ଭୁବନେଶ୍ୱର: ଓଡିଶା ଉପରୁ ଟଳିଛି ବାତ୍ୟା ଭୟ, ଏବେ ସ୍ୱାଭାବିକ ସ୍ଥିତି । ବାତ୍ୟା ଅକ୍ୱାନକୁ ନେଇ କରାଯାଇଥିବା ଆକଳନ ଅନୁଯାୟୀ ପ୍ରଭାବ କମ୍ ରହିଲା । ଏବେ ଏହା ଏକ ଲଘୁଚାପରେ ପରିଣତ ହୋଇଛି । ତଥାପି ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିଲେ । ପ୍ରଥମରୁ ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହେବାର ଖବର ଥିଲା ପରେ ପରେ ଗତିପଥ ବଦଳାଇ ଓଡିଆ ମୁହାଁ ହୋଇଥିଲା । ତେଣୁ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ବ୍ୟାପକ ପଦକ୍ଷେପ ନେଇଥିଲେ ସରକାର । ଗଂଜାମ, ଗଜପତି, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଏବଂ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ମାତ୍ର ୨୪ ଘଂଟାରେ ବିରାଟ ମାତ୍ରାରେ ଲୋକଙ୍କୁୁ ସୁରକ୍ଷିତ ସ୍ଥାନାନ୍ତର କରିବା ଏକ ବଡ ଆହ୍ୱାନ ଥିଲା । ସମସ୍ତ ବିଭାଗର ମିଳିତ ପ୍ରୟାସରେ ଏହାକୁ ସଫଳ ରୂପାୟନ ଦିଆଯାଇଛି ବୋଲି କହିଛନ୍ତି ଏସଆରସି । ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଦଳଗତ ଭାବନାରେ ନିୟମିତ ବାତ୍ୟା ମୁକାବିଲାର ସମୀକ୍ଷା କରିଥିଲେ ।
ସେପଟେ ବାତ୍ୟା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲେ ବି କୌଣସି ସ୍ଥାନରେ ଚିନ୍ତାଜନକ ସ୍ଥିତି ନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍ । କଟକ ଜିଲ୍ଲାରେ ହାରାହାରି ୫୩.୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦ୍ରାପଡାରେ ୫୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଖୋର୍ଦ୍ଧାରେ ୩୦.୭, ପୁରୀରେ ୨୪.୪ ଓ ଗଂଜାମରେ ୨୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । କେଉଁଠାରେ ଫସଲ ନଷ୍ଟ ହୋଇଛି ତାର ଆକଳନ ଚାଲିଛି, ସରକାରୀ ନିୟମ ଅନୁସାରେ ସହାୟତା ଦିଆଯିବ । ଭୂସ୍ଖଳନ ଓ ବାତ୍ୟା ମୁକାବିଲା କରିବାକୁ ସରକାର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁଥିବା କହିଛନ୍ତି ଏସଆରସି ।
