Cyclone Akvan: ଧିରେ ଧିରେ ଦୁର୍ବଳ ହେଉଛି ‘ଅକଭାନ୍’; ବାତ୍ୟା, ଭୀଷଣ ବାତ୍ୟା ଓ ମହାବାତ୍ୟା ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ? ଜାଣନ୍ତୁ IMDର ୭ଟି ସ୍ତର…
ନୂଆଦିଲ୍ଲୀ: ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ଅକଭାନ୍ । ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍’ ଶୁକ୍ରବାର ସକାଳେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ବିଶେଷ ପ୍ରଭାବ ପକାଇଛି। ହାଲକା ପବନ ସାଙ୍ଗକୁ ଜାରି ରହିଛି ବର୍ଷା । ନଭେମ୍ବର ୨୦ ତାରିଖରେ ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ସ୍ଥଳଭାଗ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହାକୁ ନେଇ ଓଡ଼ିଶାରେ ପ୍ରବଳ ବର୍ଷା ଓ ଜୋର୍ ପବନ ପାଇଁ ସତର୍କତା ଜାରି ହୋଇଥିଲା।
ତେବେ ଅକଭାନ୍କୁ ନେଇ ଖବରରେ କେଉଁଠି ଚକ୍ରବାତ, କେଉଁଠି ବାତ୍ୟା ତ ଆଉ କେଉଁଠି ଭୀଷଣ ସାମୁଦ୍ରିକ ଝଡ଼ ଭଳି ଶବ୍ଦ ବ୍ୟବହାର ହେଉଛି। ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ, ସାମୁଦ୍ରିକ ଝଡ ଓ ବାତ୍ୟା କ’ଣ ଅଲଗା? ଅକଭାନ୍ କ’ଣ ସୁପର ସାଇକ୍ଲୋନ୍ ବା ମହାବାତ୍ୟା? ଆଉ ଏହି ସବୁ ଶ୍ରେଣୀ କେମିତି ନିର୍ଦ୍ଧାରଣ କରାଯାଏ?
ପ୍ରଥମେ ଜାଣି ରଖନ୍ତୁ, ଚକ୍ରବାତ ହେଉଛି ଏକ ସମ୍ପୂର୍ଣ୍ଣ ପାଣିପାଗ ପ୍ରଣାଳୀ। ଉଷ୍ଣ ଜଳରାଶି ଥିବା ସମୁଦ୍ର ଉପରେ ଏହା ସୃଷ୍ଟି ହୁଏ। ଏଥିରେ ଏକ କେନ୍ଦ୍ରୀୟ ନିମ୍ନଚାପ କ୍ଷେତ୍ର ରହିଥାଏ ଏବଂ ଏହାର ଚାରିପଟେ ପବନ ଚକ୍ରାକାରରେ ଘୂରିଥାଏ। ଉତ୍ତର ଗୋଲାର୍ଦ୍ଧରେ ଏହି ପବନ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଘୂରେ। ଅନ୍ୟପଟେ, ସାଧାରଣ କଥାବାର୍ତ୍ତାରେ ଜୋର୍ ପବନ, ବର୍ଷା, ଧୂଳିଝଡ଼ ଭଳି ପାଣିପାଗ ଘଟଣାକୁ ମଧ୍ୟ ତୋଫାନ ବା ଝଡ଼ କୁହାଯାଏ। କିନ୍ତୁ ପାଣିପାଗ ବିଭାଗର ବୈଷୟିକ ଶବ୍ଦାବଳୀରେ ‘ଚକ୍ରବାତୀୟ ଝଡ଼’ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ। ଅର୍ଥାତ୍ ଚକ୍ରବାତ ହେଉଛି ବ୍ୟାପକ ପାଣିପାଗ ପ୍ରଣାଳୀ ଏବଂ ଚକ୍ରବାତୀୟ ଝଡ଼ ହେଉଛି ଏହାର ଏକ ନିର୍ଦ୍ଦିଷ୍ଟ ତୀବ୍ରତା ସ୍ତର।
