ଭାରତୀୟ କ୍ରିକେଟର ବିସ୍ମୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ପୁଣି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ମାତ୍ର ୧୫ ବର୍ଷ ୨୩୨ ଦିନ ବୟସରେ ସେ ପୁରୁଷ ଟି-୨୦ କ୍ରିକେଟ୍ ଇତିହାସରେ ସର୍ବକନିଷ୍ଠ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି। ଇନ୍ଦୋରର ହୋଲକର ଷ୍ଟାଡିୟମଠାରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଥମ ମ୍ୟାଚରେ ସୌରାଷ୍ଟ୍ର ବିପକ୍ଷରେ ବିହାର ଦଳର ନେତୃତ୍ୱ ନେଇ ସେ ଏହି ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି।
ଏହି ସଫଳତା ସହ ବୈଭବ କ୍ରୋଏସିଆର ଜାକ୍ ଭୁକୁସିଚଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏ ୨୦୨୫ରେ ୧୭ ବର୍ଷ ୩୧୧ ଦିନ ବୟସରେ ସାଇପ୍ରସ୍ ବିପକ୍ଷରେ ଅଧିନାୟକତ୍ୱ କରିଥିଲେ। ଏହି ତାଲିକାରେ ପାକିସ୍ତାନର ତୈମୁର ଅଲ୍ଲୀ (୧୭ ବର୍ଷ ୩୫୮ ଦିନ) ତୃତୀୟ, ତାଞ୍ଜାନିଆର ଲକ୍ଷ୍ୟ ବରକାନିଆ ଚତୁର୍ଥ ଏବଂ ଫ୍ରାନ୍ସର ନୋମାନ ଅମଜାଦ ପଞ୍ଚମ ସ୍ଥାନରେ ରହିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ବୈଭବ କହିଥିଲେ ଯେ, ବିହାରର ନେତୃତ୍ୱ ନେବା ତାଙ୍କ ପାଇଁ ଏକ ସ୍ୱପ୍ନ ସାକାର ହେବା ଭଳି ଏବଂ ଏହି ସୁଯୋଗ ପାଇଁ ସେ କୃତଜ୍ଞ । ତେବେ ଅଧିନାୟକ ଭାବେ ପ୍ରଥମ ମ୍ୟାଚରେ ସେ ବ୍ୟାଟିଂରେ ନିରାଶ କରିଥିଲେ । ପଞ୍ଚମ ଓଭରରେ ଚେତନ ସାକାରିଆଙ୍କ ବଲରେ ଆଉଟ୍ ହେବା ପୂର୍ବରୁ ସେ ମାତ୍ର ୧୨ଟି ବଲରୁ ୧୮ ରନ୍ ସଂଗ୍ରହ କରିଥିଲେ। ଆସନ୍ତା ନଭେମ୍ବର ୧୯ରୁ କତାରରେ ଆରମ୍ଭ ହେବାକୁ ଥିବା ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ସେ ଭାରତୀୟ ଦଳରେ ଯୋଗ ଦେବାକୁ ଯାଉଥିବାରୁ ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚରେ ବିହାରର ନେତୃତ୍ୱ ନେଇପାରିବେ ନାହିଁ।
ଚଳିତ ବର୍ଷ ଆରମ୍ଭରେ ଦୁଲିପ୍ ଟ୍ରଫିରେ ଇଶାନ କିଷାନଙ୍କ ଡେପୁଟି ଭାବେ ତାଙ୍କୁ ପୂର୍ବାଞ୍ଚଳର ଉପ-ଅଧିନାୟକ କରାଯାଇଥିଲା। କିନ୍ତୁ ଏତେ କମ୍ ବୟସରେ ତାଙ୍କୁ ନେତୃତ୍ୱ ଭାର ନଦେବାକୁ ମହାନ କ୍ରିକେଟର ସଚିନ ତେନ୍ଦୁଲକର ପରାମର୍ଶ ଦେଇଥିଲେ । ଆଇପିଏଲ୍ ୨୦୨୬ରେ ରାଜସ୍ଥାନ ରୟାଲ୍ସ ପାଇଁ ୭୭୬ ରନ୍ କରି ଚର୍ଚ୍ଚାକୁ ଆସିଥିବା ବୈଭବ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଅଭିଷେକ ଶର୍ମାଙ୍କ ସହ ମିଶି ପାୱାରପ୍ଲେରେ ସର୍ବାଧିକ ୧୧୮ ରନର ରେକର୍ଡ କରିଥିଲେ ।
