ନୂଆଦିଲ୍ଲୀ: ଗଣିତ ଜଗତରେ ୧୬୭ ବର୍ଷ ଧରି ଅସମାହିତ ରହିଥିବା ସବୁଠାରୁ ଚର୍ଚ୍ଚିତ ପ୍ରଶ୍ନକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ସମାଧାନ କରାଯାଇଥିବା ନେଇ ବଡ଼ ଦାବି ସାମ୍ନାକୁ ଆସିଛି । ଆମେରିକୀୟ କମ୍ପାନୀ ଆନ୍ଥ୍ରୋପିକର ଗଣିତଜ୍ଞ ଲେଭେଣ୍ଟ ଆଲପୋଗେ ଦାବି କରିଛନ୍ତି ଯେ ସେ କମ୍ପାନୀର ଇଓ ମଡେଲ କ୍ଲଡ ସହାୟତାରେ ରିମାନ୍ ହାଇପୋଥେସିସର ପ୍ରମାଣ ପାଇଛନ୍ତି । ଏହାର ପ୍ରମାଣ ସ୍ୱରୂପ ୧.୭ କୋଟିରୁ ଅଧିକ ଧାଡ଼ିର କମ୍ପ୍ୟୁଟର କୋଡ୍ ମଧ୍ୟ ଜାରି କରାଯାଇଛି । ଏହି ସମସ୍ୟା ସମାଧାନ ପାଇଁ ପ୍ରାୟ ୯.୨୬ କୋଟି ଟଙ୍କା ପୁରସ୍କାର ରହିଛି, ଯାହାକି ବିସ୍ତୃତ ଯାଞ୍ଚ ପରେ ହିଁ ପ୍ରଦାନ କରାଯିବ । ଏହି ଦାବି ସହ ବିଶ୍ୱର ୭ଟି କଠିନତମ ମିଲେନିୟମ୍ ପ୍ରାଇଜ୍ ପ୍ରୋବ୍ଲେମ୍ସ ମଧ୍ୟରୁ ଦୁଇଟିକୁ ଇଓ ସାହାଯ୍ୟରେ ସମାଧାନ କରାଯାଇଥିବା ଦାବି ହୋଇଛି ଏବଂ ଏହାର ଯାଞ୍ଚ ଜାରି ରହିଛି ।
ପୂର୍ବରୁ ୨୦୦୨ରେ ଗୋଟିଏ ପ୍ରଶ୍ନର ସମାଧାନ ହୋଇଥିବା ବେଳେ ଏବେ ବି ୪ଟି ପ୍ରଶ୍ନ ଅସମାହିତ ରହିଛି । ୧୮୫୯ ମସିହାରେ ଜର୍ମାନ ଗଣିତଜ୍ଞ ଜର୍ଜ ବର୍ଣ୍ଣହାର୍ଡ ରିମାନ୍ ଏହି ତତ୍ତ୍ୱ ଉପସ୍ଥାପନ କରିଥିଲେ । ଏହା ମୁଖ୍ୟତଃ ମୌଳିକ ସଂଖ୍ୟା (ଯେପରିକି ୨, ୩, ୫, ୭, ୧୧…) ଗୁଡ଼ିକର ବଣ୍ଟନ ଓ ଢାଞ୍ଚା ସହିତ ଜଡ଼ିତ । ଗଣିତରେ ମୌଳିକ ସଂଖ୍ୟାଗୁଡ଼ିକୁ ଅନ୍ୟ ସଂଖ୍ୟାଗୁଡ଼ିକର ମୂଳଦୁଆ ଭାବେ ବିବେଚନା କରାଯାଏ । ଦୀର୍ଘ ୧୬୭ ବର୍ଷ ଧରି ବିଶ୍ୱର ଗଣିତଜ୍ଞମାନେ ଏହାକୁ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି, ଯାହା କ୍ୱାଣ୍ଟମ୍ ଫିଜିକ୍ସ ଏବଂ ଆଧୁନିକ ବିଜ୍ଞାନର ଅନେକ କ୍ଷେତ୍ରକୁ ପ୍ରଭାବିତ କରିଛି । ଲେଭେଣ୍ଟ ଆଲପୋଗେ ଦାବି କରିଛନ୍ତି ଯେ ରିମାନ୍ ହାଇପୋଥେସିସ୍ ସହିତ ଏହାର ବ୍ୟାପକ ରୂପ ଜେନେରାଲାଇଜ୍ଡ ରିମାନ୍ ହାଇପୋଥେସିସକୁ ମଧ୍ୟ ସମାଧାନ କରାଯାଇଛି ।