ଯେତେବେଳେ ଏହି ପ୍ରଣାଳୀରେ ପବନର ବେଗ ଘଣ୍ଟାପ୍ରତି ୬୨ କିଲୋମିଟର ବା ୩୪ ନଟ୍ରେ ପହଞ୍ଚେ, ସେତେବେଳେ ଏହାକୁ ଚକ୍ରବାତୀୟ ଝଡ଼ ଭାବେ ଶ୍ରେଣୀଭୁକ୍ତ କରାଯାଏ।
ପବନର ବେଗ ଆଧାରରେ ଭାରତୀୟ ପାଣିପାଗ ବିଭାଗ ଚକ୍ରବାତର ତୀବ୍ରତାକୁ ମୁଖ୍ୟତଃ ୭ଟି ସ୍ତରରେ ବିଭକ୍ତ କରିଛି। ସେଗୁଡ଼ିକ ହେଲା:
୧. ଲଘୁଚାପ କ୍ଷେତ୍ର: ପବନର ବେଗ ଘଣ୍ଟାପ୍ରତି ୩୧ କିଲୋମିଟରରୁ କମ୍।
୨. ଅବପାତ (Depression): ପବନର ବେଗ ଘଣ୍ଟାପ୍ରତି ୩୧ରୁ ୪୯ କିଲୋମିଟର।
୩. ଗଭୀର ଅବପାତ (Deep Depression): ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୧ କିଲୋମିଟର।
୪. ଚକ୍ରବାତୀୟ ଝଡ଼ (Cyclonic Storm): ପବନର ବେଗ ଘଣ୍ଟାପ୍ରତି ୬୨ରୁ ୮୮ କିଲୋମିଟର।
୫. ଭୀଷଣ ଚକ୍ରବାତୀୟ ଝଡ଼ (Severe Cyclonic Storm): ପବନର ବେଗ ଘଣ୍ଟାପ୍ରତି ୮୯ରୁ ୧୧୭ କିଲୋମିଟର।
୬. ଅତି ଭୀଷଣ ଚକ୍ରବାତୀୟ ଝଡ଼ (Very Severe Cyclonic Storm): ପବନର ବେଗ ଘଣ୍ଟାପ୍ରତି ୧୧୮ରୁ ୧୬୬ କିଲୋମିଟର।
୭. ମହାବାତ୍ୟା ବା ସୁପର ସାଇକ୍ଲୋନ୍ (Super Cyclonic Storm): ପବନର ବେଗ ଘଣ୍ଟାପ୍ରତି ୨୨୨ କିଲୋମିଟର କିମ୍ବା ତା’ଠାରୁ ଅଧିକ।
ଏହି ପବନର ବେଗକୁ IMD ତିନି ମିନିଟ୍ର ହାରାହାରି ନିରନ୍ତର ପବନ ଆଧାରରେ ମାପିଥାଏ। ତେଣୁ କୌଣସି ସମୟରେ ପବନର ଝଟକା ବେଗ ୯୦ କିଲୋମିଟର ହେବା ଏବଂ ତିନି ମିନିଟ୍ର ହାରାହାରି ବେଗ ୯୦ କିଲୋମିଟର ହେବା ଏକ କଥା ନୁହେଁ।
ଏହାମଧ୍ୟରେ ସୁପର ସାଇକ୍ଲୋନ୍ ହେଉଛି ଉତ୍ତର ଭାରତ ମହାସାଗର ଅଞ୍ଚଳରେ ଚକ୍ରବାତର ସବୁଠାରୁ ଉଚ୍ଚ ତୀବ୍ରତା ଶ୍ରେଣୀ। ଯେତେବେଳେ ତିନି ମିନିଟ୍ର ହାରାହାରି ନିରନ୍ତର ପବନର ବେଗ ୧୨୦ ନଟ୍ ବା ଘଣ୍ଟାପ୍ରତି ୨୨୨ କିଲୋମିଟର କିମ୍ବା ତା’ଠାରୁ ଅଧିକ ହୁଏ, ସେତେବେଳେ ଏହାକୁ ସୁପର ସାଇକ୍ଲୋନ୍ କୁହାଯାଏ।
