ଫ୍ଲୋରିଡା: ବିପଦଜନକ ବର୍ମି ଅଜଗରମାନଙ୍କୁ ଠାବ କରିବା ଏବଂ ଧରିବା ପାଇଁ ଆମେରିକାର ଫ୍ଲୋରିଡାରେ ସୌରଶକ୍ତି ଚାଳିତ ରୋବୋଟିକ୍ ଠେକୁଆ ବ୍ୟବହାର କରାଯାଉଛି । ଏଆଇ କ୍ୟାମେରା ଏବଂ ବିଶେଷ ଜ୍ଞାନକୌଶଳରେ ସଜ୍ଜିତ ଏହି ଡିଭାଇସ୍ଗୁଡ଼ିକ ଅଜଗରଙ୍କୁ ଲୁଚିଥିବା ସ୍ଥାନରୁ ବାହାର କରିବାରେ ଏବଂ ସେମାନଙ୍କୁ ଚିହ୍ନଟ କରିବାରେ ସହାୟକ ହେଉଛନ୍ତି । ଫ୍ଲୋରିଡାର ଏଭରଗ୍ଲେଡ୍ସ ଅଞ୍ଚଳରେ ବର୍ମି ଅଜଗରଙ୍କ ବଢ଼ୁଥିବା ସଂଖ୍ୟା ସ୍ଥାନୀୟ ଜୈବ ବିବିଧତା ଓ ପରିବେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଦକ୍ଷିଣ-ପୂର୍ବ ଏସିଆର ମୂଳ ବାସିନ୍ଦା ଏହି ସାପଗୁଡ଼ିକ ପୋଷା ପ୍ରାଣୀ ବାଣିଜ୍ୟ ମାଧ୍ୟମରେ ଆମେରିକା ପହଞ୍ଚିଥିଲେ ଏବଂ ପରବର୍ତ୍ତୀ ସମୟରେ ଜଙ୍ଗଲରେ ଏମାନଙ୍କ ବଂଶ ବିସ୍ତାର ହୋଇଥିଲା । ବଡ଼ ଆକାରର ଏହି ଅଜଗରମାନେ ଛୋଟ ସ୍ତନ୍ୟପାୟୀ ପ୍ରାଣୀ, ପକ୍ଷୀ ଏବଂ ଅନ୍ୟ ସାପମାନଙ୍କୁ ଶିକାର କରୁଥିବାରୁ ସ୍ଥାନୀୟ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି ।
ସାଉଥ୍ ଫ୍ଲୋରିଡା ୱାଟର ମ୍ୟାନେଜମେଣ୍ଟ ଡିଷ୍ଟ୍ରିକ୍ଟ ଏବଂ ୟୁନିଭର୍ସିଟି ଅଫ୍ ଫ୍ଲୋରିଡାର ମିଳିତ ଉଦ୍ୟମରେ ଏହି ରୋବୋଟିକ୍ ଠେକୁଆଗୁଡ଼ିକୁ ବିକଶିତ କରାଯାଇଛି, ଯାହାର ବ୍ୟବହାର ୨୦୨୫ରୁ ଆରମ୍ଭ ହୋଇଛି । ଏଗୁଡ଼ିକ ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ପରିଚାଳିତ ହେବା ସହ ଅସଲି ଠେକୁଆ ଭଳି ଶରୀରର ତାପମାତ୍ରା ଓ ଗନ୍ଧ ସୃଷ୍ଟି କରି ଅଜଗରଙ୍କୁ ଆକର୍ଷିତ କରନ୍ତି । କୌଣସି ଅଜଗର ନିକଟକୁ ଆସିଲେ ଏଥିରେ ଲାଗିଥିବା ଏଆଇ କ୍ୟାମେରା ତାହାର ଗତିବିଧିକୁ ଧରି ଅଧିକାରୀମାନଙ୍କୁ ସତର୍କ ସୂଚନା ପଠାଏ ଏବଂ ବିଶେଷଜ୍ଞ ଦଳ ପହଞ୍ଚି ସାପକୁ ସୁରକ୍ଷିତ ଭାବେ ଧରନ୍ତି । ଏହା ସହିତ ବୈଜ୍ଞାନିକମାନଙ୍କ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ବର୍ମି ଅଜଗରମାନେ ମୁଖ୍ୟତଃ ଭୂମିରେ ରହିବାକୁ ପସନ୍ଦ କରନ୍ତି, ତେବେ ଛୋଟ ଅଜଗରମାନେ ହାଲୁକା ଓଜନ ଯୋଗୁଁ ଗଛ ଚଢ଼ିବାର ସମ୍ଭାବନା ଅଧିକ ଥାଏ । ଅନ୍ୟପଟେ, ଅଜଗର ନିୟନ୍ତ୍ରଣ ପାଇଁ ଫ୍ଲୋରିଡାରେ ପ୍ରତିବର୍ଷ ଫ୍ଲୋରିଡା ପାଇଥନ୍ ଚ୍ୟାଲେଞ୍ଜ ମଧ୍ୟ ଆୟୋଜିତ ହେଉଛି । ୨୦୨୬ର ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶ ଓ ରାଜ୍ୟରୁ ୯୦୭ ଜଣ ଅଂଶଗ୍ରହଣ କରି ୨୮୦ଟି ବର୍ମି ଅଜଗର ଧରିଥିବା ବେଳେ ୨୦୧୭ ପରଠାରୁ ବିଭିନ୍ନ ଅଭିଯାନ ମାଧ୍ୟମରେ ୧୯ ହଜାରରୁ ଅଧିକ ଅଜଗରଙ୍କୁ ହଟାଯାଇ ସାରିଛି ।
