ଇନ୍ଦୋର: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫି ୨୦୨୬-୨୭ରେ ରେଲୱେ ପକ୍ଷରୁ ଖେଳୁଥିବା ୨୩ ବର୍ଷୀୟ ଦ୍ରୁତ ବୋଲର ଜମଶେଦ ଆଲମ ନିଜ ପ୍ରଥମ ଟି-୨୦ ମ୍ୟାଚ୍ରେ ହିଁ ବିସ୍ମୟକର ପ୍ରଦର୍ଶନ କରି କ୍ରିକେଟ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି । ସୌରାଷ୍ଟ୍ର ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସେ କ୍ରମାଗତ ୪ଟି ବଲରେ ୪ଟି ୱିକେଟ୍ ଅକ୍ତିଆର କରିବା ସହ ମାତ୍ର ୯ଟି ବଲରେ ୫ଟି ୱିକେଟ୍ ନେଇ ରେଲୱେକୁ ୨୯ ରନ୍ରେ ବିଜୟୀ କରାଇଛନ୍ତି । ଇନ୍ଦୋରର ଡାଲି କଲେଜ୍ ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରେଲୱେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା । ୧୮୩ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ସୌରାଷ୍ଟ୍ର ଦଳ ବିପକ୍ଷରେ ଜମଶେଦ ଆଲମ ନିଜର ପ୍ରଥମ ତଥା ପାଳିର ଚତୁର୍ଥ ଓଭରରେ ଭୟଙ୍କର ବୋଲିଂ କରିଥିଲେ । ସେହି ଓଭରର ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବଲରେ ସେ ଯଥାକ୍ରମେ ହାର୍ଭିକ ଦେଶାଇ, ପ୍ରେରକ ମାନକଡ଼, ରୁଚିତ ଆହିର ଏବଂ ସମ୍ମର ଗଜ୍ଜରଙ୍କୁ ଆଉଟ୍ କରିଥିଲେ । ଏହା ପରେ ପରବର୍ତ୍ତୀ ଓଭରରେ ସିଦ୍ଧାର୍ଥ ରାଣାଙ୍କୁ ଆଉଟ୍ କରି ୫ ୱିକେଟ୍ ସଫଳତା ପୂରଣ କରିଥିଲେ । ଫଳରେ ମାତ୍ର ୩୦ ରନ୍ ଭିତରେ ସୌରାଷ୍ଟ୍ରର ୬ଟି ୱିକେଟ୍ ପଡ଼ିଯାଇଥିଲା । ଟି-୨୦ ଡେବ୍ୟୁରେ ୫ ୱିକେଟ୍ ନେବାରେ ଜମଶେଦ ଆଲମ ଷଷ୍ଠ ଭାରତୀୟ ବୋଲର ହୋଇଥିବା ବେଳେ ୧୦ରୁ କମ୍ ଅର୍ଥାତ୍ ମାତ୍ର ୯ଟି ବଲରେ ୫ ୱିକେଟ୍ ଅକ୍ତିଆର କରିବାରେ ସେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି ।
ପୁରୁଷ ଟି-୨୦ କ୍ରିକେଟ୍ ଇତିହାସରେ ତାଙ୍କଠାରୁ କମ୍ ବଲରେ ୫ ୱିକେଟ୍ ନେବାର ରେକର୍ଡ କେବଳ ଦୁଇ ଜଣ ଖେଳାଳିଙ୍କ ନାମରେ ରହିଛି । ୨୦୨୫ ମସିହାରେ ଇଣ୍ଡୋନେସିଆର ଗେଡେ ପ୍ରିୟାନ୍ଦନା କମ୍ବୋଡିଆ ବିପକ୍ଷରେ ୬ଟି ବଲରେ ଏବଂ ଫିନଲାଣ୍ଡର ମହେଶ ତାମ୍ବେ ଏସ୍ତୋନିଆ ବିପକ୍ଷରେ ୮ଟି ବଲରେ ୫ଟି ୱିକେଟ୍ ନେଇଥିଲେ । ପୁରୁଷ ଟି-୨୦ କ୍ରିକେଟ୍ରେ କ୍ରମାଗତ ୪ଟି ବଲରେ ୪ଟି ୱିକେଟ୍ ନେବାରେ ଜମଶେଦ ଆଲମ ହେଉଛନ୍ତି ତୃତୀୟ ଭାରତୀୟ । ତାଙ୍କ ପୂର୍ବରୁ କର୍ଣ୍ଣାଟକର ଅଭିମନ୍ୟୁ ମିଥୁନ୍ ୨୦୧୯ ରେ ହରିଆଣା ବିପକ୍ଷରେ ଏବଂ ବିଦର୍ଭର ଦର୍ଶନ ନାଲକଣ୍ଡେ ୨୦୨୧ ରେ କର୍ଣ୍ଣାଟକ ବିପକ୍ଷରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ । ଜମଶେଦ ଆଲମ ନିଜ କୋଟାର ୪ ଓଭରରେ ୩୮ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ । ତାଙ୍କ ଘାତକ ବୋଲିଂ ଆଗରେ ସୌରାଷ୍ଟ୍ର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହା ସହିତ ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ରେଲୱେ ନିଜର ପ୍ରଥମ ବିଜୟ ହାସଲ କରିଛି । ପୂର୍ବରୁ ଜମଶେଦ ୟୁପି ଟି-୨୦ ଲିଗ୍ ଏବଂ ଟି-୨୦ ମୁମ୍ବାଇ ଲିଗ୍ରେ ଖେଳିସାରିଛନ୍ତି ।
