ମୁମ୍ବାଇର ଏକ ପାର୍କରେ ଯୁବକ-ଯୁବତୀଙ୍କୁ ମାଡ: ଠେଲାପେଲା, ମୁଥ, କାଠ ଫାଳିଆରେ ମାଡ ଭିଡିଓ ଭାଇରାଲ, ମାମଲା ରୁଜୁ କଲା ପୋଲିସ …
ମୁମ୍ବାଇ: ପାର୍କରେ ଯୁବ ଦମ୍ପତ୍ତିଙ୍କୁ ନିର୍ଦ୍ଧୁମ ମାଡ । ପ୍ରେମୀ ଯୁଗଳଙ୍କୁ କାଠଫାଳିଆରେ ପିଟିଲେ କିଛି ଛାତ୍ର । ଉଭୟଙ୍କୁ ଘେରିପକାଇ କିଏ ଦେଉଛି ମୁଥ, କିଏ ପୁଣି ଠେଲି ଦେଉଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର କୁର୍ଲା ଅଂଚଳରେ ଥିବା ଏକ ସର୍ବସାଧାରଣ ପାର୍କରେ । ଦିନ ଦିପହରେ ୮ରୁ ୧୦ଜଣ ଛାତ୍ର ଜଣେ ଯୁବକ ଯୁବତୀଙ୍କୁ ଆକ୍ରମଣ କରିବା ସହ କାଠ ଫାଳିଆରେ ପିଟିଥିବା ନେଇ ଅଭିଯୋଗ ହୋଇଛି । ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣା କୁର୍ଲା ପଶ୍ଚିମ ସ୍ଥିତ ଫିନିକ୍ସ ମଲ୍ ପଛରେ ଥିବା ପ୍ରମୋଦ ମହାଜନ ଗାର୍ଡେନରେ ଘଟିଥିବା ସୂଚନା ମିଲିଛି । ଭିଡିଓରେ ୮ରୁ ୧୦ଜଣ ନାବାଳକ ଜଣେ ଯୁବକ ଯୁବତୀଙ୍କ ସହ ପାର୍କରେ ପ୍ରଥମେ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା । ତାପରେ ବିବାଦ ହିଂସାତ୍ମକ ରୂପ ନେଇଥିଲା । ପିଲା ଉଭୟଙ୍କୁ ଘେରି ଯାଇ ରାସ୍ତା ଛାଡିଦେଇନଥିଲେ । କିଛି ଛାତ୍ର ଦୁଇଜଣଙ୍କୁ କାଠ ଫାଳିଆରେ ପିଟିବା ଆରମ୍ଭ କରିଦେଇଥିଲେ । ପରେ ସମ୍ପୃକ୍ତ ଯୁବକଙ୍କୁ ମୁଥ ମାରିଥିବାର ମଧ୍ୟ ଦେଖିବାକୁ ମିଳିଛି । ଯୁବକଙ୍କ ସହ ଥିବା ଯୁବତୀ ଜଣଙ୍କ ମଝିରେ ପଶି ଆକ୍ରମଣକୁ ରୋକିବାକୁ ଚେଷ୍ଟା କରିଥିଲେ ହେଲେ ସେ ମଧ୍ୟ ମାଡ ଖାଇଥିବା ଦେଖିବାକୁ ମିଳିଥିଲା । ପରେ ଉଭୟ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।
ଭାଇରାଲ ଭିଡିଓ ଆଧାରରେ ପୋଲିସ ଏହି ଆକ୍ରମଣରେ ସମ୍ପୃକ୍ତ ୮ ନାବାଳକଙ୍କୁ ଚିହ୍ନଟ କରିଛି । ଅଧିକାରୀଙ୍କ ସୂଚନା ଅନୁସାରେ, ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାଅଧୀନରେ ମାମଲା ରୁଜୁ କରାଯାଇଛି । ପୋଲିସ ଅନୁସାରେ ଅଭିଯୁକ୍ତମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପିଲାଙ୍କ ପିତାମାତାଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିବା ପୋଲିସ ସୂଚନା ଦେଇଛି । ବିଜେପି ନେତା କିରିଟ ସୋମୈୟା ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଏବଂ ଏହାକୁ ମୁସଲିମ ଗୁଣ୍ଡାଗର୍ଦ୍ଦି ବୋଲି ଆଖ୍ୟା ଦେଇଛନ୍ତି । ଅନ୍ୟପଟେ ମୁମ୍ବାଇ ପୋଲିସ ଚେତାବନୀ ଦେଇଛି, ଯେ ସର୍ବସାଧାରଣ ସ୍ଥାନରେ ଚାଲୁଥିବା ନାଗରିକଙ୍କୁ ହଇରାଣ କରୁଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଛଡାଯିବନାହିଁ । ତେବେ କାହିଁକି ପିଲାମାନେ ଏତେ ଉତ୍ୟକ୍ତ ହେଲେ କାହିଁକି ଯୁବକ -ଯୁବତୀଙ୍କୁ ଆକ୍ରମଣ କଲେ ତାର କାରଣ ଅସ୍ପଷ୍ଟ ରହିଛି ।
