Latest Odisha News

BREAKING NEWS

Human Urine Fertiliser: ମାଟିକୁ ଉର୍ବର କରିବ ମଣିଷ ପରିସ୍ରା! NIT ରାଉରକେଲାର ବୈଜ୍ଞାନିକଙ୍କ କମାଲ, ମିଳିଲା ୯୮%ରୁ ଅଧିକ ଫସଫରସ୍…

ଭୁବନେଶ୍ବର: ଅଦରକାରୀ ନୁହେଁ, ସୁନାଠୁ ମୂଲ୍ୟବାନ ମଣିଷଙ୍କ ପରିସ୍ରା!

ଓଡ଼ିଆ ଗବେଷକଙ୍କ ଚମତ୍କାର ଉଦ୍ଭାବନ…

ଚାଷ ପାଇଁ ଯୋଗାଇବ ସାର!

ଆପଣ ଜାଣିଥିବେ, ପଶୁଙ୍କ ମଳମୂତ୍ରରୁ ଜୈବିକ ଖତ ପ୍ରସ୍ତୁତ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି, ଆପଣଙ୍କ ପରିସ୍ରା ମଧ୍ୟ ମାଟି ପାଇଁ ହୋଇପାରେ ଉର୍ବରକ? ହଁ, ଏହା କେବଳ କଳ୍ପନା ନୁହେଁ, ବରଂ ଏହାକୁ ସତ କରି ଦେଖାଇଛନ୍ତି ଓଡ଼ିଶାର NIT ରାଉରକେଲାର ଗବେଷକମାନେ। ମଣିଷର ପରିସ୍ରାରୁ ଉଦ୍ଭିଦ ପାଇଁ ଉପଯୋଗୀ ସାର ପ୍ରସ୍ତୁତ କରିବାର ଏକ ନୂଆ ପଦ୍ଧତି ବିକଶିତ କରିଛନ୍ତି ସେମାନେ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକ୍ରିୟାରେ ୯୮ ପ୍ରତିଶତରୁ ଅଧିକ ଫସଫରସ୍ ଉଦ୍ଧାର କରିବାରେ ସଫଳତା ମିଳିଛି। ଏହି ଗବେଷଣା ଭବିଷ୍ୟତରେ ସାର ଉତ୍ପାଦନ ଏବଂ ବର୍ଜ୍ୟବସ୍ତୁର ପୁନଃବ୍ୟବହାର କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିଛି।

NIT ରାଉରକେଲାର ଗବେଷକମାନେ ଇଲେକ୍ଟ୍ରୋକେମିକାଲ୍ ବା ବିଦ୍ୟୁତ୍ ରାସାୟନିକ ପ୍ରକ୍ରିୟା ବ୍ୟବହାର କରି ପରିସ୍ରାରୁ ‘ଷ୍ଟ୍ରୁଭାଇଟ୍’ (Struvite) ନାମକ ଏକ ଧୀରେ ଧୀରେ ପୋଷକତତ୍ତ୍ୱ ମୁକ୍ତ କରୁଥିବା ସାର ପ୍ରସ୍ତୁତ କରିବାର ପଦ୍ଧତି ବିକଶିତ କରିଛନ୍ତି। ଏହି ପ୍ରକ୍ରିୟାରେ ପରିସ୍ରାରେ ଥିବା ଫସଫରସ୍ ଭଳି ଉପାଦାନକୁ ପୁନରୁଦ୍ଧାର କରାଯାଇପାରିବ।

‘ଜର୍ଣ୍ଣାଲ୍ ଅଫ୍ ୱାଟର୍ ପ୍ରୋସେସ୍ ଇଞ୍ଜିନିୟରିଂ’ରେ ଏହି ଗବେଷଣା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। NIT ରାଉରକେଲା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୫ ଲିଟର ବିଶିଷ୍ଟ ରିଆକ୍ଟରରେ ପରୀକ୍ଷଣ ସମୟରେ ୯୮ ପ୍ରତିଶତରୁ ଅଧିକ ଫସଫରସ୍ ଉଦ୍ଧାର କରିବାରେ ସଫଳତା ମିଳିଛି। ସେହିପରି ୩୫ ଲିଟର ବିଶିଷ୍ଟ ବଡ଼ ରିଆକ୍ଟରରେ ମଧ୍ୟ ୯୧ ପ୍ରତିଶତରୁ ଅଧିକ ଫସଫରସ୍ ଉଦ୍ଧାର ହୋଇଛି।

କେମିତି ପ୍ରସ୍ତୁତ ହେଉଛି ଏହି ସାର?

