କାଲିଫର୍ନିଆ: ବିଲେଇମାନଙ୍କ ପ୍ରତି ଅଗାଧ ଭଲପାଇବା ଏବଂ ସେମାନଙ୍କ ସେବା ପାଇଁ ଆମେରିକାର କାଲିଫର୍ନିଆସ୍ଥିତ ଦ କିଙ୍ଗସ୍ ସେଞ୍ଚୁରିର ପ୍ରତିଷ୍ଠାତା ଲାୟନେୟା ଲାଟାନ୍ଜିଓ ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ସେ ବର୍ତ୍ତମାନ ନିଜ ୧୨ ଏକର ଜମିରେ ପ୍ରାୟ ୧୦୦୦ ବିଲେଇଙ୍କ ସହ ରହୁଛନ୍ତି ଏବଂ ବର୍ଷ ବର୍ଷ ଧରି ସେମାନଙ୍କ ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି । ୧୯୯୨ ମସିହାରେ ଲାୟନେୟାଙ୍କ ବାପା ତାଙ୍କୁ ଗୋଟିଏ ବିଲେଇ ଆଣିବା ପାଇଁ କହିଥିଲେ । କିନ୍ତୁ ସେଦିନ ସେ ଗୋଟିଏ ବଦଳରେ ୧୫ଟି ବିଲେଇ ଛୁଆଙ୍କୁ ଘରକୁ ନେଇ ଆସିଥିଲେ । ସେହି ଦିନଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଦୀର୍ଘ ୩୪ ବର୍ଷ ଧରି ଜାରି ରହିଛି । ବିଲେଇଙ୍କ ପ୍ରତି ଏତେ ଆକର୍ଷିତ ହୋଇପଡ଼ିଥିଲେ ଯେ ସେମାନଙ୍କ ବିନା ରହିବା ତାଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି ।
ସେ ଅନେକ ବିଲେଇଙ୍କୁ ବିଭିନ୍ନ ପରିବାରକୁ ପୋଷ୍ୟ ଭାବେ ମଧ୍ୟ ଦେଇଆସିଛନ୍ତି । ଲାୟନେୟା କେବଳ ବିଲେଇମାନଙ୍କୁ ରହିବା ଓ ଖାଇବା ଦେଉନାହାନ୍ତି, ବରଂ ନିଜ ସେଞ୍ଚୁରିରେ ସେମାନଙ୍କ ଚିକିତ୍ସା ପାଇଁ ଏକ ହସ୍ପିଟାଲ ଏବଂ ଇଣ୍ଟେନସିଭ୍ କେୟାର ୟୁନିଟ୍ ମଧ୍ୟ ଚଳାଉଛନ୍ତି । ୨୦୧୬ର ତଥ୍ୟ ଅନୁଯାୟୀ, ସେ ସେତେବେଳ ସୁଦ୍ଧା ପ୍ରାୟ ୨୮,୦୦୦ ବିଲେଇଙ୍କୁ ଆଶ୍ରୟ ଦେଇସାରିଥିଲେ ଏବଂ ସେମାନଙ୍କ ଲାଳନପାଳନ ପାଇଁ ବାର୍ଷିକ ୧.୬ ମିଲିୟନ୍ ଡଲାର ଖର୍ଚ୍ଚ କରୁଥିଲେ । ବିଲେଇମାନେ ୫ ବଖରା ବିଶିଷ୍ଟ ଘରେ ଆରାମରେ ରହିପାରିବେ ବୋଲି ସେ ନିଜେ ଘର ଛାଡ଼ି ଏକ ମୋବାଇଲ୍ ହୋମ୍ରେ ରହିଥିଲେ । ବିଲେଇମାନଙ୍କୁ ରଖିବା ଆଦୌ ସହଜ ନଥିଲା । ପ୍ରଥମ ୭ ବର୍ଷ ଧରି ସେ ନିଜ ପକେଟରୁ ସମସ୍ତ ଖର୍ଚ୍ଚ ବହନ କରିଥିଲେ । କିନ୍ତୁ ଖର୍ଚ୍ଚ ବଢ଼ିଯିବାରୁ ସେ ନିଜ କାର ଏବଂ ବାହାଘର ମୁଦି ବିକ୍ରି କରିଦେଇଥିଲେ । ଏପରିକି ନିଜ ଅବସର ସମୟ ପାଇଁ ସଞ୍ଚୟ କରି ରଖିଥିବା ଅର୍ଥକୁ ମଧ୍ୟ ବିଲେଇଙ୍କ ସେବାରେ ଲଗାଇ ଦେଇଥିଲେ ।
