ଭୁବନେଶ୍ୱର:କଳିଙ୍ଗ ଷ୍ଟାଡ଼ିୟମ୍ରେ ଆରମ୍ଭ ହୋଇଛି ଏସିଆ ରଗ୍ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଆନୁଷ୍ଠାନିକ ଭାବେ ଏସିଆ ରଗ୍ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬କୁ ଉଦ୍ଘାଟନ କରିଛନ୍ତି ।
ସୂଚନାଥାଉକି, ନଭେମ୍ବର ୧୪ ଓ ୧୫ ତାରିଖ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡ଼ିୟମ୍ରେ ଏସିଆ ରଗ୍ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍ ଅନୁଷ୍ଠିତ ହେବ। ଆଜି ପ୍ରଥମ ଦିନରେ ୨୫ଟି ମ୍ୟାଚ୍ ଅନୁଷ୍ଠିତ ହେଉଛି। ଆଜିର ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ, ରଗ୍ବୀ ଇଣ୍ଡିଆର ସେକ୍ରେଟାରୀ ଗେରାଲ୍ଡ ପ୍ରଭୁ ପ୍ରମୁଖ ଉପସ୍ଥିତ ଥିଲେ।
କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଏସିଆ ରଗ୍ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ ଓଡ଼ିଶାରେ ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଦୀର୍ଘ ୮ ବର୍ଷ ପରେ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରୀୟ ରଗ୍ବୀ ଚାମ୍ପିୟନସିପ୍ ଅନୁଷ୍ଠିତ ହେଉଛି। ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପ୍ରେ ୧୦ ଟି ଦେଶର ୧୭ଟି ଟିମ୍ (୧୦ ଟି ପୁରୁଷ ଟିମ୍ ଓ ୭ଟି ମହିଳା ଟିମ୍) ଅଂଶଗ୍ରହଣ କରିଛନ୍ତି। ଭାରତ ପୁରୁଷ ଟିମ୍ରେ ୫ଜଣ ଓଡ଼ିଆ କ୍ରୀଡ଼ାବିତ୍ ଓ ମହିଳା ଟିମ୍ରେ ୩ଜଣ ଓଡ଼ିଆ କ୍ରୀଡ଼ାବିତ୍ ସ୍ଥାନ ପାଇଛନ୍ତି। ସମସ୍ତ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
ଓଡ଼ିଶାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ ନିଶ୍ଚିତ ଭାବେ ଆମ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ନିଜର ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ଭାରତୀୟ ରଗ୍ବୀ ଫୁଟବଲ୍ ୟୁନିୟନ୍ର ସଭାପତି ରାହୁଲ ବୋଷ କହିଛନ୍ତି ଯେ, ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମରେ ୩ଟି ଜାତୀୟ ସ୍ତରୀୟ ରଗ୍ବୀ ଚାମ୍ପିୟନସିପ୍ (ସବ୍-ଜୁନିୟର ନ୍ୟାସନାଲ ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍, ଅସ୍ମିତା ରଗ୍ବୀ ଲିଗ୍-ନ୍ୟାସନାଲ ଏବଂ ନ୍ୟାସନାଲ ରଗ୍ବୀ ୧୫ ଏସ୍ ଚାମ୍ପିୟନସିପ୍- ଡିଭିଜନ୍ ୧) ଅନୁଷ୍ଠିତ ହୋଇଛି। ଏହାପରେ ଅନ୍ତର୍ଜାତୀୟ ସ୍ତରୀୟ ଚାମ୍ପିୟନସିପ୍ ଏସିଆ ରଗ୍ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜନ ହେବା ଅତ୍ୟନ୍ତ ଆନନ୍ଦର ବିଷୟ। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରି ଓଡ଼ିଶା ବିଶ୍ୱ କ୍ରୀଡ଼ା ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି।
ରଗ୍ବୀର ବିକାଶ ପାଇଁ ଓଡ଼ିଶା ସରକାର ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ନିରନ୍ତର ଭାବେ ସହଯୋଗ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ରାହୁଲ ବୋଷ ମତପ୍ରକାଶ କରିଛନ୍ତି।
