କୋଟିଆ:ଆସନ୍ତା ୨ ତାରିଖରେ କୋଟିଆରେ ସରପଞ୍ଚ ଓ ୱାର୍ଡ ମେମ୍ବର ପଦ ପାଇଁ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ରପ୍ରଦେଶ। ନିର୍ବାଚନକୁ ଆଖି ଆଗରେ ରଖି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଛି ସର୍ବଦଳୀୟ ବୈଠକ। ପୂର୍ବ ନିର୍ବାଚନ ଭଳି ଏଥର ମଧ୍ୟ କୋଟିଆ ମାଟିରେ ଆନ୍ଧ୍ରକୁ ବୁଥ୍ କରାଇ ନଦେବାକୁ ଦୃଢ଼ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆନ୍ଧ୍ରର ପଂଚାୟତ ନିର୍ବାଚନ ବେଳେ ଏପଟେ କୋଟିଆରେ ଧୁମଧାମରେ ପାଳନ ହେବ ପରବ ଉତ୍ସବ। ତେବେ କୋଟିଆରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ପରବ ଆୟୋଜନ ସହ ପ୍ରତିଦିନ ଜଣେ ଅଧିକାରୀଙ୍କୁ ଗସ୍ତ କରାଇବାକୁ ନିଷ୍ପତ୍ତି ହୋଇଛି।
ଆସନ୍ତା ଡିସେମ୍ବର ୧ ଓ ୨ ତାରିଖରେ ସୀମାନ୍ତ କୋଟିଆ ଅଞ୍ଚଳରେ କୋଟିଆ ପରବ ପାଳନ ପାଇଁ ନିଷ୍ପତ୍ତି ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଏଥିପାଇଁ ଆସନ୍ତା ନଭେମ୍ବର ୨୫ରୁ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହେବ।
ପରବରେ ନାଚ, ଗୀତ ସହ ବିଭିନ୍ନ ଖେଳକୁଦ ଓ ପ୍ରତିଯୋଗିତାର ଆୟୋଜନ କରାଯିବ । ଏଥିରେ କୋଟିଆର ଯୁବକଯୁବତୀ ଓ ସ୍ଥାନୀୟ ଛାତ୍ରଛାତ୍ରୀ ସାମିଲ ହେବେ। ସବୁ ରାଜନୈତିକ ଦଳର ନେତାମାନେ ମଧ୍ୟ ପରବରେ ଯୋଗଦେବା ସହ ଏହାର ଆୟୋଜନ ଦାୟିତ୍ୱ ନେବେ ।
ପରବ ଜରିଆରେ କୋଟିଆବାସୀଙ୍କ ସହ ଯୋଡ଼ି ହେବାକୁ ଉଦ୍ୟମ କରିବ ପ୍ରଶାସନ । ଏହାସହ ଆନ୍ଧ୍ରର ନିର୍ବାଚନୀ ପ୍ରୟାସକୁ ରୋକିବା ପାଇଁ ନେତା ଓ ଜନତା ଏକାଠି ହେବେ । କୋଟିଆ ମାଟିରେ ଆନ୍ଧ୍ରର କୌଣସି ନିର୍ବାଚନୀ ବୁଥ୍ କରିବାକୁ ଦିଆଯିବ ନାହିଁ ବୋଲି ବୈଠକରେ ସହମତି ହୋଇଛି । କୋଟିଆର ବିକାଶ ପାଇଁ ପ୍ରଶାସନ ଆହୁରି ଅଧିକ କାମ କରିବା ସହ ପ୍ରତିଦିନ ଜଣେ ଅଧିକାରୀ କୋଟିଆ ଗସ୍ତ କରିବେ । ସେଠାକାର ଲୋକଙ୍କ ସହ ଯୋଗାଯୋଗରେ ରହିବା ସହ ଆନ୍ଧ୍ରରେ ଭୋଟ୍ ନଦେବାକୁ ବୁଝାଇବେ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ।
ସୂଚନା ଅନୁସାରେ, କୋଟିଆରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ଘୁଞ୍ଚାଇ ଦେଇଛି। ନଭେମ୍ବର ୨୯ ବଦଳରେ ଡିସେମ୍ବର ୨ରେ ନିର୍ବାଚନ ହେବ। ୨୯ରେ କୋଟିଆରେ ପରବ ମହୋତ୍ସବ ଆୟୋଜନ ନେଇ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘୋଷଣା ପରେ ଆନ୍ଧ୍ର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
