୍ଚୟ ଓ ନିବେଶର ଅଭ୍ୟାସ କରନ୍ତୁ: ବଡ଼ ରାଶି ଜମା ହେବାକୁ ଅପେକ୍ଷା ନକରି, ଅଳ୍ପ ଅଳ୍ପ ଟଙ୍କା ନିୟମିତ ସଞ୍ଚୟ କରନ୍ତୁ। ପିଲାମାନେ ନିଜ ପକେଟ୍‌ ମନିରୁ କିଛି ଅଂଶ ସଞ୍ଚୟ କରି ଏହା ଶିଖିପାରିବେ।

୩. ଆୟ ବଢ଼ିଲେ ସଞ୍ଚୟ ମଧ୍ୟ ବଢ଼ାନ୍ତୁ: ଦରମା କିମ୍ବା ଆୟ ବଢ଼ିଲେ କେବଳ ଖର୍ଚ୍ଚ ବଢ଼ାଇବା ଉଚିତ୍‌ ନୁହେଁ। ବିଶେଷଜ୍ଞଙ୍କ ମତରେ, ନିଜ ସାମର୍ଥ୍ୟ ଅନୁସାରେ ପ୍ରତିବର୍ଷ ନିବେଶରେ ୫ରୁ ୧୦ ପ୍ରତିଶତ ବୃଦ୍ଧି କରିବା ଭଲ।

୪. ସମସ୍ତ ଟଙ୍କା ଗୋଟିଏ ସ୍ଥାନରେ ନିବେଶ କରନ୍ତୁ ନାହିଁ: ଟଙ୍କାକୁ ଭିନ୍ନ ଭିନ୍ନ ନିବେଶ ବିକଳ୍ପରେ ବାଣ୍ଟି ରଖିବାକୁ ଡାଇଭର୍ସିଫିକେସନ୍‌ କୁହାଯାଏ। ନିଜର ଆର୍ଥିକ ସାମର୍ଥ୍ୟ ଓ ରିସ୍କ ନେବାର କ୍ଷମତା ଅନୁସାରେ ଇକ୍ୱିଟି, ଡେଟ୍‌ ଓ ସୁନା ଭଳି ବିକଳ୍ପ ବିଷୟରେ ଜାଣନ୍ତୁ। ଲକ୍ଷ୍ୟ ଅନୁସାରେ ନିବେଶର ସମୀକ୍ଷା କରିବା ମଧ୍ୟ ଜରୁରୀ।

୫. ବଜାରର ଉତ୍‌ଥାନ-ପତନରେ ଧୈର୍ଯ୍ୟ ରଖନ୍ତୁ: ବଜାର ଖସିଲେ ଭୟରେ SIP ବନ୍ଦ କରିବା କିମ୍ବା ଟଙ୍କା ଉଠାଇ ନେବା ଦୀର୍ଘକାଳୀନ ଲକ୍ଷ୍ୟକୁ ପ୍ରଭାବିତ କରିପାରେ। ତେଣୁ ଅଳ୍ପ ସମୟର ଉତ୍‌ଥାନ-ପତନ ଦେଖି ତୁରନ୍ତ ନିଷ୍ପତ୍ତି ନନେବାକୁ ପିଲାଙ୍କୁ ଶିଖାନ୍ତୁ।

୬. ନିବେଶ ପୂର୍ବରୁ ଲକ୍ଷ୍ୟ ସ୍ଥିର କରନ୍ତୁ: ଟଙ୍କା କେଉଁ ଉଦ୍ଦେଶ୍ୟରେ ରଖାଯାଉଛି, ତାହା ପ୍ରଥମେ ସ୍ପଷ୍ଟ ହେବା ଦରକାର। ଶିକ୍ଷା, ଘର କିଣିବା କିମ୍ବା ଅବସର ଜୀବନ ପାଇଁ ନିବେଶର ଯୋଜନା ଭିନ୍ନ ହୋଇଥାଏ। କେବଳ ଲୋକପ୍ରିୟ ହେଉଥିବାରୁ କୌଣସି ଯୋଜନାରେ ଟଙ୍କା ଲଗାନ୍ତୁ ନାହିଁ।

୭. ନିଜେ ଯାଞ୍ଚ କରନ୍ତୁ, ଶୁଣାକଥାରେ ଭରସା କରନ୍ତୁ ନାହିଁ: ସୋସିଆଲ୍‌ ମିଡିଆ, ହ୍ୱାଟ୍ସଆପ୍‌ ମେସେଜ୍‌ କିମ୍ବା ଶୀଘ୍ର ଧନୀ ହେବାର ଲୋଭ ଦେଖାଉଥିବା ଟିପ୍ସ ଉପରେ ଆଖିବୁଜି ବିଶ୍ୱାସ କରନ୍ତୁ ନାହିଁ। ନିବେଶ ପୂର୍ବରୁ ତଥ୍ୟ ଯାଞ୍ଚ କରନ୍ତୁ ଏବଂ ନିଜର ଲକ୍ଷ୍ୟ ଓ ରିସ୍କ କ୍ଷମତା ବୁଝନ୍ତୁ, ବୋଲି ପିଲାଙ୍କୁ ଏବେ ଠାରୁ ଶିଖାଇବା ଉଚିତ୍ । ଯାହା ଦ୍ବାରା ସେମାନେ ଠକେଇରୁ ବଞ୍ଚିପାରିବେ।

ଆର୍ଥିକ ଗବେଷଣାରେ AI ବଡ଼ ଡାଟାକୁ ସହଜ କରିବା କିମ୍ବା ମ୍ୟୁଚୁଆଲ୍‌ ଫଣ୍ଡ୍‌ ତୁଳନା କରିବାରେ ସହାୟତା କରିପାରେ। କିନ୍ତୁ AIକୁ କେବଳ ଏକ ସହାୟକ ଭାବେ ବ୍ୟବହାର କରିବା ଉଚିତ୍‌, ନିଷ୍ପତ୍ତି ନେବାର ମାଲିକ ଭାବେ ନୁହେଁ। ଏହା ଜଣେ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି, ପରିବାରର ଦାୟିତ୍ୱ, ଚାକିରିର ସ୍ଥିରତା କିମ୍ବା ବଜାର ଖସିଲେ ହେଉଥିବା ମାନସିକ ଚାପକୁ ସମ୍ପୂର୍ଣ୍ଣ ବୁଝିପାରେ ନାହିଁ।

Leave A Reply

Your email address will not be published.