ଭୁବନେଶ୍ୱର: ରାଜ୍ୟରେ ଏକ ବିସ୍ତୃତ ‘ରାଜ୍ୟ ବାଉଁଶ ନୀତି’ (State Bamboo Policy) ପ୍ରଣୟନ କରିବା ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଅରଣ୍ୟ ଭବନଠାରେ ପ୍ରଥମ ଥର ପାଇଁ ଏକ ଦିନିକିଆ ଶିଳ୍ପ ପରାମର୍ଶ କର୍ମଶାଳା (Stakeholder Consultation) ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (OBDA) ପକ୍ଷରୁ ଭାରତୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ପଲିସି (BIPP), ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍ (ISB)ର ବୈଷୟିକ ସହଯୋଗରେ ବୈଠକ ଅନୁଷ୍ଠିତ ହୋଇଥିଲା। ବାଉଁଶ ନୀତି ପ୍ରଣୟନ ପ୍ରକ୍ରିୟାରେ ଏହା ଥିଲା ପ୍ରଥମ ପକ୍ଷଭୁକ୍ତ ପରାମର୍ଶ ବୈଠକ।
ଏହି ବୈଠକରେ ଟାଟା ଷ୍ଟିଲ୍, ଜେକେ ପେପର୍, ସାଇ ବାୟୋଏନର୍ଜି, କୋନବାକ୍, ମାଇନସ୍କୋ, ସିଆରବିଏନଫିକ୍ସ, ବାଁମ୍ବୂ ଇଣ୍ଡିଆ, ଇଉଫୋରିଆ, ବିଆଇଏଲ୍ଟି, ପ୍ରାଜ୍, ଷ୍ଟାର୍ ସିମେଣ୍ଟ ଓ ଭାବ୍ୟା ସ୍ରିଷ୍ଟି ଉଦ୍ୟୋଗ ସମେତ ୧୨ଟି ସଂସ୍ଥାର ପ୍ରତିନିଧି ଯୋଗଦେଇଥିଲେ। ପିସିସିଏଫ୍ (PCCF) ଡଃ କେ. ମୁରୁଗେସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଉଁଶକୁ କେବଳ ପାରମ୍ପରିକ ହସ୍ତଶିଳ୍ପ ମଧ୍ୟରେ ସୀମିତ ନରଖି ବୃହତ୍ ଶିଳ୍ପ, ଜୈବ-ଶକ୍ତି (Bioenergy) ଏବଂ ସବୁଜ ଯୋଗାଣ ଶୃଙ୍ଖଳାରେ (Green Supply Chains) ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ଡଃ କେ ମୁରୁଗେଶନ କହିଥିଲେ ଯେ ଓଡ଼ିଶାରେ ବାଉଁଶ ଉତ୍ପାଦନ ଓ ଏହାର ଶିଳ୍ପଭିତ୍ତିକ ବ୍ୟବହାରର ବ୍ୟାପକ ସମ୍ଭାବନା ରହିଥିଲେ ମଧ୍ୟ ତାହାର ପୂର୍ଣ୍ଣ ଉପଯୋଗ ହୋଇପାରୁନାହିଁ। ପାରମ୍ପରିକ ହସ୍ତଶିଳ୍ପ ଓ କାରିଗରୀ କ୍ଷେତ୍ରରୁ ଆଗକୁ ବଢ଼ି ବାଉଁଶର ବ୍ୟାପକ ଶିଳ୍ପଭିତ୍ତିକ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ବିଶେଷକରି ଜୈବ ଶକ୍ତି ଭଳି ନୂତନ କ୍ଷେତ୍ରରେ ବାଉଁଶର ବ୍ୟବହାର ରୋଜଗାର ସୃଷ୍ଟି କରିବା ସହ ଗ୍ରାମାଞ୍ଚଳର ଜୀବିକାକୁ ସୁଦୃଢ଼ କରିପାରିବ ବୋଲି ସେ ମତ ଦେଇଥିଲେ।
ଭାରତୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ପଲିସି (BIPP), ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍ (ISB)ର କାମିନୀ ସିଂହ ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ। ଶିଳ୍ପ ସଂସ୍ଥାଗୁଡ଼ିକର ମତାମତକୁ କାର୍ଯ୍ୟକାରୀ ନୀତିଗତ ପଦକ୍ଷେପରେ ପରିଣତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ବ୍ୟବସାୟିକ ପରିବେଶରେ ଉନ୍ନତି ଆସିବା ସହ ବଜାର ସଂଯୋଗ ସୁଦୃଢ଼ ହେବ ଏବଂ ବାଉଁଶ ଉତ୍ପାଦକ ଓ ସମୁଦାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ।
ବୈଠକରେ ବାଉଁଶଭିତ୍ତିକ ଶିଳ୍ପର ବିକାଶ ପାଇଁ ଚାହିଦା ଓ ଯୋଗାଣ ପକ୍ଷରୁ ରହିଥିବା ବିଭିନ୍ନ ଆହ୍ୱାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶିଳ୍ପ କ୍ଷେତ୍ରରେ ବାଉଁଶର ଚାହିଦା, ବିଭିନ୍ନ ଶିଳ୍ପରେ ବାଉଁଶ ପ୍ରଜାତିର ଉପଯୋଗିତା, ଏକର ପିଛା ଉତ୍ପାଦନ କ୍ଷମତା, ସମ୍ବଳର ମାନଚିତ୍ର ପ୍ରସ୍ତୁତି ଓ କଞ୍ଚାମାଲର ଉପଲବ୍ଧତା ଆଦି ବିଷୟ ସ୍ଥାନ ପାଇଥିଲା। ଏଥିସହ ବାଉଁଶ ଅମଳ ଓ ପରିବହନ ପାଇଁ ଅନୁମତି, ଚାଷୀଙ୍କ ସହ ଚୁକ୍ତିନାମା, ବାଉଁଶ ଉତ୍ପାଦକଙ୍କୁ ଉଚିତ ମୂଲ୍ୟ ପ୍ରଦାନ ଏବଂ ଉତ୍ପାଦନ ଅଞ୍ଚଳ ନିକଟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ବାଉଁଶ ସମ୍ବଳର ଉପଲବ୍ଧତା ଭଳି ସମସ୍ୟା ଉପରେ ମଧ୍ୟ ପ୍ରତିନିଧିମାନେ ମତ ରଖିଥିଲେ। ନୂତନ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ବାଉଁଶ ଚାଷ ପାଇଁ ଜମି ଉପଲବ୍ଧ କରାଇବା ଏବଂ ବାଉଁଶରେ ପ୍ରସ୍ତୁତ ସାମଗ୍ରୀର ସରକାରୀ କ୍ରୟ ବ୍ୟବସ୍ଥା ଆଦିକୁ ନୀତିରେ ସ୍ଥାନ ଦେବା ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା।
ଏହି ପରାମର୍ଶ ବୈଠକ ଓଡ଼ିଶା ପାଇଁ ଏକ ବଜାରଭିତ୍ତିକ, ପ୍ରତିଯୋଗିତାମୂଳକ ଓ ସମାବେଶୀ ବାଉଁଶ ନୀତି ପ୍ରଣୟନ ଦିଗରେ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆସନ୍ତା ଜାନୁଆରୀ ୨୦୨୭ରେ ବୈଷୟିକ ଅନୁଷ୍ଠାନ, ଗବେଷକ, ଚାଷୀ, କାରିଗର, ଉତ୍ପାଦକ ସଂଗଠନ ଏବଂ ସମ୍ପୃକ୍ତ ସରକାରୀ ବିଭାଗଗୁଡ଼ିକୁ ନେଇ ପରବର୍ତ୍ତୀ ପରାମର୍ଶ ବୈଠକ ଆୟୋଜନ କରାଯିବ।
