କୋଲକାତା: ଆଇପିଏଲ ୨୦୨୭ ରିଟେନସନ୍ ଡେଡଲାଇନ୍ (ନଭେମ୍ବର ୧୭) ପୂର୍ବରୁ ଷ୍ଟାର୍ ଓପନର୍ ଯଶସ୍ୱୀ ଜୟସୱାଲଙ୍କ ଟ୍ରେଡ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନ ରୟାଲ୍ସ ସହ ତାଙ୍କର ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହ ଦେଖାଇଛନ୍ତି । ରିପୋର୍ଟ ଅନୁଯାୟୀ, କେକେଆର ଏବଂ ଲକ୍ଷ୍ନୌ ଯଶସ୍ୱୀ ଜୟସୱାଲଙ୍କୁ ଦଳର ଅଧିନାୟକ ପଦ ଦେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଦୌଡ଼ରେ କେକେଆର ସାମାନ୍ୟ ଆଗରେ ଥିବା କୁହାଯାଉଛି । ରାଜସ୍ଥାନ ରୟାଲ୍ସ ସହ ଡିଲ୍ କରିବା ପାଇଁ କେକେଆର ପାଖରେ କ୍ୟାମେରନ୍ ଗ୍ରୀନ୍, ରମଣଦୀପ ସିଂ ଏବଂ କାର୍ତ୍ତିକ ତ୍ୟାଗୀଙ୍କ ଭଳି ବଡ଼ ଖେଳାଳିଙ୍କ ବିକଳ୍ପ ରହିଛି । ୨୦୨୫ରେ ଉପ-ଅଧିନାୟକ ପଦ ନମିଳିବା ଏବଂ ଦଳରେ ବୈଭବ ସୂର୍ୟ୍ୟବଂଶୀ ଓ ଲୁଆନ୍-ଡ୍ରେ ପ୍ରିଟୋରିୟସ୍ଙ୍କ ଭଳି ଯୁବ ବାମହାତୀ ଓପନରଙ୍କ ଉପସ୍ଥିତି ଯୋଗୁଁ ରାଜସ୍ଥାନରେ ଜୟସୱାଲଙ୍କ ସ୍ଥିତି ପୂର୍ବଭଳି ସହଜ ନଥିବା ଚର୍ଚ୍ଚା ହେଉଛି ।
ନଭେମ୍ବର ୧୭ ରିଟେନସନ୍ ଏବଂ ଡିସେମ୍ବର ୧୬ (ଗୋଆ) ମିନି-ଅକ୍ସନ୍ ପୂର୍ବରୁ ଏପର୍ୟ୍ୟନ୍ତ ୪ଟି ଟ୍ରେଡ୍ ସମ୍ପୂର୍ଣ୍ଣ ହୋଇଛି—ଯେଉଁଥିରେ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସକୁ (୧୫ କୋଟି) ଫେରିଥିବା ବେଳେ କୁଲଦୀପ ଯାଦବ ଲକ୍ଷ୍ନୌ ଯାଇଛନ୍ତି, ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ (୧୮ କୋଟି) ଓ ଅର୍ଶଦୀପ ସିଂ ମୁମ୍ବାଇ ଇଣ୍ଡିଆନ୍ସକୁ (୧୮ କୋଟି) ଯାଇଛନ୍ତି । ତେବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇ ନାହିଁ । ଆସନ୍ତାକାଲି ନଭେମ୍ବର ୧୭ ରିଟେନସନ୍ ଡେଡଲାଇନ୍ ଥିବାରୁ ଜୟସୱାଲଙ୍କ ଭବିଷ୍ୟତ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ।
