Latest Odisha News

BREAKING NEWS

ତିନୋଟି ଗୋଡ଼ରେ ୨୪୦ କିଲୋମିଟର ଯାତ୍ରା; ବାରୁଦ ସୁଡ଼ଙ୍ଗ ପାର ହୋଇ ଜଙ୍ଗଲରେ ପହଞ୍ଚିଲା ଫାରସୀ କଲରାପତରିଆ ବାଘ

ନୂଆଦିଲ୍ଲୀ: କେବଳ ତିନୋଟି ଗୋଡ଼ର ସାହାଯ୍ୟରେ ବରଫାବୃତ ପାହାଡ଼ ଏବଂ ପୁରୁଣା ବାରୁଦ ସୁଡ଼ଙ୍ଗ ଭରା ବିପଦପୂର୍ଣ୍ଣ ଅଞ୍ଚଳ ପାର କରି ୨୪୦ କିଲୋମିଟର (ପ୍ରାୟ ୧୫୦ ମାଇଲ୍) ଯାତ୍ରା ଏକ ବିରଳ ଫାରସୀ କଲରାପତରିଆ ବାଘ ଶେଷ କରିଛି  । ଏହି ଅଣ୍ଡିରା ବାଘର ନାମ ଆରେନ  ହୋଇଥିବା ବେଳେ ଏହାର ଅବିଶ୍ୱସନୀୟ ସାହସ ଓ ଜିଜ୍ଞାସା ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ମୋଙ୍ଗାବେ ରିପୋର୍ଟ ଅନୁଯାୟୀ, ଆରେନ୍ ପ୍ରଥମେ ଆର୍ମେନିଆର ଅର୍ପା ସଂରକ୍ଷିତ ଅଞ୍ଚଳରେ ଲାଗିଥିବା କ୍ୟାମେରା ଟ୍ରାପ୍‌ରେ ନଜର ଆସିଥିଲା । ଆରମ୍ଭରେ ଏହା ଚାରି ଗୋଡ଼ ବିଶିଷ୍ଟ ଏକ ସୁସ୍ଥ ବାଘ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାର ଆଗ ବାମ ଗୋଡ଼ର ତଳ ଅଂଶ ନଥିବା ଦେଖାଯାଇଥିଲା । ଅର୍ପା ରେଞ୍ଜରମାନଙ୍କ ଅନୁମାନ ଅନୁଯାୟୀ, ଆଜେରବାଇଜାନର ନାଖଚିଭାନ ସୀମାରେ ଥିବା କୌଣସି ପୁରୁଣା ଆଣ୍ଟି-ପର୍ସନେଲ୍ ବାରୁଦ ସୁଡ଼ଙ୍ଗ  ଯୋଗୁଁ ଏହା ନିଜ ଗୋଟିଏ ଗୋଡ଼ ହରାଇଥିଲା । ଗୋଟିଏ ଗୋଡ଼ ନ ଥିଲେ ମଧ୍ୟ ଆରେନ୍ ହାର ମାନିନଥିଲା । ସେ ନିଜ ଶିକାର କରିବାର ଶୈଳୀରେ ପରିବର୍ତ୍ତନ ଆଣି ଗୁମ୍ଫା ମୁହଁରେ ଲୁଚି ରହି ବେଜୋଆର୍ ଛେଳି ଭଳି ଶିକାର ଉପରେ ଝାମ୍ପ ମାରୁଥିଲା । ଅର୍ପା ସଂରକ୍ଷିତ ଅଞ୍ଚଳର ମୁଖ୍ୟ ରେଞ୍ଜର ସାମୁଏଲ୍ କରାପେତ୍ୟାନ୍ କହିଛନ୍ତି ଯେ ଆରେନ୍ ସମ୍ପୂର୍ଣ୍ଣ ସୁସ୍ଥ ଓ ହୃଷ୍ଟପୁଷ୍ଟ ଅଛି ।

ସେ ଆର୍ମେନିଆରୁ ଉତ୍ତର ଦିଗକୁ ଯାଇ ରୁଷ, ଜର୍ଜିଆ, ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ କକେସସ୍ ପର୍ବତମାଳାର ୧୦,୦୦୦ ଫୁଟରୁ ଅଧିକ ଉଚ୍ଚ ବରଫାବୃତ ଅଞ୍ଚଳ ଦେଇ ଜର୍ଜିଆର ଆଲଗେତି ନ୍ୟାସନାଲ୍ ପାର୍କରେ ପହଞ୍ଚିଥିଲା । ସେପ୍ଟେମ୍ବର ୨୦୨୫ ରେ ସେଠାରେ ହରିଣଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଲାଗିଥିବା କ୍ୟାମେରାରେ ଆରେନ୍ କଏଦ ହୋଇଥିଲା । ୨୦୦୨ ମସିହାରୁ ଆର୍ମେନିଆରେ ଚିହ୍ନଟ ହୋଇଥିବା ୧୦ଟି ଫାରସୀ କଲରାପତରିଆ ବାଘ ମଧ୍ୟରୁ ୩ଟି ନିଜର ଗୋଟିଏ ଲେଖାଏଁ ଅଙ୍ଗ ହରାଇଛନ୍ତି । ସୋଭିଏତ୍ ଯୁଗର ସିଷ୍ଟେମା ଇଲେକ୍ଟ୍ରିକ୍ ବାଡ଼, ଆଧୁନିକ ସୀମା କଟକଣା ଏବଂ ବାରୁଦ ସୁଡ଼ଙ୍ଗଗୁଡ଼ିକ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଯାତାୟାତ ପାଇଁ ବଡ଼ ବାଧକ ସାଜିଛି । ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ଅନୁଯାୟୀ, ଫାରସୀ କଲରାପତରିଆ ବାଘ  ଏକ ବିପଦଗ୍ରସ୍ତ  ପ୍ରଜାତି ଏବଂ ବିଶ୍ୱରେ ଏମାନଙ୍କ ସଂଖ୍ୟା ୧,୦୪୪ ରୁ କମ୍ ରହିଛି । ପଶ୍ଚିମ ଏସିଆର ସବୁଠାରୁ ବଡ଼ ବଣୁଆ ବିରାଡ଼ି ପ୍ରଜାତିର ଏହି ବାଘର ଓଜନ ପ୍ରାୟ ୬୦ ରୁ ୯୦ କିଲୋଗ୍ରାମ ପର‌୍ୟ୍ୟନ୍ତ ହୋଇଥାଏ । ଏମାନେ ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ବିଚରଣ କରନ୍ତି ଏବଂ ସାଧାରଣତଃ ୧୦ ରୁ ୨୦ ବର୍ଷ ବଞ୍ଚିଥାନ୍ତି ।

Leave A Reply

Your email address will not be published.