ଟ୍ରେନ୍ରେ ଉଚ୍ଚସ୍ୱରରେ ଫୋନରେ କଥା ହେଲେ କିମ୍ବା ଗୀତ ବଜାଇଲେ ଯିବାକୁ ପଡ଼ିପାରେ ଜେଲ୍: ପୂର୍ବତଟ ରେଳପଥର କଡ଼ା ଚେତାବନୀ
ଦକ୍ଷିଣ ରେଳପଥ ପରେ ଏବେ ପୂର୍ବ ତଟ ରେଳପଥ ପକ୍ଷରୁ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଟ୍ରେନ୍ ଭିତରେ କିମ୍ବା ରେଳ ଷ୍ଟେସନ ପରିସରରେ ମୋବାଇଲ୍ ସ୍ପିକରରେ ଉଚ୍ଚସ୍ୱରରେ ଗୀତ ବଜାଇବା, ଭିଡିଓ ଦେଖିବା, ଜୋର୍ରେ ଫୋନ୍ରେ କଥା ହେବା ଏବଂ ଉଚ୍ଚ ଭଲ୍ୟୁମ୍ରେ ରିଙ୍ଗ୍ଟୋନ୍ ରଖିବା ବିରୋଧରେ ରେଳବାଇ କଡ଼ା ଚେତାବନୀ ଦେଇଛି। ଏଭଳି ଆଚରଣ ଦ୍ୱାରା ଅନ୍ୟ ସହଯାତ୍ରୀଙ୍କ ଶାନ୍ତି ଭଙ୍ଗ ହେଉଥିବାରୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।
ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ, ରେଳବାଇ ଆଇନ ୧୯୮୯ର ଧାରା ୧୪୫ ଅଧୀନରେ ଏଭଳି କାର୍ଯ୍ୟକୁ ‘ସର୍ବସାଧାରଣଙ୍କ ପାଇଁ ଅସୁବିଧା ସୃଷ୍ଟି’ ଭାବେ ବିବେଚନା କରାଯିବ। ଏହି ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ଯାତ୍ରୀଙ୍କୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, ଅଥବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ। ଟ୍ରେନ୍ରେ ଟିଟି ଏବଂ ଅନ୍ୟ ଅଧିକୃତ ରେଳ କର୍ମଚାରୀମାନଙ୍କୁ ଅମାନିଆ ଯାତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କ୍ଷମତା ପ୍ରଦାନ କରାଯାଇଛି।
ଯାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରେଳ ଷ୍ଟେସନ ଏବଂ ଟ୍ରେନ୍ ଭିତରେ ଆଞ୍ଚଳିକ ଭାଷା ସମେତ ହିନ୍ଦୀ ଓ ଇଂରାଜୀରେ ନିୟମିତ ଘୋଷଣା କରାଯିବ। ଏହା ସହିତ ବିଶେଷ କରି ଏସି ବଗି ଓ ଷ୍ଟେସନର ପ୍ରମୁଖ ସ୍ଥାନଗୁଡ଼ିକରେ ସଚେତନତା ପୋଷ୍ଟର ଓ ଷ୍ଟିକର ଲଗାଯିବ। ଯାତ୍ରୀମାନଙ୍କୁ ଗୀତ ଶୁଣିବା ବା ଭିଡିଓ ଦେଖିବା ସମୟରେ ଇୟରଫୋନ୍ ବ୍ୟବହାର କରିବାକୁ ଏବଂ ମୋବାଇଲ୍କୁ ସାଇଲେଣ୍ଟ ବା ଭାଇବ୍ରେସନ୍ ମୋଡ୍ରେ ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଯାତ୍ରୀ ଏଥିରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ତୁରନ୍ତ ଟିଟିଇ କିମ୍ବା ‘ରେଳ ମଦଦ’ ପୋର୍ଟାଲରେ ଅଭିଯୋଗ କରିପାରିବେ। ଯାତ୍ରୀଙ୍କ ଯାତ୍ରାକୁ ଅଧିକ ଶାନ୍ତିପୂର୍ଣ୍ଣ କରିବା ପାଇଁ ରେଳବାଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
