Latest Odisha News

BREAKING NEWS

ୱେଲିଂଟନ୍ ଟେଷ୍ଟରେ ଷ୍ଟମ୍ପ୍ ମାଇକ୍‌ରେ କଏଦ ହେଲା ଋଷଭ ପନ୍ତଙ୍କ ମଜାଳିଆ କଥା

ୱେଲିଂଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ୱିକେଟ୍‌କିପର-ବ୍ୟାଟର୍ ଋଷଭ ପନ୍ତ ନିଜ ବ୍ୟାଟିଂ ସହ ୱିକେଟ୍ ପଛରୁ ମଜାଳିଆ କଥାବାର୍ତ୍ତା ପାଇଁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ୱାଶିଂଟନ ସୁନ୍ଦରଙ୍କ ବୋଲିଂ ବେଳେ ଷ୍ଟମ୍ପ୍ ମାଇକ୍‌ରେ ରେକର୍ଡ ହୋଇଥିବା ପନ୍ତଙ୍କ ଏକ ମଜାଦାର କଥା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ନ୍ୟୁଜିଲାଣ୍ଡର ଦ୍ୱିତୀୟ ପାଳି ଚାଲିଥିବା ବେଳେ ୱାଶିଂଟନ ସୁନ୍ଦରଙ୍କ ଏକ ଓଭରରେ ଋଷଭ ପନ୍ତ ଅଧିନାୟକ ଶୁଭମନ ଗିଲଙ୍କୁ କହିଥିଲେ ଯେ ସେ ଲେଗ୍ ସ୍ପିନ୍ ବୋଲିଂ କରିପାରିବେ । ଏହା ପରେ ସେ ପାଖରେ ଠିଆ ହୋଇଥିବା ଯଶସ୍ୱୀ ଜୟସୱାଲଙ୍କ ଆଡ଼କୁ ଚାହିଁ ମଜାକରେ କହିଥିଲେ, କୁଛ ଗନ୍ଦା ସା ଆକ୍ସନ୍ ଚାହିୟେ ତୋ ଜୟସୱାଲ ଡାଲ୍ ସକ୍ତା ହୈ  (ଯଦି କିଛି ଅଜବ ବା ଖରାପ ବୋଲିଂ ଆକ୍ସନ୍ ଦରକାର, ତେବେ ଜୟସୱାଲ ବୋଲିଂ କରିପାରିବ )। ପନ୍ତଙ୍କ ଏହି ହାସ୍ୟାସ୍ପଦ ଟିପ୍ପଣୀ ଶୁଣି ପଡ଼ିଆରେ ଉପସ୍ଥିତ ଖେଳାଳି ଓ ପ୍ରଶଂସକ ବେଶ୍ ମଜା ନେଇଛନ୍ତି ।

କେବଳ ଜୟସୱାଲଙ୍କୁ ନେଇ ନୁହେଁ, ମ୍ୟାଚ୍‌ର ଅନ୍ୟ ସମୟରେ ମଧ୍ୟ ପନ୍ତଙ୍କ ମଜାଳିଆ ଅନ୍ଦାଜ ଦେଖିବାକୁ ମିଳିଥିଲା । ଦେବଦତ୍ତ ପାଡିକଲଙ୍କ ବୋଲିଂରେ ବଲ୍ ସାମାନ୍ୟ ଟର୍ଣ୍ଣ ହେବା ପରେ ପନ୍ତ ଚିତ୍କାର କରି ଫାଇନାଲି… ଦେବା ଖାଲେ ୟାହାଁ ସେ ମେୱା  କହିଥିଲେ । ସେହିପରି ପ୍ରସିଦ୍ଧ କୃଷ୍ଣଙ୍କ ବୋଲିଂ ବେଳେ ମଧ୍ୟ ସେ “ଇଧର ସେ ନହିଁ ଆଏଗା ସିଙ୍ଗଲ୍, ଶୀ ଇଜ୍ ରେଡି ଟୁ ମିଙ୍ଗଲ” କହି ସମସ୍ତଙ୍କୁ ହସାଇଥିଲେ । ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳିରେ ଋଷଭ ପନ୍ତ ୧୫୩ ବଲ୍‌ରେ ୧୨୮ ରନ୍‌ର ଚମତ୍କାର ଶତକୀୟ ପାଳି ଖେଳିଥିଲେ, ଯେଉଁଥିରେ ୧୦ଟି ଚୌକା ଓ ୬ଟି ଛକା ସାମିଲ ଥିଲା । ଏହା ସହ ସେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଶତକ ହାସଲ କରିବାରେ ଷଷ୍ଠ ଭାରତୀୟ ବ୍ୟାଟର୍ ହୋଇଛନ୍ତି । ଭାରତର ପ୍ରଥମ ପାଳି ୭୨୦/୯ ରନ୍‌ର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୩୬୮ ରନ୍ କରିଥିଲା ଏବଂ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ପାଳିରେ ୨ ୱିକେଟ୍ ହରାଇ ୧୧୯ ରନ୍ ସଂଗ୍ରହ କରିଛି । ନ୍ୟୁଜିଲାଣ୍ଡ ଏବେ ବି ୨୩୩ ରନ୍‌ରେ ପଛୁଆ ଥିବା ବେଳେ ପଞ୍ଚମ ତଥା ଅନ୍ତିମ ଦିନରେ ଭାରତକୁ ବିଜୟ ପାଇଁ ଆଉ ୮ଟି ୱିକେଟ୍ ଦରକାର ।

Leave A Reply

Your email address will not be published.