Latest Odisha News

BREAKING NEWS

ଆଇପିଏଲ୍ ୨୦୨୭ ଅକ୍ସନ: ରିଲିଜ୍ ହୋଇଥିବା ଏହି ୫ ଜଣ ଧୁରନ୍ଧର ବଦଳାଇ ଦେବେ ଯେକୌଣସି ଟିମ୍‌ର ଭାଗ୍ୟ!

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭  ପୂର୍ବରୁ ଆସନ୍ତା ମାସ ଡିସେମ୍ବର ୧୬ ତାରିଖରେ ଗୋଆଠାରେ ମିନି ଅକ୍ସନ୍ ଅନୁଷ୍ଠିତ ହେବାକୁ ଯାଉଛି ।  ଏଥିପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜର ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ଜାରି କରିସାରିଛନ୍ତି । ତେବେ ଏହି ରିଲିଜ୍ ତାଲିକାରେ ଏପରି କିଛି ବଡ଼ ତଥା ମ୍ୟାଚ୍ ୱିନର୍ ଖେଳାଳି ସାମିଲ ଅଛନ୍ତି, ଯେଉଁମାନଙ୍କୁ କିଣିବା ପାଇଁ ନିଲାମୀରେ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଆସନ୍ତୁ ଜାଣିବା ସେହି ୫ ଜଣ ଧୁରନ୍ଧର ଖେଳାଳିଙ୍କ ବିଷୟରେ, ଯେଉଁମାନେ ନୂଆ ଟିମ୍‌କୁ ଯାଇ ନିଜ କ୍ୟାରିୟରକୁ ନୂଆ ମୋଡ଼ ଦେବା ସହ ଦଳକୁ ଚାମ୍ପିଅନ୍ କରିବାର କ୍ଷମତା ରଖନ୍ତି ।

୧. ମଥିଶା ପଥିରାନା : କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଶ୍ରୀଲଙ୍କାର ଯୁବ ଦ୍ରୁତ ବୋଲର ମଥିଶା ପଥିରାନାଙ୍କୁ ରିଲିଜ୍ କରାଯାଇଛି । ଆହତ ସମସ୍ୟା ଯୋଗୁଁ ତାଙ୍କର ଗତ ସିଜନ୍ ସେତେଟା ଭଲ ନଥିଲେ ମଧ୍ୟ ଡେଥ୍ ଓଭରରେ ତାଙ୍କର ସଠିକ୍ ୟର୍କର ଏବଂ ଅଜବ ବୋଲିଂ ଆକ୍ସନ୍ ଆଜି ବି ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ ସାଜିଥାଏ । ଯଦି କୌଣସି ନୂଆ ଫ୍ରାଞ୍ଚାଇଜି ତାଙ୍କର ୱର୍କଲୋଡ୍ ଠିକ୍ ଭାବେ ପରିଚାଳନା କରି ତାଙ୍କୁ ଲଗାତାର ସୁଯୋଗ ଦିଏ, ତେବେ ସେ ଏକାକୀ ମ୍ୟାଚ୍ ଜିତାଇ ପାରିବେ ।

୨. ରଚିନ୍ ରବୀନ୍ଦ୍ର: ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ଅଲରାଉଣ୍ଡର ରଚିନ୍ ରବୀନ୍ଦ୍ର କେକେଆର୍ ଦ୍ୱାରା ରିଲିଜ୍ ହୋଇଥିବା ଦ୍ୱିତୀୟ ବଡ଼ ଖେଳାଳି । ଏହାପୂର୍ବରୁ ରଚିନ୍ ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ ରହିସାରିଛନ୍ତି, ଯେଉଁଠାରେ ସେ ୨୦୨୪ ଏବଂ ୨୦୨୫ ସିଜନ୍‌ରେ ୧୮ଟି ମ୍ୟାଚ୍ ଖେଳି ୪୧୩ ରନ୍ ସଂଗ୍ରହ କରିଥିଲେ । ଟପ୍ ଅର୍ଡରରେ ବିସ୍ଫୋରକ ବ୍ୟାଟିଂ ସହ ସ୍ପିନ୍ ବୋଲିଂ କରିବାର କ୍ଷମତା ତାଙ୍କୁ ନିଲାମୀରେ ଏକ ବଡ଼ ଦାବିଦାର ବନାଇଛି ।

