Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଶକ୍ତିଶାଳୀ ବାତ୍ୟା! ଓଡ଼ିଶା ପାଇଁ IMDର ସତର୍କ ସୂଚନା, ୧୯ ଓ ୨୧ ନଭେମ୍ବରରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବାରୁ ଓଡ଼ିଶା ସମେତ ଦେଶର ଚାରିଟି ଉପକୂଳବର୍ତ୍ତୀ ରାଜ୍ୟକୁ ବର୍ଷା ଆଶଙ୍କା ଘାରିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୧୬ ସୋମବାର ସନ୍ଧ୍ୟା ସୁଦ୍ଧା ଏହି ଗଭୀର ଅବପାତ ବାତ୍ୟାର ରୂପ ନେଇପାରେ। ଏହା ପରେ ନଭେମ୍ବର ୧୭ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଅଧିକ ଶକ୍ତିଶାଳୀ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି।
ଏହି ପାଣିପାଗ ପ୍ରଣାଳୀ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇପାରେ।
ଓଡ଼ିଶା ପାଇଁ କେତେ ବିପଦ?
ଓଡ଼ିଶା ପାଇଁ IMDର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୧୮ ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ନଭେମ୍ବର ୧୯ ଓ ୨୧ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ। ରାସ୍ତାଘାଟରେ ପାଣି ଜମିବା ସହ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ପରିମାଣର ବର୍ଷା ହେବ, ସେନେଇ ଜିଲ୍ଲାୱାରୀ ସତର୍କତା ଓ ପରବର୍ତ୍ତୀ ବୁଲେଟିନ୍ ଉପରେ ନଜର ରହିବ।
ଆନ୍ଧ୍ରପ୍ରଦେଶ ଉପକୂଳରେ ଏହି ବାତ୍ୟାର ପ୍ରଭାବ ଅଧିକ ରହିପାରେ। ନଭେମ୍ବର ୧୮ରେ ଉପକୂଳବର୍ତ୍ତୀ ଅଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ନଭେମ୍ବର ୧୯ ଓ ୨୦ରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ୨୧ ସେଣ୍ଟିମିଟରରୁ ଅଧିକ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି।
ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ କାରାଇକାଲରେ ନଭେମ୍ବର ୧୭ ଓ ୨୦ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାସହ ୧୮ ଓ ୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର ଅଶାନ୍ତ ରହିବା ନେଇ IMD ସତର୍କ କରିଛି। ନଭେମ୍ବର ୨୦ ଯାଏଁ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର ବିଭିନ୍ନ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିପାରେ। ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ନିକଟ ସମୁଦ୍ରରେ ନଭେମ୍ବର ୧୭ ଯାଏଁ ମାଛ ଧରିବାକୁ ବାରଣ। କରଯାଇଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ନଭେମ୍ବର ୧୭ ଯାଏଁ ମାଛ ଧରିବା ମନା। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ନଭେମ୍ବର ୧୬ରୁ ୧୯ ଯାଏଁ ମାଛ ଧରିବା ମନା। କେନ୍ଦ୍ରୀୟ ବଙ୍ଗୋପସାଗରରେ ନଭେମ୍ବର ୧୬ରୁ ୨୦ ଯାଏଁ ମାଛ ଧରିବା ମନା। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ନଭେମ୍ବର ୧୯ ଓ ୨୦ରେ ମାଛ ଧରିବାକୁ ବାରଣ କରାଯାଇଛି। ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ ଏବଂ ସମୁଦ୍ରରେ ଥିବା ଡଙ୍ଗାଗୁଡ଼ିକ ସୁରକ୍ଷିତ ସ୍ଥାନକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଗଭୀର ଅବପାତର ଗତିପଥ ଓ ତୀବ୍ରତା ଉପରେ IMD ନଜର ରଖିଛି। ଓଡ଼ିଶାବାସୀଙ୍କୁ ପାଣିପାଗ ବିଭାଗର ନିୟମିତ ସୂଚନା ଓ ସ୍ଥାନୀୟ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି।
