Latest Odisha News

BREAKING NEWS

ସୂର‌୍ୟ୍ୟକୁମାରଙ୍କ ପାଇଁ ଟିମ୍ ଇଣ୍ଡିଆର ରାସ୍ତା ହୋଇଗଲା କି ବନ୍ଦ !

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଦଳର ପୂର୍ବତନ ଅଧିନାୟକ ତଥା ବିସ୍ଫୋରକ ବ୍ୟାଟର ସୂର‌୍ୟ୍ୟକୁମାର ଯାଦବଙ୍କ ପାଇଁ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବା ଏବେ ଅସମ୍ଭବ ମନେହେଉଛି । ନ୍ୟୁଜ୍ ଏଜେନ୍ସି ଏଏନଆଇର ଏକ ରିପୋର୍ଟ ଅନୁଯାୟୀ, ସୂର‌୍ୟ୍ୟକୁମାର ଏବେ ବିସିସିଆଇର ସିଲେକ୍ସନ୍ ପ୍ଲାନର ଅଂଶ ନାହାନ୍ତି । ଦଳରେ ଯୁବ ଖେଳାଳିଙ୍କ ପ୍ରବଳ ପ୍ରତିଯୋଗିତା ଏବଂ ଟିମ୍ କମ୍ବିନେସନରେ ସ୍ଥାନ ନଥିବାରୁ ତାଙ୍କୁ ଅଣଦେଖା କରାଯାଉଥିବା କୁହାଯାଉଛି । ବିସିସିଆଇର ଜଣେ ସୂତ୍ରଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଦଳରେ ଯୁବ ବ୍ୟାଟର ଯଶସ୍ୱୀ ଜୈସୱାଲଙ୍କ ଭଳି ଖେଳାଳିଙ୍କ ପାଇଁ ମଧ୍ୟ ସ୍ଥାନ ବାହାରି ପାରୁନାହିଁ । ଏଭଳି ସ୍ଥିତିରେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ସୂର‌୍ୟ୍ୟକୁମାରଙ୍କୁ ଦଳରେ ସାମିଲ କରିବା ସମ୍ଭବ ନୁହେଁ ।  ସୂଚନାଯୋଗ୍ୟ ଯେ, ସୂର‌୍ୟ୍ୟକୁମାର ୨୦୨୬ ଟି୨୦ ବିଶ୍ୱକପ୍ ଫାଇନାଲରେ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ ଟ୍ରଫି ହାତେଇଥିଲା । ତେବେ ବିଶ୍ୱକପ୍ ଜିତାଇବାର କିଛି ମାସ ପରେ ଅର୍ଥାତ୍ ଜୁନ୍ ୨୦୨୬ରେ ତାଙ୍କୁ ଅଧିନାୟକ ପଦରୁ ହଟାଇ ଶ୍ରେୟାଶ ଆୟରଙ୍କୁ ଟି୨୦ ଦଳର ନୂଆ ଅଧିନାୟକ କରାଯାଇଥିଲା ଏବଂ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରୁ ତାଙ୍କୁ ବାଦ୍ ଦିଆଯାଇଥିଲା ।

ଜାତୀୟ ଦଳରୁ ବାଦ୍ ପଡ଼ିବା ପରେ ମଧ୍ୟ ସୂର‌୍ୟ୍ୟକୁମାର ଘରୋଇ କ୍ରିକେଟରେ ନିଜର ଦମ୍ ଦେଖାଇ ଚାଲିଛନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫି ୨୦୨୬-୨୭ରେ ମୁମ୍ବାଇର ଅଧିନାୟକତ୍ୱ କରୁଥିବା ସୂର‌୍ୟ୍ୟକୁମାର ଲଗାତାର ବିସ୍ଫୋରକ ଇନିଂସ ଖେଳିଛନ୍ତି । ନଭେମ୍ବର ୧୪ରେ ହାଇଦ୍ରାବାଦ ବିପକ୍ଷରେ ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିବା ସହ ୨୧ ବଲରୁ ଅପରାଜିତ ୬୦ ରନ୍ (୬ ଚୌକା, ୫ ଛକା) ସଂଗ୍ରହ କରି ମୁମ୍ବାଇକୁ ୭ ୱିକେଟରେ ବିଜୟୀ କରାଇଥିଲେ । ଗୁଜରାଟ ବିପକ୍ଷରେ ୨୯ ବଲରୁ ୯ ଚୌକା ଓ ୭ ଛକା ସହାୟତାରେ ୮୨ ରନର ବିସ୍ଫୋରକ ପାଳି ଖେଳି ୧୯୯ ରନର ଲକ୍ଷ୍ୟକୁ ସହଜରେ ହାସଲ କରାଇଥିଲେ । ସେହିପରି ଗୋଆ ବିପକ୍ଷରେ ମାତ୍ର ୧୨ ବଲରୁ ୩ ଛକା ସହ ୨୫ ରନ୍ କରି ଦଳର ୧୮ ରନ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମିଷ୍ଟର ୩୬୦ ଭାବେ ପରିଚିତ ସୂର‌୍ୟ୍ୟକୁମାର ଯାଦବ ଭାରତ ପାଇଁ ୧୧୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୬.୩୫ ହାରାହାରି ଏବଂ ୧୬୨.୯୮ ଷ୍ଟ୍ରାଇକ୍ ରେଟରେ ୩,୨୭୨ ରନ୍ କରିଛନ୍ତି । ଏଥିରେ ୪ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ସାମିଲ ରହିଛି । ସେ ୨୦୨୨ ଓ ୨୦୨୩ରେ ଆଇସିସି ଟି-୨୦ କ୍ରିକେଟର ଅଫ୍ ଦି ଇୟର ବିବେଚିତ ହେବା ସହ ବିଶ୍ୱର ନମ୍ବର-୧ ଟି୨୦ ବ୍ୟାଟର ମଧ୍ୟ ରହିସାରିଛନ୍ତି ।

Leave A Reply

Your email address will not be published.