Latest Odisha News

BREAKING NEWS

Jatayu Earth’s Centre: ରାମାୟଣ ସିନେମାର ହିଟ୍ ଭିତରେ ଚର୍ଚ୍ଚାରେ ବିଶାଳ ଜଟାୟୁ ମୂର୍ତ୍ତି! ଯାଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ…

ମୁମ୍ବାଇ: ବଲିଉଡ୍‌ର ନୂଆ ଫିଲ୍ମ ‘ରାମାୟଣ’କୁ ନେଇ ଚର୍ଚ୍ଚା ବଢ଼ିବା ସହ ଏବେ କେରଳର ଜଟାୟୁ ଆର୍ଥସ୍ ସେଣ୍ଟର ମଧ୍ୟ ଚର୍ଚ୍ଚାକୁ ଆସିଛି। ଏଠାରେ ଥିବା ବିଶ୍ୱର ସବୁଠାରୁ ବଡ଼ ପକ୍ଷୀ ମୂର୍ତ୍ତିକୁ ଦେଖିବାକୁ ଖୁବ୍‌ଶୀଘ୍ର ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏହି ସମ୍ଭାବ୍ୟ ଗସ୍ତ ସମ୍ପର୍କରେ ସଙ୍କେତ ଦେଇଛନ୍ତି।

ସୁରେଶ ଗୋପୀଙ୍କ କହିବା ଅନୁସାରେ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରଥମେ ଏହି ସ୍ଥାନ ପରିଦର୍ଶନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ହୋଇପାରେ। ଦୁଇ ଦିନ ପୂର୍ବରୁ ଶେଖାୱତ ଜଟାୟୁ ଆର୍ଥସ୍ ସେଣ୍ଟରର ନିର୍ମାତା ରାଜୀବ ଆଞ୍ଚଲଙ୍କୁ ଭେଟିଥିଲେ। ଦିଲ୍ଲୀ ବିଏନାଲେରେ ଜଟାୟୁଙ୍କ ମୂର୍ତ୍ତିକୁ ସ୍ଥାନ ଦେବାକୁ ସେ ଆଗ୍ରହ ପ୍ରକାଶ କରିଥିବା ବେଳେ ଏହି ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ନଜରକୁ ମଧ୍ୟ ଅଣାଯାଇଛି।

କେରଳର କୋଲ୍ଲମ ଜିଲ୍ଲା ଚଡ଼ୟମଙ୍ଗଳମ୍ ଗାଁରେ ରହିଛି ଏହି ଜଟାୟୁ ନେଚର ପାର୍କ। ପ୍ରାୟ ୬୫ ଏକର ଜମିରେ ପରିବ୍ୟାପ୍ତ ଏହି ପାର୍କର ମୁଖ୍ୟ ଆକର୍ଷଣ ହେଉଛି ଜଟାୟୁଙ୍କ ବିଶାଳ ମୂର୍ତ୍ତି। ଏହାର ଲମ୍ବ ୨୦୦ ଫୁଟ୍‌, ପ୍ରସ୍ଥ ୧୫୦ ଫୁଟ୍‌ ଏବଂ ଉଚ୍ଚତା ୭୦ ଫୁଟ୍‌। ଏହାକୁ ବିଶ୍ୱର ସବୁଠାରୁ ବଡ଼ ପକ୍ଷୀ ମୂର୍ତ୍ତି ଭାବେ ଗଣାଯାଏ। ଏହି ପାର୍କ ନିର୍ମାଣ କରିବାକୁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା। ୨୦୦୪ ମସିହାରେ ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ଚଳଚ୍ଚିତ୍ର ନିର୍ମାତା ତଥା ଭାସ୍କର୍ଯ୍ୟ ଶିଳ୍ପୀ ରାଜୀବ ଆଞ୍ଚଲ ଏହାର ପରିକଳ୍ପନା, ଡିଜାଇନ୍ ଓ ନିର୍ମାଣ କରିଥିଲେ।

ରାମାୟଣର କଥା ଅନୁସାରେ, ରାବଣ ସୀତାଙ୍କୁ ହରଣ କରି ନେଉଥିବା ସମୟରେ ଜଟାୟୁ ତାଙ୍କୁ ଅଟକାଇବା ପାଇଁ ଯୁଦ୍ଧ କରିଥିଲେ। ରାବଣଙ୍କ ସହ ଲଢ଼େଇରେ ପରାଜିତ ହୋଇ ଜଟାୟୁ ଚଡ଼ୟମଙ୍ଗଳମ୍‌ର ଏକ ପାହାଡ଼ ଶିଖରରେ ପଡ଼ିଯାଇଥିଲେ। କୁହାଯାଏ, ସେହି ସ୍ଥାନରେ ହିଁ ଜଟାୟୁ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କୁ ସୀତାଙ୍କ ଅପହରଣ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପୌରାଣିକ କାହାଣୀ ସହ ଜଡ଼ିତ ହୋଇଥିବାରୁ ଏହି ସ୍ଥାନର ଧାର୍ମିକ ଓ ପର୍ଯ୍ୟଟନ ଗୁରୁତ୍ୱ ରହିଛି।

କେମିତି ପହଞ୍ଚିବେ ଜଟାୟୁ ଆର୍ଥସ୍ ସେଣ୍ଟର?

ବିମାନରେ ଯିବାକୁ ଚାହୁଁଥିଲେ ନିକଟତମ ବିମାନବନ୍ଦର ହେଉଛି ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦର। ସେଠାରୁ ଜଟାୟୁ ଆର୍ଥସ୍ ସେଣ୍ଟରର ଦୂରତା ପ୍ରାୟ ୫୦ରୁ ୫୫ କିଲୋମିଟର। ଟ୍ରେନ୍‌ରେ ଗଲେ କୋଲ୍ଲମ୍ ଜଙ୍କସନ୍ ନିକଟତମ ପ୍ରମୁଖ ରେଳଷ୍ଟେସନ୍। ସେଠାରୁ ଏହି ସ୍ଥାନ ପ୍ରାୟ ୩୭ କିଲୋମିଟର ଦୂର। ଉଭୟ ସ୍ଥାନରୁ ଟ୍ୟାକ୍ସି ଓ ବସ୍‌ରେ ଯାତାୟାତ ସୁବିଧା ରହିଛି। ସଡ଼କ ପଥରେ ଥିରୁବନନ୍ତପୁରମ୍‌ରୁ ପ୍ରାୟ ୫୦ରୁ ୫୫ କିଲୋମିଟର, କୋଲ୍ଲମ୍‌ରୁ ୩୭ କିଲୋମିଟର ଏବଂ କୋଚିରୁ ପ୍ରାୟ ୧୫୦ରୁ ୧୬୦ କିଲୋମିଟର ଯାତ୍ରା କରି ଏଠାରେ ପହଞ୍ଚିହେବ।

Leave A Reply

Your email address will not be published.