ମୁମ୍ବାଇ: ରାୟପୁରରୁ ମୁମ୍ବାଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ସୋନୁ ନିଗମ ଏକ ସାଧାରଣ ବିମାନ ଯାତ୍ରାକୁ ଏକ ସ୍ମରଣୀୟ ସଙ୍ଗୀତମୟ ଅନୁଭୂତିରେ ପରିଣତ କରିଦେଲେ। ରାୟପୁରରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଯାତ୍ରୀମାନଙ୍କ ଅନୁରୋଧ ରକ୍ଷା କରି ହଠାତ୍ ଗୀତ ଗାଇ ସେମାନଙ୍କୁ ଚକିତ ଓ ଆନନ୍ଦିତ କରିଦେଇଥିଲେ।
ସୂଚନା ଅନୁସାରେ ସୋନୁ ନିଗମ AIIMS ରାୟପୁରର ‘ଓରିଆନା ଫେଷ୍ଟ’ (Oriana Fest) କାର୍ଯ୍ୟକ୍ରମ ସାରି ମୁମ୍ବାଇ ଫେରୁଥିବା ସମୟରେ ଏହି ନିଆରା ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ବିମାନରେ ସୋନୁ ନିଗମଙ୍କୁ ଦେଖି ସହଯାତ୍ରୀମାନେ ଖୁସିରେ ତାଙ୍କର ଲୋକପ୍ରିୟ ଗୀତ ‘କଲ୍ ହୋ ନା ହୋ’ ଏବଂ ‘ମେଁ ଅଗର୍ କହୁଁ’ ଗାଇବା ଆରମ୍ଭ କରିଥିଲେ। ଏଥିରେ ଭାବବିହ୍ୱଳ ହୋଇ ସୋନୁ ନିଜ ଫୋନରେ ଯାତ୍ରୀମାନଙ୍କ ଭିଡିଓ ରେକର୍ଡ କରିଥିଲେ।
ବିମାନ ଅବତରଣ କରିବା ପରେ ଯାତ୍ରୀମାନଙ୍କ ବିଶେଷ ଅନୁରୋଧ ରକ୍ଷା କରି ସୋନୁ ନିଗମ ବିମାନ ମଧ୍ୟରେ ଠିଆ ହୋଇ ‘ମେଁ ହୁଁ ନା’, ‘କଲ୍ ହୋ ନା ହୋ’, ‘ବିଜୁରିଆ’ ଏବଂ ‘ତୁଝେ ଲାଗେ ନା ନଜରିଆ’ ଭଳି ସୁପରହିଟ୍ ଗୀତ ଗାଇ ପରିବେଶକୁ ସଂଗୀତମୟ କରିଦେଇଥିଲେ। ତେବେ ଏହି ମୁହୂର୍ତ୍ତର ଭିଡିଓ ଯାତ୍ରୀଙ୍କ ସମେତ ନିଜେ ସୋନୁ ରେକର୍ଡ କରିଥିଲେ। ସୋନୁ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ଭିଡିଓ ସେୟାର ମଧ୍ୟ କରିଛନ୍ତି। ଏହି ପୋଷ୍ଚରେ ସେ ଲେଖିଛନ୍ତି ଯେ, ଏଥର ସେ ବିମାନର PA ସିଷ୍ଟମ (ମାଇକ୍) ବ୍ୟବହାର କରିନାହାନ୍ତି ଏବଂ ଇଣ୍ଡିଗୋ କ୍ରୁ’ଙ୍କ ନିୟମକୁ ସମ୍ମାନ ଜଣାଇ ବିମାନ ଲ୍ୟାଣ୍ଡିଂ ଓ ସିଟ୍ ବେଲ୍ଟ ସାଇନ୍ ଅଫ୍ ହେବା ପରେ ହିଁ ଗୀତ ଗାଇଥିଲେ। ଏଠାରେ ଆମେ କହିରଖୁକି, ପୂର୍ବରୁ ଏକ ବିମାନ ଯାତ୍ରା ସମୟରେ ମାଇକ୍ ବ୍ୟବହାର କରି ଗୀତ ଗାଇଥିବାରୁ ବିବାଦ ସୃଷ୍ଟି ହୋଇଥିଲା।
