ନୂଆଦିିଲ୍ଲୀ: ଶିରୋମଣୀ ଅକାଳୀ ଦଳର ଘରବାହୁଡା । ୬ବର୍ଷ ହେବ ଭାଙ୍ଗିଯାଇଥିବା ୨୪ ବର୍ଷ ପୁରୁଣା ମେଂଟ ପୁଣି ଏକାଠି । ପଂଜାବରେ ପୁଣି ଫେରିଲା ଅକାଳୀ-ବିଜେପି ମେଂଟ । କୃଷି ଆଇନକୁ ନେଇ ଅକାଳୀ ଦଳ ଏନଡିଏ ମେଂଟରୁ ଓହରି ଯିବାର ୬ ବର୍ଷ ପରେ ପୁଣି ହୋଇଛି ମହାମିଳନ । ଉଭୟ ଦଳ ମିଶି ପୁଣି ପଂଜାବ ନିର୍ବାଚନ ଲଢିବାକୁ ହାତ ମିଳାଇଛନ୍ତି । ଗୁରୁପର୍ବ ଅବସରରେ ରାଜଧାନୀ ଦଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ନୀତିନ ନବୀନ, ଗୃହ ମନ୍ତ୍ରୀ ଅମିତ ଶାହ ଓ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଏହି ମେଂଟ ବିଷୟରେ ଘୋଷଣା କରିଛନ୍ତି । ଏହି ପୁରୁଣା ସହଯୋଗୀ ପୁଣି ଏକାଠି ହେବା ନେଇ କିଛି ସପ୍ତାହ ଧରି ଚାଲିଥିଲା ଚର୍ଚ୍ଚା । ମେଂଟ ଘୋଷଣା ପରେ ଶାହ କହିଛନ୍ତି ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଏନଡିଏର ସବୁଠାରୁ ପୁରୁଣା ସହଯୋଗୀ ଅକାଳୀ ଦଳ ପୁଣି ଏନଡିଏକୁ ଫେରିଆସିଛି । ମେଂଟ ଉପରେ ପ୍ରଧାନମନ୍ତ୍ରୀ ମୋଦି ବି ଖୁସି ବ୍ୟକ୍ତ କରିଥିବା ଶାହ କହିବା ସହ ମେଂଟକୁ ହିନ୍ଦୁ-ଶିଖ୍ ଭାଇଚାରାର ପ୍ରତୀକ ବୋଲି ବିବେଚନା କିରଛନ୍ତି । ଏହି ମେଂଟ କେବଳ ପଂଜାବରେ ନୁହେଁ ବରଂ ସମଗ୍ର ଦେଶ ଏବଂ ବିଶ୍ୱରେ ହିନ୍ଦୁ-ଶିଖ ଭାଇଚାରାର ଏକ ପ୍ରତୀକ ଭାବେ କାମ କରିବ ବୋଲି କହିଛନ୍ତି ଅମିତ ଶାହ । ୨୦୨୯ ଡିସେମ୍ବର ସୁଦ୍ଧା ପଂଜାବକୁ ନିଶାମୁକ୍ତ କରିବାର ପ୍ରତିଶ୍ରୁତି ଦୋହରାଇଛନ୍ତି ଶାହ । ଏହାସହ ଆପ୍ ସରକାର ଏବଂ ପୂର୍ବତନ କଂଗ୍ରେସ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ତେବେ ଆସନ ବଂଟନ ସମ୍ପର୍କରେ କୌଣସି ଘୋଷଣା ହୋଇନଥିଲେ ବି ଶାହ କହିଛନ୍ତି ମେଂଟରେ ଅକାଳୀ ଦଳ ବଡଭାଇ ଭୂମିକାରେ ରହିବ । ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସେହି ଦଳରୁ ହିଁ ହେବେ । ଉଭୟ ଦଳ ମିଶି ୧୧୭ଟି ଆସନରେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ଶାହ ।
୨୦୨୭ ପଂଜାବ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ଶିରୋମଣୀ ଅକାଳୀ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ଆଲୋଚନା ଚାଲିଛି । ଆକଳନ ଅନୁସାରେ ମେଂଟ ଅଧିନରେ ବିଜେପି ରାଜ୍ୟର ମୋଟ୍ ୧୧୭ଟି ଆସନରୁ ୪୦ଟିରେ ଲଢିବ । ଯଦି ଏପରି ହୁଏ ୨୦୨୦ରେ ମେଂଟ ଭାଙ୍ଗିବା ପୂର୍ବରୁ ବିଜେପି ଯେଉଁ ୨୩ ଆସନରେ ଲଢୁଥିଲା ଏଥର ତାହା ଦ୍ୱିଗୁଣିତ ହେବା ପୂର୍ବରୁ ଏହି ମେଂଟରେ ମୁଖ୍ୟ ଭୂମିକାରେ ଥିବା ଶିରୋମଣୀ ଅକାଳୀ ଦଳ ୯୪ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଥିଲା । ୨୦୨୨ରେ ଉଭୟ ଦଳ ଅଲଗା ଲଢିଥିଲେ । ବିଜେପି ୨ଟି ଆସନ ଓ ଅକାଳୀ ୩ଟି ଆସନରେ ବିଜୟଲାଭ କରିଥିଲା । ତିନୋଟି କୃଷି ଆଇନକୁ ନେଇ ବିବାଦ ପରେ ଅକାଳୀ ୨୦୨୦ ସେପଟେମ୍ବରରେ ବିଜେପି ସହ ୨୪ ବର୍ଷ ପୁରୁଣାା ମେଂଟ ଭାଙ୍ଗିଦେଇଥିଲା । ତେବେ ଏହି ମେଂଟ କେବଳ ଏକ ରାଜନୈତିକ ମେଂଟ ନୁହେଁ, ବରଂ ପଂଜାବର କଲ୍ୟାଣ ପାଇଁ ଏକ ଭାବଗତ ମେଂଟ ବୋଲି କହିଛନ୍ତି ସୁଖବୀର ବାଦଲ । ମେଂଟକୁ ସୁଖବୀରଙ୍କ ପିତା ପ୍ରକାଶ ସିଂହ ବାଦଲ ଏବଂ ଅଟଳ ବିହାରୀ ବାଜପେୟୀ ଗଢିଥିଲେ ।
