ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ (DG) ଡଃ ମୃତ୍ୟୁଞ୍ଜୟ ମହାପାତ୍ର। ଗତ ଗୁରୁବାର ଦିନ ଜାରି କରାଯାଇଥିବା ୧୫ ଦିନିଆ ଆଗୁଆ ପାଣିପାଗ ଆକଳନରୁ ଏହି ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସଙ୍କେତ ମିଳିଛି।
ବର୍ତ୍ତମାନ ସୁଦ୍ଧା ଏହି ସମ୍ଭାବ୍ୟ ଘୂର୍ଣ୍ଣିବଳୟର ସଠିକ୍ ସ୍ଥିତି, ତୀବ୍ରତା କିମ୍ବା ଏହା ବାତ୍ୟାର ରୂପ ନେବ କି ନାହିଁ, ସେନେଇ IMD ପକ୍ଷରୁ କୌଣସି ସ୍ପଷ୍ଟ ରୂପରେଖ ଜାରି କରାଯାଇ ନାହିଁ। IMD ଡିଜି ସ୍ପଷ୍ଟ କରିଛନ୍ତି ଯେ ସାଧାରଣତଃ ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସରେ ବଙ୍ଗୋପସାଗରରେ ପ୍ରାୟ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ, ଯେଉଁଥିରୁ ଏଯାବତ୍ ୩ଟି ସିଷ୍ଟମ୍ ଦେଖିବାକୁ ମିଳିଛି। ୧୯୮୭ ମସିହା ପରେ ଏଭଳି ସ୍ଥିତି ସାମ୍ନା କରିବାକୁ ପଡ଼ିଥିବା ସେ ଉଲ୍ଲେଖ କରିଛନ୍ତି। ଏହା ପଛରେ ଷ୍ଟ୍ରଙ୍ଗ୍ ଏଲ୍ନିନୋର ପ୍ରଭାବ ରହିଥାଇପାରେ ବୋଲି ମଧ୍ୟ ମତ ରଖିଛନ୍ତି IMD ଡିଜି। ଏଲ୍ନିନୋ ଯୋଗୁଁ ବାୟୁମଣ୍ଡଳୀୟ ଓ ସମୁଦ୍ର ପରିସ୍ଥିତିରେ ପରିବର୍ତ୍ତନ ଆସିଥାଏ, ଯାହା ପାଣିପାଗର ଗତିବିଧିକୁ ପ୍ରଭାବିତ କରିପାରେ।
ବର୍ତ୍ତମାନ ସାମ୍ପ୍ରତିକ ବାତ୍ୟା ‘ଅକୱାନ୍’ (Akvan) ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି। ଆଗାମୀ ଦିନରେ ଏହି ନୂଆ ଘୂର୍ଣ୍ଣିବଳୟର ଗତିବିଧି ଉପରେ ପାଣିପାଗ ବିଭାଗ କଡ଼ା ନଜର ରଖିଛି ଏବଂ ସ୍ଥିତି ସ୍ପଷ୍ଟ ହେଲେ ଏହାର ପ୍ରଭାବ ସମ୍ପର୍କରେ ସୂଚନା ଦିଆଯିବ। ଏହି ଖବର ପରେ ବଙ୍ଗୋପସାଗରରେ ପୁଣି ବାତ୍ୟା ସୃଷ୍ଟି ହେବ କି ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଦିନରେ ପାଣିପାଗ ବିଭାଗର ନୂଆ ଆକଳନ ଉପରେ ନଜର ରହିବ। ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ମାତ୍ରେ ତାହା ବାତ୍ୟାର ରୂପ ନେବ ବୋଲି କହିହେବ ନାହିଁ। ଏଥିପାଇଁ ଏବେଠାରୁ ଆତଙ୍କିତ ନହୋଇ ପାଣିପାଗ ସୂଚନା ଉପରେ ଭରସା କରିବା ଜରୁରୀ ବୋଲି କୁହାଯାଇଛି।