୩. ସିମରନ୍ ହେଟମାୟର: ରାଜସ୍ଥାନ ରୟାଲ୍ସ  ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସିମରନ୍ ହେଟମାୟରଙ୍କୁ ରିଲିଜ୍ କରି ସମସ୍ତଙ୍କୁ ଚକିତ କରିଦେଇଛି । ଆଇପିଏଲ୍ ୨୦୨୬ରେ ସେ ୭ଟି ମ୍ୟାଚ୍‌ରୁ ମାତ୍ର ୭୮ ରନ୍ କରିଥିବାରୁ ଦଳ ତାଙ୍କୁ ବାହାର କରିଛି । ସ୍ପିନ୍ ଏବଂ ପେସ୍ ଉଭୟ ବୋଲିଂ ବିପକ୍ଷରେ ବଡ଼ ଛକା ମାରିବାରେ ମାହିର୍ ଏହି ଖେଳାଳିଙ୍କୁ ଯଦି କୌଣସି ଟିମ୍ ଭରସା କରି ଫିନିଶର୍ ଭୂମିକା ଦିଏ, ତେବେ ସେ ଶେଷ ଓଭରରେ ମ୍ୟାଚ୍‌ର ରୂପରେଖ ବଦଳାଇ ପାରିବେ ।

୪. ଟ୍ରେଣ୍ଟ ବୋଲ୍ଟ: ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରୁ ରିଲିଜ୍ କରିଛି । ଗତ ସିଜନ୍‌ରେ ବୋଲ୍ଟଙ୍କୁ ମାତ୍ର ୨ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲା ଏବଂ ସେ ୨ଟି ୱିକେଟ୍ ନେଇଥିଲେ । ପାୱାରପ୍ଲେର ପ୍ରଥମ ଓଭରରେ ହିଁ ୱିକେଟ୍ ନେବା କଳାରେ ଟ୍ରେଣ୍ଟ ବୋଲ୍ଟଙ୍କର କୌଣସି ବିକଳ୍ପ ନାହିଁ । ନୂଆ ବଲ୍‌ରେ ତାଙ୍କର ସୁଇଙ୍ଗ୍ ଏବଂ ସଠିକ୍ ଲାଇନ୍-ଲେନ୍ଥ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥାଏ ।

୫. ଆଭେଶ ଖାନ୍: ଲକ୍ଷ୍ନୌ ସୁପର ଜାଏଣ୍ଟସ୍  ଭାରତୀୟ ଦ୍ରୁତ ବୋଲର ଆଭେଶ ଖାନଙ୍କୁ ରିଲିଜ୍ କରିଛି । ଆଭେଶଙ୍କ ପାଖରେ ଆଇପିଏଲ୍ ଖେଳିବାର ବେଶ୍ ଭଲ ଅଭିଜ୍ଞତା ରହିଛି ଏବଂ ସେ ଏହି ଟୁର୍ଣ୍ଣାମେଣ୍ଟରେ ଏପର‌୍ୟ୍ୟନ୍ତ ୯୩ଟି ୱିକେଟ୍ ଦଖଲ କରିସାରିଛନ୍ତି । ଯେଉଁ ଦଳଗୁଡ଼ିକ ନିଜର ଭାରତୀୟ ପେସ୍ ବୋଲିଂ ଆକ୍ରମଣକୁ ମଜବୁତ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଆଭେଶ ଖାନ୍ ଅକ୍ସନ୍‌ରେ ଏକ ଶ୍ରେଷ୍ଠ ବିକଳ୍ପ ସାଜିପାରନ୍ତି ।

ନିଲାମୀ ଉପରେ ନଜର: ଆସନ୍ତା ଡିସେମ୍ବର ୧୬ରେ ଗୋଆଠାରେ ହେବାକୁ ଥିବା ଏହି ମିନି ଅକ୍ସନ୍‌ରେ ମୋଟ ୬୬ଟି ଖାଲି ସ୍ଥାନ ପାଇଁ ୧୦ଟି ଫ୍ରାଞ୍ଚାଇଜିଙ୍କ ପାଖରେ ମିଳିତ ଭାବେ ୨୯୭.୯୫ କୋଟି ଟଙ୍କାର ପର୍ସ ଉପଲବ୍ଧ ରହିଛି । ଏଭଳି ସ୍ଥିତିରେ ଏହି ୫ ଜଣ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କାର ବର୍ଷା ହୋଇପାରେ ।

Leave A Reply

Your email address will not be published.