ସାଧାରଣ ଗବେଷଣା ପତ୍ର ବଦଳରେ ସେ ସିଧାସଳଖ ଭେରିଫିକେସନ୍ ସିଷ୍ଟମରେ କମ୍ପ୍ୟୁଟର କୋଡ୍ ପ୍ରକାଶ କରିଛନ୍ତି । ଆଲପୋଗେ ନିଜେ ସ୍ୱୀକାର କରିଛନ୍ତି ଯେ ଇଓ ମଡେଲ୍ କ୍ଲଡ୍ ଏହି ନିଷ୍କର୍ଷରେ ପହଞ୍ଚିବା ପାଇଁ ଯେଉଁସବୁ ପଦ୍ଧତି ଆପଣାଇଛି, ସେଥିରୁ ଅନେକ କଥାକୁ ସେ ନିଜେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବୁଝିପାରି ନାହାନ୍ତି । ଏହି ଦାବି ସାମ୍ନାକୁ ଆସିବା ପରେ ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମ୍ଆଇଟିର ଗଣିତଜ୍ଞ ପ୍ରଫେସର ଆଣ୍ଡ୍ର୍ୟୁ ସଦରଲାଣ୍ଡଙ୍କ ସମେତ ଅନ୍ୟ କେତେକ ବିଶେଷଜ୍ଞ ସୂଚାଇଛନ୍ତି ଯେ ପ୍ରାରମ୍ଭିକ କମ୍ପ୍ୟୁଟର ଯାଞ୍ଚରେ କୋଡ୍ କିଛି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ଅତିକ୍ରମ କରିଛି, ଯଦିଓ ଅଧିକ ଯାଞ୍ଚ ଜାରି ରହିଛି । ଫିଲ୍ଡ୍ସ ମେଡାଲ୍ ବିଜେତା ଜେମ୍ସ ମେନାର୍ଡଙ୍କ ଭଳି ଗଣିତଜ୍ଞ ଏହି ପ୍ରମାଣ ସଠିକ୍ ହେବାର ସମ୍ଭାବନାକୁ ନେଇ ଆଶାବାଦୀ ଥିବା ବେଳେ, ଟେରେନ୍ସ ତାଓଙ୍କ ଭଳି ବିଶେଷଜ୍ଞ ଏହାର ଗଭୀର ସମୀକ୍ଷା ପାଇଁ ସମୟ ଆବଶ୍ୟକ ବୋଲି କହିଛନ୍ତି । କ୍ଲେ ମ୍ୟାଥମେଟିକ୍ସ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏନେଇ କୌଣସି ଚୂଡ଼ାନ୍ତ ଘୋଷଣା ହୋଇନାହିଁ ।
ନିୟମ ଅନୁଯାୟୀ, ଏହି ପ୍ରମାଣ ପ୍ରଥମେ ଏକ ପ୍ରମୁଖ ଗାଣିତିକ ପତ୍ରିକାରେ ପ୍ରକାଶ ପାଇବା ପରେ ଦୁଇ ବର୍ଷ ପର୍ୟ୍ୟନ୍ତ ବିଶ୍ୱସ୍ତରୀୟ ସମୀକ୍ଷାରେ ସଠିକ୍ ପ୍ରମାଣିତ ହେଲେ ପୁରସ୍କାର ପ୍ରକ୍ରିୟା ଆଗେଇବ । କୌଣସି ଇଓ ଆଇନଗତ ଭାବେ ପୁରସ୍କାର ନେଇପାରିବ ନାହିଁ, ତେଣୁ ଏହା ସଠିକ୍ ସାବ୍ୟସ୍ତ ହେଲେ ଗଣିତଜ୍ଞ ଲେଭେଣ୍ଟ ଆଲପୋଗେ ଏବଂ କମ୍ପାନୀ ମଧ୍ୟରେ ଥିବା ଚୁକ୍ତି ଅନୁଯାୟୀ ପୁରସ୍କାର ରାଶି ଉପରେ ନିଷ୍ପତ୍ତି ହେବ । ଉଲ୍ଲେଖଯୋଗ୍ୟ ଯେ, କିଛି ସମୟ ପୂର୍ବରୁ ଓପନଏଆଇ ମଧ୍ୟ ୯୦ ବର୍ଷ ପୁରୁଣା ନେଭିୟର୍-ଷ୍ଟୋକ୍ସ ସମସ୍ୟାକୁ ମାତ୍ର ୮୮ ଘଣ୍ଟାରେ ଇଓ ଜରିଆରେ ସମାଧାନ କରିଥିବା ଦାବି କରିଥିଲା ।
