ନୂଆଦିଲ୍ଲୀ: ବୋତଲ ପାଣି କିଣିବା ବେଳେ ସାବଧାନ୍! ଦେଶର ଲୋକପ୍ରିୟ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର ବ୍ରାଣ୍ଡ ବିସଲେରୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପାଣିର ନମୁନାରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବ୍ରୋମେଟ୍ ମିଳିଥିବା ଅଭିଯୋଗରେ FSSAI କମ୍ପାନୀ ବିରୋଧରେ ମାମଲା ଚଳାଇବାକୁ ଅନୁମତି ଦେଇଥିବା ବେଳେ ଏହାକୁ ଖଣ୍ଡନ କରିଛି ବିସଲେରୀ। ତୃତୀୟ ପକ୍ଷ ଲାବୋରେଟୋରିରେ ପରୀକ୍ଷା ପରେ ପାଣିରେ ବ୍ରୋମେଟ୍ ମାତ୍ରା ନିର୍ଦ୍ଧାରିତ ସୀମା ମଧ୍ୟରେ ଥିବା କମ୍ପାନୀ ଦାବି କରିଛି।
କମ୍ପାନୀର କହିବା ଅନୁଯାୟୀ, ଏହି ବିବାଦ ୨୦୨୫ ସେପ୍ଟେମ୍ବରରେ ଗୋଆସ୍ଥିତ ଏହାର ଉତ୍ପାଦନ କେନ୍ଦ୍ରରେ ତିଆରି ହୋଇଥିବା ଏକ ବ୍ୟାଚ୍ର ପାଣିକୁ ନେଇ। ସେପ୍ଟେମ୍ବର ୩୦ ତାରିଖରେ FSSAI ପକ୍ଷରୁ ଏହି କାରଖାନାରୁ ୬ଟି ନମୁନା ସଂଗ୍ରହ କରାଯାଇଥିଲା। ପ୍ରଥମ ପରୀକ୍ଷାରେ ୫ଟି ନମୁନା ସମସ୍ତ ମାନଦଣ୍ଡ ପୂରଣ କରିଥିବା ବେଳେ ଗୋଟିଏ ନମୁନାରେ ପ୍ରତି ଲିଟର ପାଣିରେ ୧୨ ମାଇକ୍ରୋଗ୍ରାମ୍ ବ୍ରୋମେଟ୍ ମିଳିଥିଲା। ଯେତେବେଳେ ଏହାର ନିର୍ଦ୍ଧାରିତ ସୀମା ହେଉଛି ୧୦ ମାଇକ୍ରୋଗ୍ରାମ୍।
ଏହି ରିପୋର୍ଟକୁ ନେଇ ୨୦୨୫ ନଭେମ୍ବର ୨୨ରେ କମ୍ପାନୀ ଆପତ୍ତି ଉଠାଇଥିଲା। ଏହାପରେ ନମୁନାକୁ ପୁନଃପରୀକ୍ଷା ପାଇଁ ରେଫରାଲ୍ ଲାବୋରେଟୋରିକୁ ପଠାଯାଇଥିଲା। ସେଠାରେ ବ୍ରୋମେଟ୍ ମାତ୍ରା ନିର୍ଦ୍ଧାରିତ ସୀମା ଭିତରେ ଥିବା ଜଣାପଡ଼ିଥିଲେ ମଧ୍ୟ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ସ (PAHs) ନାମକ ରାସାୟନିକ ପଦାର୍ଥ ମିଳିଥିବା ନେଇ ରିପୋର୍ଟରେ ଉଲ୍ଲେଖ ହୋଇଥିଲା। ଦୁଇଟି ରିପୋର୍ଟ ମଧ୍ୟରେ ତଫାତ୍ ଥିବାରୁ ଏହାର ସ୍ପଷ୍ଟୀକରଣ ଆବଶ୍ୟକ ବୋଲି କହିଥିଲା ବିସଲେରୀ। ଏହାପରେ କମ୍ପାନୀ ନିଜ ଉଦ୍ୟମରେ ସେହି ନମୁନାକୁ FSSAI ଅନୁମୋଦିତ ଅନ୍ୟ ଏକ ସ୍ୱାଧୀନ ଲାବୋରେଟୋରିରେ ପରୀକ୍ଷା କରାଇଥିଲା। ସେଠାରେ ମଧ୍ୟ ବ୍ରୋମେଟ୍ ମାତ୍ରା ନିର୍ଦ୍ଧାରିତ ସୀମା ମଧ୍ୟରେ ଥିବା ଜଣାପଡ଼ିଥିବା କମ୍ପାନୀ କହିଛି।