ସାଧାରଣତଃ ଚାଷ ପାଇଁ ବ୍ୟବହୃତ NPK ସାରରେ ନାଇଟ୍ରୋଜେନ୍, ଫସଫରସ୍ ଓ ପୋଟାସିୟମ୍ ରହିଥାଏ। ପାରମ୍ପରିକ ପଦ୍ଧତିରେ ଏହି ସାର ଉତ୍ପାଦନ ପାଇଁ ବହୁଳ ଶକ୍ତି ଓ ଖର୍ଚ୍ଚ ଆବଶ୍ୟକ ହୋଇଥାଏ। ଅନ୍ୟପଟେ, ପରିସ୍ରାରୁ ପୋଷକତତ୍ତ୍ୱ ଅଲଗା କରିବାର ପୁରୁଣା ପଦ୍ଧତିରେ ଅତିରିକ୍ତ ରାସାୟନିକ ପଦାର୍ଥ ଓ ମ୍ୟାଗ୍ନେସିୟମ୍ ଲବଣ ବ୍ୟବହାର କରିବାକୁ ପଡ଼େ। କିନ୍ତୁ NIT ରାଉରକେଲାର ଗବେଷକମାନେ ଏଥିପାଇଁ ମ୍ୟାଗ୍ନେସିୟମ୍ ଇଲେକ୍ଟ୍ରୋଡ୍ ବ୍ୟବହାର କରିଛନ୍ତି। ଏଥିରେ ବିଦ୍ୟୁତ୍ ପ୍ରବାହ କରାଯିବା ପରେ ମ୍ୟାଗ୍ନେସିୟମ୍ ଇଲେକ୍ଟ୍ରୋଡ୍ ଧୀରେ ଧୀରେ ଦ୍ରବୀଭୂତ ହୋଇ ମ୍ୟାଗ୍ନେସିୟମ୍ ଆୟନ୍ ମୁକ୍ତ କରେ। ଏହି ଆୟନ୍ ପରିସ୍ରାରେ ଥିବା ଅନ୍ୟ ଉପାଦାନ ସହ ପ୍ରତିକ୍ରିୟା କରି ଷ୍ଟ୍ରୁଭାଇଟ୍ ସୃଷ୍ଟି କରେ। ଏହାକୁ ପରେ ସାର ଭାବେ ବ୍ୟବହାର କରାଯାଇପାରିବ।

ଏହି ପଦ୍ଧତି ସମ୍ପର୍କରେ ବାୟୋଟେକ୍ନୋଲୋଜି ଆଣ୍ଡ ମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ପି. ବାଲାସୁବ୍ରମଣ୍ୟମ୍ କହିଛନ୍ତି ଯେ, ଏହି ପ୍ରକ୍ରିୟାରେ ବାହାରୁ ଅତିରିକ୍ତ ରାସାୟନିକ ପଦାର୍ଥ ମିଶାଇବାର ଆବଶ୍ୟକତା ନାହିଁ। ମ୍ୟାଗ୍ନେସିୟମ୍ ଆନୋଡ୍ ମାଧ୍ୟମରେ ଆବଶ୍ୟକ ଆୟନ୍ ସେହିଠାରେ ହିଁ ଉତ୍ପନ୍ନ ହୋଇଥାଏ।

ତେବେ ଗବେଷଣା ସମୟରେ ଗବେଷକମାନେ ଏକ ସମସ୍ୟା ଚିହ୍ନଟ କରିଥିଲେ। ପ୍ରକ୍ରିୟା ଚାଲିବା ସମୟରେ ଇଲେକ୍ଟ୍ରୋଡ୍‌ରେ କାଦୁଅ ଭଳି ଆବରଣ ଜମା ହେଉଥିଲା। ଏହା ବିଦ୍ୟୁତ୍ ପ୍ରବାହ ଓ ରାସାୟନିକ ପ୍ରତିକ୍ରିୟାକୁ ବାଧା ଦେବା ସହ ପ୍ରକ୍ରିୟାର ଦକ୍ଷତା କମାଇ ଦେଉଥିଲା। ଏହାର ସମାଧାନ ପାଇଁ ଗବେଷକମାନେ ‘ରିଭର୍ସ ପୋଲାରାଇଜେସନ୍’ ପଦ୍ଧତି ଆପଣାଇଥିଲେ। ଏହି ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ବିଦ୍ୟୁତ୍ ପ୍ରବାହର ଦିଗ ପରିବର୍ତ୍ତନ କରାଯାଏ। ଫଳରେ ଇଲେକ୍ଟ୍ରୋଡ୍‌ରେ ଜମା ହେଉଥିବା ଆବରଣ ହଟିବା ସହ ମ୍ୟାଗ୍ନେସିୟମ୍ ଦ୍ରବୀଭୂତ ହେବା ପ୍ରକ୍ରିୟା ଜାରି ରହେ।

