ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଲାଗୁ ହେବ ନୂଆ ଅବକାରୀ ନୀତି । ଏହା ସହ ଦିଲ୍ଲୀରେ ମଦ କିଣିବାର ଅନୁଭବ ଏବେ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । ଅଧିକ ପ୍ରିମିୟମ ବ୍ରାଣ୍ଡ, ଉନ୍ନତ ସୁବିଧା ଓ ନୂଆ ରିଟେଲ୍ ବ୍ୟବସ୍ଥା ଆଣିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର ।
ଏହି ପରିବର୍ତ୍ତନର ଅନ୍ୟ ଏକ ପ୍ରଭାବ ଗ୍ରାହକଙ୍କ ପକେଟ୍ ଉପରେ ପଡ଼ିପାରେ । ଆଗକୁ ମଦ ବୋତଲର ଦାମ୍ ବଢ଼ିବାର ଆଶଙ୍କା ରହିଛି। କାରଣ ନୂଆ ଅବକାରୀ ନୀତି ଆଣିବା ପ୍ରସ୍ତୁତିରେ ଦିଲ୍ଲୀ ସରକାର ।
ନୂଆ ଅବକାରୀ ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ତାଙ୍କ ମନ୍ତ୍ରିମଣ୍ଡଳ ସହଯୋଗୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ତେବେ ନୀତି କେବେ ଲାଗୁ ହେବ, ସେନେଇ ଏପର୍ଯ୍ୟନ୍ତ ଅନ୍ତିମ ନିଷ୍ପତ୍ତି ହୋଇନାହିଁ ।
ନୂଆ ନୀତିର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ମଦ ବିକ୍ରିରୁ ସରକାରୀ ଆୟ ବଢ଼ାଇବା। ୨୦୨୫-୨୬ ଆର୍ଥିକ ବର୍ଷରେ ଦିଲ୍ଲୀ ସରକାର ମଦ ବିକ୍ରିରୁ ପ୍ରାୟ ୬,୩୦୦ କୋଟି ଟଙ୍କା ରାଜସ୍ୱ ପାଇଥିଲେ। ଚଳିତ ଆର୍ଥିକ ବର୍ଷ ପାଇଁ ୭,୨୦୦ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ପୂରଣ ପାଇଁ ଅବକାରୀ ଶୁଳ୍କରେ ପରିବର୍ତ୍ତନ ଓ ଖୁଚୁରା ବିକ୍ରେତାଙ୍କ ମାର୍ଜିନ୍କୁ ପୁନଃନିର୍ଦ୍ଧାରଣ କରିବା ଉପରେ ବିଚାର ଚାଲିଛି। ବର୍ତ୍ତମାନ ଭାରତୀୟ ସ୍ପିରିଟ୍ସ ଉପରେ ମଦର ଶ୍ରେଣୀ ଓ ପାଇକାରୀ ମୂଲ୍ୟ ଅନୁସାରେ ୩୦ରୁ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ଅବକାରୀ ଶୁଳ୍କ ଲାଗୁ ହେଉଛି। ଏହି ହାର ବଢ଼ାଇବା ନେଇ ମଧ୍ୟ ପ୍ରସ୍ତାବ ରହିଛି।
