ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ବନ୍ୟା ସ୍ଥିତି ନାହିଁ ଏବଂ ଆଗକୁ ମଧ୍ୟ ବନ୍ୟା ହେବାର ସମ୍ଭାବନା ନାହିଁ । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ବନ୍ୟା ଆଶଙ୍କାକୁ ନେଇ ବଡ଼ ଆଶ୍ୱସ୍ତିକର ଖବର ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନାନୁସାରେ,ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୬୧ ମିଲିମିଟର ବର୍ଷା ହୋଇଛି। ବର୍ଷା ଯୋଗୁଁ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ନଦୀଗୁଡ଼ିକର ଜଳସ୍ତର ଆହୁରି କିଛିଟା ବଢ଼ିପାରେ। ତେବେ କୌଣସି ନଦୀର ଜଳସ୍ତର ବିପଦ ସଙ୍କେତ ଉପରକୁ ଯିବ ନାହିଁ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଏଥିସହ ଜଳଭଣ୍ଡାର ସ୍ଥିତି ସମ୍ପର୍କରେ ସୂଚନା ଦେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଡ୍ୟାମ୍ଗୁଡ଼ିକରୁ ପ୍ରାୟ ୫୦ ପ୍ରତିଶତ ଜଳ ଖାଲି କରାଯାଇଥିଲା। ବର୍ତ୍ତମାନ ରାଜ୍ୟର ସମସ୍ତ ଡ୍ୟାମ୍ ବନ୍ଦ ରହିଛି ଏବଂ କୌଣସି ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଉନାହିଁ ବରଂ ବର୍ଷା ଜଳକୁ ସଂରକ୍ଷିତ କରି ରଖାଯାଉଛି।
ସୂଚନାମୁତାବକ, ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟା ଆକଭାନ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା । ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା । ଆହୁରି ୨୪ ଘଣ୍ଟା ରାଜ୍ୟରେ ବର୍ଷା ସମ୍ଭାବନା ଥିବାରୁ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଢେଙ୍କାନାଳ ।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ପବନର ବେଗ ହ୍ରାସ ପାଇ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୭୫ କିଲୋମିଟର ରହିଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ସହ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।
ଅନ୍ୟପଟେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି ଯେ, ଉପର ମୁଣ୍ଡରେ ସେଭଳି ପ୍ରବଳ ବର୍ଷା ହୋଇନଥିବାରୁ ନଦୀଗୁଡ଼ିକରେ ବନ୍ୟା ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ। ଯଦି ଝାରଖଣ୍ଡରେ ବର୍ଷା ହୁଏ, ତେବେ ମଧ୍ୟ ସେହି ପାଣି ଓଡ଼ିଶାରେ ପହଞ୍ଚିବାକୁ ପ୍ରାୟ ୩ ଦିନ ସମୟ ଲାଗିବ, ଯାହାଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ। ସମଗ୍ର ସ୍ଥିତି ଉପରେ ଜଳସମ୍ପଦ ବିଭାଗର ଇଞ୍ଜିନିୟର ଓ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିବା ସହ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ।