ବିସଲେରୀ କହିଛି, ଏହି ସ୍ୱାଧୀନ ଲାବୋରେଟୋରିର ରିପୋର୍ଟକୁ ୨୦୨୬ ଫେବ୍ରୁଆରୀ ୨ ତାରିଖରେ ଏକ ଔପଚାରିକ ଚିଠି ମାଧ୍ୟମରେ FSSAIର ପଶ୍ଚିମାଞ୍ଚଳ କାର୍ଯ୍ୟାଳୟକୁ ପଠାଯାଇଥିଲା। କିନ୍ତୁ ଏହାପରେ ନିୟାମକ ସଂସ୍ଥା ପକ୍ଷରୁ ଆଉ କୌଣସି ଯୋଗାଯୋଗ କରାଯାଇନଥିବା କମ୍ପାନୀ ଦାବି କରିଛି। ଏପରିକି ଇମେଲ୍ କିମ୍ବା ହାର୍ଡ କପିରେ କୌଣସି ନୋଟିସ୍ ମିଳିନାହିଁ ଏବଂ FSSAI ୱେବସାଇଟ୍ରେ ମଧ୍ୟ ଏଭଳି ନୋଟିସ୍ ଖୋଜି ପାଇନଥିବା ବିସଲେରୀ କହିଛି। ତେଣୁ ଏହି ମାମଲା ବନ୍ଦ ହୋଇଯାଇଥିବା କମ୍ପାନୀ ଧରିନେଇଥିଲା।
ଅନ୍ୟପଟେ, FSSAI କହିଛି ଯେ ପ୍ରଥମ ପରୀକ୍ଷାରେ ବ୍ରୋମେଟ୍ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମିଳିଥିଲା। କମ୍ପାନୀର ଆବେଦନ ପରେ ରେଫରାଲ୍ ଲାବୋରେଟୋରିରେ ପୁନଃପରୀକ୍ଷା କରାଯାଇଥିଲା। ସେଠାରେ ମଧ୍ୟ PAHs ମିଳିବା ପରେ ନମୁନାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଏହାକୁ ଆଧାର କରି ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଅନୁଯାୟୀ ବିସଲେରୀ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଅଭିଯୋଗ ଚଳାଇବାକୁ ମଞ୍ଜୁରି ଦିଆଯାଇଛି।
ତେବେ ବିସଲେରୀ ନିଜ ପକ୍ଷ ରଖି କହିଛି ଯେ ଏହାର ଉତ୍ପାଦନ ପ୍ରକ୍ରିୟାରେ ୧୦ଟି ପର୍ଯ୍ୟାୟରେ ୯୦ରୁ ଅଧିକ ଗୁଣବତ୍ତା ପରୀକ୍ଷା କରାଯାଏ। ଗ୍ରାହକଙ୍କ ପାଇଁ ପାଣିର ସୁରକ୍ଷା ସର୍ବଦା ପ୍ରାଥମିକତା ବୋଲି କମ୍ପାନୀ କହିଛି। ଏହାସହ FSSAI ସହ ସହଯୋଗ ଜାରି ରଖି ଉପଯୁକ୍ତ ନିୟାମକ ପ୍ରକ୍ରିୟାରେ ମାମଲାର ସମାଧାନ କରିବ ବୋଲି ସ୍ପଷ୍ଟ କରିଛି।
ଏବେ ପ୍ରଶ୍ନ ହେଉଛି, ଗୋଟିଏ ନମୁନାକୁ ନେଇ ଭିନ୍ନ ଭିନ୍ନ ଲାବୋରେଟୋରିର ଭିନ୍ନ ଭିନ୍ନ ରିପୋର୍ଟ କେମିତି ଆସିଲା? ଏଠି କିଏ କହୁଛି ସତ? ରିପୋର୍ଟ ମଧ୍ୟରେ ଥିବା ତଫାତ୍ର ସ୍ପଷ୍ଟତା କେବେ ଆସିବ? ଯାହାକୁ ନେଇ ବର୍ତ୍ତମାନ ଯଥାସମ୍ଭବ ବୋତଲ ପାଣି ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଉଛି ।
