Latest Odisha News

BREAKING NEWS

Nepal PM India Visit:ଅଢ଼େଇ ବର୍ଷ ପରେ ଦିଲ୍ଲୀରେ ନେପାଳର ନୂଆ ପ୍ରଧାନମନ୍ତ୍ରୀ, ମୋଦିଙ୍କ ସହ ବୈଠକକୁ ନେଇ ବଢ଼ିଲା ଚର୍ଚ୍ଚା! ଉଠିବ ୮ ବର୍ଷର ପୁରୁଣା ପ୍ରସଙ୍ଗ?

ନୂଆଦିଲ୍ଲୀ: ଭାରତ-ନେପାଳ ସମ୍ପର୍କକୁ ନୂଆ ଦିଗ ଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ ଶାହ। ରବିବାର ଠାରୁ ଆରମ୍ଭ ହୋଇଛି ତାଙ୍କର ଦୁଇଦିନିଆ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତକୁ ନେଇ ଉଭୟ ଦେଶର କୂଟନୈତିକ ମହଲରେ ବେଶ୍ ଚର୍ଚ୍ଚା ଜୋର ଧରିଛି। ସୋମବାର ନଭେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାଲେନ୍ ଶାହଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏହି ବୈଠକରେ ଦୁଇ ଦେଶର ସମ୍ପର୍କ, ବାଣିଜ୍ୟ, ଯୋଗାଯୋଗ ବ୍ୟବସ୍ଥା ସହ ଦୀର୍ଘ ୮ ବର୍ଷ ଧରି ଅଟକି ରହିଥିବା EPG ରିପୋର୍ଟ ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି।

ରବିବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ତାଙ୍କ ସହ ୩୪ ଜଣିଆ ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଆସିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହୋଇଥିବା ବେଳେ ପ୍ରଥମ ଦ୍ୱିପାକ୍ଷିକ ବିଦେଶ ଯାତ୍ରା ମଧ୍ୟ।

ବାଲେନ୍ ଶାହଙ୍କ ଏହି ଗସ୍ତରେ ଭାରତ ଓ ନେପାଳ ମଧ୍ୟରେ ସଡ଼କ ଓ ବିମାନ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇପାରେ। ଏହା ସହ ପେଟ୍ରୋଲିୟମ୍ ପାଇପଲାଇନ୍‌ର ସମ୍ପ୍ରସାରଣ ଏବଂ ନୂଆ ଗ୍ୟାସ୍ ପାଇପଲାଇନ୍ ସଂଯୋଗ ସ୍ଥାପନ ନେଇ ମଧ୍ୟ ଆଲୋଚନା ହେବାର ଆଶା ରହିଛି। କେବଳ ପାରମ୍ପରିକ ବାଣିଜ୍ୟ ଓ ଯୋଗାଯୋଗ ନୁହେଁ, ଜଳବାୟୁ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଭଳି ନୂଆ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ମଧ୍ୟ ଦୁଇ ଦେଶ ଆଲୋଚନା କରିପାରନ୍ତି। ଏହାବ୍ୟତୀତ କ୍ରିକେଟ୍ ଭିତ୍ତିଭୂମିର ବିକାଶ ଓ ଷ୍ଟାଡିୟମ୍ ନିର୍ମାଣ ଭଳି ପ୍ରସଙ୍ଗ ମଧ୍ୟ ଆଲୋଚନା ପରିସରକୁ ଆସିପାରେ।

ଏହି ଗସ୍ତର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ଏମିନେଣ୍ଟ ପର୍ସନ୍ସ ଗ୍ରୁପ୍ (EPG)ର ରିପୋର୍ଟ। ଭାରତ ଓ ନେପାଳ ମଧ୍ୟରେ ଥିବା ସମ୍ପର୍କର ସମୀକ୍ଷା କରିବା ଏବଂ ଭବିଷ୍ୟତ ସହଯୋଗର ରାସ୍ତା ଖୋଜିବା ପାଇଁ ଉଭୟ ଦେଶ ମିଳିତ ଭାବେ ଏହି ଗୋଷ୍ଠୀ ଗଠନ କରିଥିଲେ। ଉଭୟ ପକ୍ଷର ପ୍ରତିନିଧିଙ୍କ ଆଲୋଚନା ଓ ସହମତି ପରେ ରିପୋର୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଦୀର୍ଘ ପ୍ରାୟ ୮ ବର୍ଷ ହେଲା ଏହା ଅଟକି ରହିଛି।

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ରାଜନ ଭଟ୍ଟରାଇ ଆଶା ପ୍ରକାଶ କରିଛନ୍ତି ଯେ, ବାଲେନ୍ ଶାହଙ୍କ ଭାରତ ଗସ୍ତ ସମୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ସହ ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ଏଭଳି ଉଚ୍ଚସ୍ତରୀୟ ଆଲୋଚନା ଜରୁରୀ ବୋଲି ସେ କହିଛନ୍ତି।

ଭାରତକୁ ନେପାଳର ସବୁଠାରୁ ବଡ଼ ବାଣିଜ୍ୟିକ ସହଯୋଗୀ, ପ୍ରମୁଖ ନିବେଶକ ଓ ବିକାଶର ମୁଖ୍ୟ ଭାଗୀଦାର ଭାବେ ବର୍ଣ୍ଣନା କରିଛନ୍ତି ଭଟ୍ଟରାଇ। ଭୂମିକମ୍ପ ଓ କୋଭିଡ୍ ମହାମାରୀ ଭଳି କଠିନ ସମୟରେ ଭାରତ ନେପାଳକୁ ସହଯୋଗ କରିଥିବା କଥା ମଧ୍ୟ ସେ ମନେ ପକାଇଛନ୍ତି। ଭବିଷ୍ୟତରେ ବିପର୍ଯ୍ୟୟ ପରବର୍ତ୍ତୀ ପୁନର୍ନିର୍ମାଣ ଓ ଅନ୍ୟାନ୍ୟ ଆବଶ୍ୟକତା ସମୟରେ ଭାରତର ସହଯୋଗ ଜାରି ରହିବ ବୋଲି ନେପାଳ ଆଶା ରଖିଛି।

ଦୁଇଦିନିଆ ଗସ୍ତରେ ବାଲେନ୍ ଶାହ ରବିବାର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିବେ। ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବେ।

ଦୀର୍ଘ ଅଢ଼େଇ ବର୍ଷ ପରେ ନେପାଳର ଜଣେ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ହେଉଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏବେ ସମସ୍ତଙ୍କ ନଜର ସୋମବାରର ମୋଦି-ବାଲେନ୍ ଶାହ ବୈଠକ ଉପରେ। ଏହି ଆଲୋଚନାରୁ ଦୁଇ ପଡ଼ୋଶୀ ଦେଶର ସମ୍ପର୍କ କେତେ ନୂଆ ଉଚ୍ଚତାକୁ ଯାଉଛି ଏବଂ ୮ ବର୍ଷର ପୁରୁଣା EPG ପ୍ରସଙ୍ଗରେ କିଛି ଅଗ୍ରଗତି ହେଉଛି କି ନାହିଁ, ତାହା ଉପରେ ନଜର ରହିବ।

Leave A Reply

Your email address will not be published.