କେବଳ ସାର ପ୍ରସ୍ତୁତ କରିବାରେ ଗବେଷଣା ସୀମିତ ରହିନଥିଲା। ଉଦ୍ଧାର ହୋଇଥିବା ଷ୍ଟ୍ରୁଭାଇଟ୍‌ର ଗୁଣବତ୍ତା ଯାଞ୍ଚ ପାଇଁ ଏକ୍ସ-ରେ ଡିଫ୍ରାକ୍ସନ୍ (XRD) ଏବଂ ଫୁରିଅର୍ ଟ୍ରାନ୍ସଫର୍ମ ଇନ୍‌ଫ୍ରାରେଡ୍ ସ୍ପେକ୍ଟ୍ରୋସ୍କୋପି (FTIR) ପରୀକ୍ଷା କରାଯାଇଥିଲା। ଏଥିରେ ଉଦ୍ଧାର ହୋଇଥିବା ପଦାର୍ଥ ଷ୍ଟ୍ରୁଭାଇଟ୍ ବୋଲି ଚିହ୍ନଟ ହୋଇଥିଲା।

ଏହାପରେ ତୁଳସୀ (Basil), ଝୁଡଙ୍ଗ (Cowpea) ଓ ଭେଣ୍ଡି ଗଛରେ ଏହି ସାରର ପ୍ରୟୋଗ କରାଯାଇଥିଲା। ପରୀକ୍ଷଣରୁ ଜଣାପଡ଼ିଥିଲା ଯେ, ଗଛର ବୃଦ୍ଧିରେ ଏହି ସାରର ପ୍ରଭାବ ବଜାରରେ ମିଳୁଥିବା ବାଣିଜ୍ୟିକ NPK ସାର ସହ ପ୍ରାୟ ସମାନ ରହିଥିଲା।

ତେବେ ଏହି ଗବେଷଣାରେ କିଛି ଆର୍ଥିକ ଆହ୍ୱାନ ମଧ୍ୟ ସାମ୍ନାକୁ ଆସିଛି। ୩୫ ଲିଟର ରିଆକ୍ଟରରେ କେବଳ ଷ୍ଟ୍ରୁଭାଇଟ୍ ଉଦ୍ଧାର କରିବା ପ୍ରକ୍ରିୟା ଅଧିକ ପରିଚାଳନା ଖର୍ଚ୍ଚ ଯୋଗୁଁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହୋଇପାରିନଥିଲା। କିନ୍ତୁ ଏହା ସହ ଆମୋନିୟମ୍ ସଲଫେଟ୍ ଭଳି ଅନ୍ୟ ପୋଷକତତ୍ତ୍ୱ ଉଦ୍ଧାର ପ୍ରକ୍ରିୟାକୁ ଯୋଡ଼ିବା ପରେ ଆର୍ଥିକ ଦିଗରୁ ଏହାର ମୂଲ୍ୟାଙ୍କନରେ ଉନ୍ନତି ଆସିଥିଲା। ତେଣୁ ଏହି ଗବେଷଣାକୁ ଭବିଷ୍ୟତରେ ବଡ଼ ଧରଣରେ କାର୍ଯ୍ୟକାରୀ କରିବା ପାଇଁ ଆହୁରି ପରୀକ୍ଷଣ ଓ ପ୍ରକ୍ରିୟାର ଉନ୍ନତି ଆବଶ୍ୟକ। ତଥାପି ଅଦରକାରୀ ବର୍ଜ୍ୟରୁ ଉପଯୋଗୀ ସାର ପ୍ରସ୍ତୁତ କରିବାର ଏହି ଉଦ୍ଭାବନ ଓଡ଼ିଶାର ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା।

Leave A Reply

Your email address will not be published.