Pak Spies Lurk: ସେନାଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍ରେ ପାକିସ୍ତାନୀ ଗୁପ୍ତଚର! ନୀରବରେ ଦେଖୁଥିଲେ ସବୁ ଗୁପ୍ତ ତଥ୍ୟ, ଖୋଲିଲା ବଡ଼ ସାଇବର ଗୁଇନ୍ଦାଗିରି…
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଗ୍ରୁପ୍ରେ ଚାଲିଥିଲା ଗୁପ୍ତଚରଗିରି! ଯେଉଁ ଗ୍ରୁପ୍ରେ ଥିଲେ ଭାରତୀୟ ପ୍ରତିରକ୍ଷା ଅଧିକାରୀ ଓ ସୁରକ୍ଷା କର୍ମଚାରୀ, ସେହି ଗ୍ରୁପ୍ରେ ପାକିସ୍ତାନ ସହ ଜଡ଼ିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଅନୁପ୍ରବେଶ ନେଇ ଚିନ୍ତା ବଢ଼ିଛି। ଭାରତୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥା ଏକ ସାଇବର ଗୁଇନ୍ଦା ଅଭିଯାନର ସୂଚନା ପାଇବା ପରେ ଏବେ ହାଇଆଲର୍ଟରେ ସୁରକ୍ଷା ବ୍ୟବସ୍ଥା। ଏହି ଘଟଣାରେ ପ୍ରାୟ ୧୩ରୁ ୧୪ଟି ବ୍ୟକ୍ତିଗତ ହ୍ୱାଟ୍ସଆପ୍ ଗ୍ରୁପ୍କୁ ଟାର୍ଗେଟ କରାଯାଇଥିବା ଅଧିକାରୀମାନେ କହିଛନ୍ତି।
ସୂଚନା ଅନୁସାରେ, ପାକିସ୍ତାନରେ ଥିବା ଗୁଇନ୍ଦା ଏଜେଣ୍ଟ (PIOs) ନକଲି କିମ୍ବା ହ୍ୟାକ୍ ହୋଇଥିବା ଭାରତୀୟ ମୋବାଇଲ୍ ନମ୍ବର ବ୍ୟବହାର କରି ଏହି ହ୍ୱାଟ୍ସଆପ୍ ଗ୍ରୁପ୍ଗୁଡ଼ିକରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଗ୍ରୁପ୍ରେ ସାମିଲ ହେବା ପରେ ସେମାନେ ଚୁପ୍ଚାପ୍ ରହି ସଦସ୍ୟମାନଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତା ଉପରେ ନଜର ରଖୁଥିଲେ। ଏପରିକି ସେୟାର ହେଉଥିବା ଦସ୍ତାବିଜ ଓ ଅନ୍ୟାନ୍ୟ ତଥ୍ୟ ଉପରେ ମଧ୍ୟ ନଜର ରଖୁଥିବା ଆଶଙ୍କା ରହିଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଡିଫେନ୍ସ ସଂଗଠନ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPFs) ଏବଂ ଅନ୍ୟ ସମ୍ପୃକ୍ତ ବିଭାଗକୁ ସତର୍କ କରାଯାଇଛି। ସେମାନଙ୍କ ଦ୍ୱାରା ବ୍ୟବହୃତ ସମସ୍ତ ସୋସିଆଲ୍ କମ୍ୟୁନିକେସନ୍ ପ୍ଲାଟଫର୍ମର ସୁରକ୍ଷା ଯାଞ୍ଚ ଓ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଥିବା ଅଜଣା ସଦସ୍ୟଙ୍କୁ ଚିହ୍ନଟ କରି ହଟାଇବାକୁ କୁହାଯାଇଛି।
ସମ୍ପୃକ୍ତ ସଂଗଠନଗୁଡ଼ିକ ପକ୍ଷରୁ କର୍ମଚାରୀଙ୍କ ପାଇଁ ଏକ ସାଧାରଣ ଆଡଭାଇଜରି ମଧ୍ୟ ଜାରି କରାଯାଇଛି। ଏଥିରେ ସାଇବର ସୁରକ୍ଷା ନିୟମ ପାଳନ କରିବା ସହ ସୋସିଆଲ୍ ମିଡିଆ କିମ୍ବା ଅନ୍ୟ ଅନଲାଇନ୍ ପ୍ଲାଟଫର୍ମରେ ସରକାରୀ ଦସ୍ତାବିଜ, ଗୋପନୀୟ କାଗଜପତ୍ର କିମ୍ବା ସମ୍ବେଦନଶୀଳ ତଥ୍ୟ ସେୟାର ନକରିବାକୁ କୁହାଯାଇଛି।
ଏଥିସହ ସନ୍ଦିଗ୍ଧ ଆକାଉଣ୍ଟ ଚିହ୍ନଟ କରିବା, ଅଜଣା ସଦସ୍ୟଙ୍କୁ ଗ୍ରୁପ୍ରୁ ବାହାର କରିବା ଏବଂ ଯୋଗାଯୋଗ ମାଧ୍ୟମକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଡିଜିଟାଲ୍ ଯୋଗାଯୋଗ ମାଧ୍ୟମରେ ଏଭଳି ଅନୁପ୍ରବେଶ ଜାତୀୟ ସୁରକ୍ଷା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଏବେ ସୁରକ୍ଷା ସଂସ୍ଥାଗୁଡ଼ିକର ଫୋକସ୍ରେ ରହିଛି ଡିଜିଟାଲ୍ ଯୋଗାଯୋଗ ବ୍ୟବସ୍ଥାର ସୁରକ୍ଷା।
