Latest Odisha News

BREAKING NEWS

ନିଜ ନାମରେ ଏକାସାଙ୍ଗରେ ଦୁଇଟି ବଡ଼ ବିଶ୍ୱ ରେକର୍ଡ କଲେ ଋଷଭ ପନ୍ତ

ୱେଲିଂଟନ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଅପରାଜିତ ୫୫ ରନର ଦମଦାର ପାଳି ଖେଳି ବିଶ୍ୱ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି । ଏହି ପାଳି ଜରିଆରେ ସେ ଏକାସାଙ୍ଗରେ ଦୁଇଟି ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିବା ସହ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟକିପର ବ୍ୟାଟର ଆଡାମ ଗିଲକ୍ରିଷ୍ଟ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି । ବିଦେଶ ମାଟିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ୱିକେଟକିପର-ବ୍ୟାଟର ଭାବେ ଋଷଭ ପନ୍ତ ଏବେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ପାଲଟିଛନ୍ତି ।

ପ୍ରଥମେ ସେ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଥିଲେ, ଯିଏକି ବିଦେଶ ମାଟିରେ ୪୮ଟି ଟେଷ୍ଟ ମ୍ୟାଚର ୮୩ଟି ଇନିଂସରେ ୨,୪୯୬ ରନ୍ କରିଥିଲେ । ଏହାପରେ ପନ୍ତ ଆଡାମ ଗିଲକ୍ରିଷ୍ଟଙ୍କ ୨,୫୧୨ ରନର ମାଇଲଖୁଣ୍ଟକୁ ଅତିକ୍ରମ କରିଛନ୍ତି । ଋଷଭ ପନ୍ତ ଏପର‌୍ୟ୍ୟନ୍ତ ୩୬ଟି ବିଦେଶ ଟେଷ୍ଟ ମ୍ୟାଚର ୬୩ଟି ଇନିଂସରେ ୨,୫୪୪ରୁ ଅଧିକ ରନ୍ ସଂଗ୍ରହ କରିସାରିଛନ୍ତି । ତେବେ ବିଦେଶ ଟେଷ୍ଟରେ ୱିକେଟକିପର ଭାବେ ସର୍ବାଧିକ ଶତକ (୧୦ଟି) ରେକର୍ଡ ଏବେବି ଗିଲକ୍ରିଷ୍ଟଙ୍କ ନାମରେ ରହିଥିବା ବେଳେ ପନ୍ତ ୬ଟି ଶତକ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୱେଲିଂଟନ ଟେଷ୍ଟର ତୃତୀୟ ଦିନରେ ଋଷଭ ପନ୍ତ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପରେ ନିଜର ୩,୦୦୦ ରନ୍ ପୂରଣ କରିଛନ୍ତି ।

ଶୁଭମନ ଗିଲଙ୍କ ପରେ ଏହି ସଫଳତା ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ବ୍ୟାଟର ହୋଇଥିବା ବେଳେ, ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଇତିହାସରେ ୩,୦୦୦ ରନ୍ ଛୁଇଁଥିବା ବିଶ୍ୱର ପ୍ରଥମ ୱିକେଟକିପର-ବ୍ୟାଟର ହୋଇଛନ୍ତି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ପନ୍ତ ୬୨ ବଲରୁ ୫ ଚୌକା ଓ ୨ ଛକା ସହାୟତାରେ ଅପରାଜିତ ୫୫ ରନ୍ କରିଥିବା ବେଳେ ତାଙ୍କର ମୋଟ ରନ୍ ୩,୦୦୩ରେ ପହଞ୍ଚିଛି । ଏହି ତାଲିକାରେ ପାକିସ୍ତାନର ମହମ୍ମଦ ରିଜୱାନ ଓ ଅଷ୍ଟ୍ରେଲିଆର ଆଲେକ୍ସ କ୍ୟାରୀ ତାଙ୍କଠାରୁ ଯଥେଷ୍ଟ ପଛରେ ଅଛନ୍ତି ।  ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୩୬୮ ରନ୍ ଜବାବରେ ଭାରତ ୪ ୱିକେଟ ହରାଇ ୪୮୬ ରନ୍ ସଂଗ୍ରହ କରି ୧୧୮ ରନର ଅଗ୍ରଣୀ ହାସଲ କରିଛି । ପନ୍ତଙ୍କ ବ୍ୟତୀତ କେଏଲ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ (୯୮ ରନ୍) ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି ।

Leave A Reply

Your email address will not be published.