‘ବାପାଙ୍କ ହତ୍ୟା ପାଇଁ ହଟାଯାଇଥିଲା ସୁରକ୍ଷା’ ପୁଣି ଚର୍ଚ୍ଚାରେ ରାଜୀବ ଗାନ୍ଧୀଙ୍କ ହତ୍ୟା, ରାହୁଲଙ୍କ ବିସ୍ଫୋରକ ବୟାନ
ନୂଆଦିଲ୍ଲୀ: ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିବାପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଜାଣିଶୁଣି ହଟାଯାଇଥିଲା । ଏପରି ବୟାନ ଦେଇଛନ୍ତି ରାଜୀବ ଗାନ୍ଧୀଙ୍କ ପୁଅ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସୋନିଆ ଗାନ୍ଧୀ ଓ ନିଜ ଭଉଣୀ ପ୍ରୀୟଙ୍କା ସହ ମିଶି ମାଙ୍କ ସ୍ମୃତିକଥା ଉପରେ ଆଲୋଚନା କରୁଥିବା ବେଳେ ରାହୁଲ ଏହି ଦାବି ଉଠାଇଛନ୍ତି । ତାଙ୍କ ବାପାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା, ଯାହାଫଳରେ ତାଙ୍କୁ ହତ୍ୟା କରାଯାଇପାରିବ । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହଠାତ୍ ପ୍ରଧାନମନ୍ତ୍ରୀ ପଦକୁ ଆସିଥିଲେ ପୂର୍ବତନ ପାଇଲଟ ରାଜୀବ ଗାନ୍ଧୀ । ବର୍ଷ ବର୍ଷ ଧରି ସେ ବୁଲେଟପ୍ରୁଫ୍ ଜ୍ୟାକେଟ୍ ପିନ୍ଧୁଥିଲେ, ଏବଂ କଡା ସୁରକ୍ଷା ବଳୟରେ ରହୁଥିଲେ । ଯେଉଁଥିପାଇଁ ବିରୋଧୀମାନେ ତାଙ୍କୁ ଉପହାସ କରୁଥିଲେ । ତାପରେ ଆସିଲା ୧୯୮୯ ନିର୍ବାଚନ । ଯେଉଁଥିରେ ରାଜୀବ ଗାନ୍ଧୀ ପରାଜିତ ହେଲେ । ଭି.ପି ସିଂହଙ୍କ ନେତୃତ୍ୱରେ ବିରୋଧୀ ମେଂଟ ବିଜୟୀ ହୋଇଥିଲା । ସେହି ସମୟରେ ଭି.ପି ସିଂହ ଅଭିଯୋଗ କରିଥିଲେ, କମାଣ୍ଡୋମାନଙ୍କ ସୁରକ୍ଷା ବଳୟ ମଧ୍ୟରେ ରହୁଥିବା ରାଜୀବ ସାଧାରଣଲୋକଙ୍କଠାରୁ ଦୂରେଇ ଯାଇଛନ୍ତି ।
୧୯୯୧ରେ ବିହାରରେ ଆୟୋଜିତ ଏକ ଜନସଭାରେ ରାଜୀବ ନିଜେ ଏକଥା ସ୍ୱୀକାର କରିଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ଏକ ବ୍ୟବସ୍ଥାରେ ବନ୍ଦୀ ହୋଇଥିବା କହିଥିଲେ ରାଜୀବ । କିନ୍ତୁ ବିପଦ ଟଳିନାହିଁ । ଏପରି ପ୍ରଚାର କରନ୍ତୁନାହିଁ ,ନିଜ ସୁରକ୍ଷା କରନ୍ତୁ ବୋଲି ସେ କହିଥିଲେ । ଏହାପରେ ମେ ୨୧ରେ ସେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ପହଂଚିଥିଲେ । ଜଣେ ମହିଳା ଚନ୍ଦନ କାଠର ମାଳା ଅର୍ପଣ କରିବାକୁ ଅଂଟା ନୁଆଁଇ ପ୍ରଣାମ କରୁଥିବା ବେଳେ ବୋମା ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କ ମୃତୁ୍ୟ ହୋଇଥିଲା । ସେତେବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା ।
ଏହି ଘଟଣା ପୂର୍ବରୁ ରାହୁଲ ବାପାଙ୍କ ସହ ବିହାର ଗସ୍ତରେ ଯାଇଥିଲେ । ସେଠାରେ ରାଜୀବ ଗାନ୍ଧୀଙ୍କ ଉପରକୁ ପଥର ମାଡ ହୋଇଥିଲା । ସେସବୁ ଘଟଣା ପରେ ସେ ମା ସୋନିଆଙ୍କୁ କହିଥିଲେ ଯଦି ବାପାଙ୍କ ସୁରକ୍ଷା ପ୍ରତି ଧ୍ୟାନ ନଦେଲେ ଖୁବଶୀଘ୍ର ମୋତେ ବାପାଙ୍କ ଅନ୍ତିମସଂସ୍କାର ପାଇଁ ଫେରିବାକୁ ପଡିବ । ରାହୁଲଙ୍କ ଭବିଷ୍ୟ ବାଣୀ ଠିକ୍ ହେଲେ ତାର କିଛିଦିନ ପରେ ରାହୁଲ ପଢିବାକୁ ବିଦେଶ ଚାଲିଗଲେ । ସେହି ସମୟରେ ରାଜୀବ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇଦିଆଗଲା । ଏବଂ ପରେ ପରେ ତାଙ୍କର ହତ୍ୟା । ଏସବୁ ଷଡଡନ୍ତ୍ର ଥିଲା ବୋଲି କହିଛନ୍ତି ରାହୁଲ ।
