ଗ୍ୱାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ପରିବାର କିଣିଥିବା ‘ଡେଟଲ୍’ ସାବୁନ୍ ଭିତରୁ ଏକ ଲୁହା ବ୍ଲେଡ୍ ବାହାରିଛି। ସାବୁନ୍ ବ୍ୟବହାର କରିବା ସମୟରେ ଶିଶୁର ଗାଲ କଟିଯିବାରୁ ଏହି ଘଟଣା ପଦାକୁ ଆସିଥିଲା। ଏନେଇ ଜିଲ୍ଲା ଗ୍ରାହକ ବିବାଦ ଆୟୋଗ ସାବୁନ୍ ତିଆରି କରୁଥିବା ମୁଖ୍ୟ କମ୍ପାନି ‘ରେକିଟ୍ ଇଣ୍ଡିଆ’ , ଦୋକାନୀ ଏବଂ ବିତରକଙ୍କ ଉପରେ କଡ଼ା ଜରିମାନା ଲଗାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଶିଶୁଟି ଗାଧୋଉଥିବା ସମୟରେ ସାବୁନ ରେ ଥିବା ବ୍ଲେଡ୍ ତାଙ୍କ ଗାଲରେ ବାଜି ରକ୍ତ ବାହାରିଥିଲା । ପରିବାର ଲୋକେ ସାବୁନକୁ ଭଲଭାବେ ଯାଞ୍ଚ କରିବାରୁ ତାହା ଭିତରେ ଏକ ଲୁହା ବ୍ଲେଡ୍ ଲୁଚି ରହିଥିବା ଦେଖିବାକୁ ପାଇଥିଲେ। ଯେତେବେଳେ ସେମାନେ ସମ୍ପୃକ୍ତ ଦୋକାନୀଙ୍କୁ ଏହାର ଅଭିଯୋଗ କଲେ, ଦୋକାନୀ ତୁରନ୍ତ ଅନ୍ୟ ଏକ ନୂଆ ସାବୁନ୍ ବଦଳାଇ ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଦ୍ୱିତୀୟ ସାବୁନ୍ ମଧ୍ୟରେ ମଧ୍ୟ ସମାନ ଧରଣର ଲୁହା ବ୍ଲେଡ୍ ବାହାରିଥିଲା।
ଏହି ଘଟଣା ପରେ ପରିବାର ଲୋକେ ମାନସିକ ଯନ୍ତ୍ରଣା ଓ ସୁରକ୍ଷା ଅବହେଳା ଅଭିଯୋଗ ଆଣି ଜିଲ୍ଲା କଞ୍ଜୁମର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ସମସ୍ତ ଦିଗକୁ ବିଚାର କରି ଆୟୋଗର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଶର୍ମା କମ୍ପାନି ‘ରେକିଟ୍ ଇଣ୍ଡିଆ ଲିମିଟେଡ୍’କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ସମ୍ପୃକ୍ତ ଦୋକାନୀ ଏବଂ ବିତରକଙ୍କୁ ପ୍ରତ୍ୟେକଙ୍କୁ ୨,୦୦୦ ଟଙ୍କା ଲେଖାଏଁ ଜରିମାନା* କରାଯାଇଛି। ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ପକ୍ଷଙ୍କୁ ଆଗାମୀ ୪୫ ଦିନ ଭିତରେ ଏହି କ୍ଷତିପୂରଣ ଅର୍ଥ ପୈଠ କରିବାକୁ ପଡ଼ିବ, ନଚେତ୍ ବାର୍ଷିକ ୬ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି।