ଏହି ସ୍ତରରେ ପହଞ୍ଚୁଥିବା ବାତ୍ୟା ସଂଖ୍ୟା ବହୁତ କମ୍। ଓଡ଼ିଶାର ୧୯୯୯ ମସିହାର ମହାବାତ୍ୟା ଏହାର ଏକ ଭୟଙ୍କର ଉଦାହରଣ। ସେହିପରି ଅମ୍ଫାନ୍ ମଧ୍ୟ ସୁପର ସାଇକ୍ଲୋନ୍ ଶ୍ରେଣୀରେ ପହଞ୍ଚିଥିଲା। ତେଣୁ ଘଣ୍ଟାପ୍ରତି ୯୦ କିଲୋମିଟର ପବନ ହେଲେ କୌଣସି ବାତ୍ୟାକୁ ସୁପର ସାଇକ୍ଲୋନ୍ କୁହାଯାଇପାରିବ ନାହିଁ। ଆଉ ଏକ ଶବ୍ଦ ହେଉଛି ‘ସୁପର ଟାଇଫୁନ୍’। ଏହା ଆମେରିକାର ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (JTWC) ବ୍ୟବହାର କରୁଥିବା ଶବ୍ଦ। ଏହା ଭାରତୀୟ ପାଣିପାଗ ବିଭାଗର ଚକ୍ରବାତ ଶ୍ରେଣୀର ଅଂଶ ନୁହେଁ।
ତେବେ ବାତ୍ୟାର ଶ୍ରେଣୀ ଯେତେ କମ୍, ବିପଦ ସେତେ କମ୍ ବୋଲି ଭାବିବା ଭୁଲ୍। କାରଣ କେବଳ ପବନର ବେଗ ଦ୍ୱାରା ବାତ୍ୟାର ସମ୍ପୂର୍ଣ୍ଣ ବିପଦ ଆକଳନ କରାଯାଇପାରେ ନାହିଁ। ପ୍ରବଳ ବର୍ଷା, ଉପକୂଳରେ ସମୁଦ୍ର ଜଳସ୍ତର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବା ଏବଂ ଉଚ୍ଚ ଜୁଆର ମଧ୍ୟ ବଡ଼ ବିପଦ ସୃଷ୍ଟି କରିପାରେ। ବାତ୍ୟା ସମୟରେ ସମୁଦ୍ରର ଜଳସ୍ତର ସାଧାରଣ ଜୁଆରଠାରୁ ଅଧିକ ଉପରକୁ ଉଠି ଉପକୂଳ ଅଞ୍ଚଳକୁ ମାଡ଼ିଆସିବାକୁ ‘ଷ୍ଟର୍ମ ସର୍ଜ୍’ କୁହାଯାଏ। ଏହା ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳମଗ୍ନ ହେବାର ଆଶଙ୍କା ବଢ଼ାଇଥାଏ। ଅକଭାନ୍ର ପ୍ରଭାବକୁ ନେଇ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସମେତ ଓଡ଼ିଶାର ଅନେକ ଜିଲ୍ଲାରେ ସାଧାରଣ ଜୁଆରଠାରୁ ଅଧିକ ଜଳ ଉପକୂଳକୁ ମାଡ଼ିଆସିବାର ଆଶଙ୍କା ରହିଥିବା ସତର୍କତା ଜାରି ହୋଇଥିଲା।
ତେଣୁ ମନେ ରଖନ୍ତୁ, ବାତ୍ୟାର ଶ୍ରେଣୀ ଏହାର ପବନର ତୀବ୍ରତାକୁ ଦର୍ଶାଏ; କିନ୍ତୁ ବର୍ଷା, ସମୁଦ୍ରର ଜୁଆର ଓ ଅନ୍ୟାନ୍ୟ ପାଣିପାଗ ପରିସ୍ଥିତି ହିଁ ଏହାର ପ୍ରକୃତ ବିପଦକୁ ନିର୍ଦ୍ଧାରଣ କରେ।
