Latest Odisha News

BREAKING NEWS

ସିଗାରେଟ୍ ବଳକା ଖଣ୍ଡରୁ ତିଆରି ହେବ ମଜଭୁତ ରାସ୍ତା

କ୍ୟାନବେରା: ସିଗାରେଟ୍ ପିଇବା ପରେ ଲୋକମାନେ ପ୍ରାୟତଃ ଏହାର ବଳକା ଖଣ୍ଡକୁ ରାସ୍ତା କିମ୍ବା ଫୁଟପାଥ୍‌ରେ ଫିଙ୍ଗି ଦିଅନ୍ତି । ଏଥିରେ ଥିବା ପ୍ଲାଷ୍ଟିକ୍ ଫିଲ୍ଟର ବର୍ଷ ବର୍ଷ ଧରି ପରିବେଶରେ ନଷ୍ଟ ନ ହୋଇ ରହିଥାଏ । ଏହି ସିଗାରେଟ୍ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏକ ନିଆରା ଉପାୟ ବାହାର କରିଛନ୍ତି । ମେଲବର୍ଣ୍ଣ ସ୍ଥିତ ଆରଏମ୍ଆଇଟି ୟୁନିଭର୍ସିଟିର ଇଞ୍ଜିନିୟରମାନେ ସିଗାରେଟ୍ ଖଣ୍ଡକୁ ରାସ୍ତା ନିର୍ମାଣରେ ବ୍ୟବହାର କରି ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ଯେ ଗବେଷକମାନେ ସିଗାରେଟ୍ ଖଣ୍ଡକୁ ଡାମର  ଭିତରେ ବନ୍ଦ କରି ରାସ୍ତା ତିଆରି ସାମଗ୍ରୀରେ ପରିଣତ କରିବାର ଏକ କୌଶଳ ବିକଶିତ କରିଛନ୍ତି  । ଏଥିରେ ସିଗାରେଟ୍ ଖଣ୍ଡକୁ ଡାମର କଂକ୍ରିଟ୍‌ରେ ମିଶାଇବା ପୂର୍ବରୁ ବିଟୁମେନ୍  କିମ୍ବା ପାରାଫିନ୍ ୱାକ୍ସ  ଦ୍ୱାରା କୋଟିଂ ବା ଆବରଣ ଦିଆଯାଇଛି, ଯାହାଦ୍ୱାରା ଫିଲ୍ଟରରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ବାହାରକୁ ବାହାରି ପାରିବ ନାହିଁ ।

ଗବେଷଣାରୁ ଜଣାପଡ଼ିଛି ଯେ ସଠିକ୍ ପରିମାଣରେ ଆବୃତ କରାଯାଇଥିବା ସିଗାରେଟ୍ ଖଣ୍ଡ ମିଶ୍ରିତ ଡାମର ଅଧିକ ଯାନବାହନ ଚଳାଚଳ କରୁଥିବା ରାସ୍ତାର ଆବଶ୍ୟକତାକୁ ପୂରଣ କରିପାରିବ । ଏହା ସହିତ ସାଧାରଣ ଡାମର ତୁଳନାରେ ଏହାର ତାପ ପରିବାହୀ କ୍ଷମତା କମ୍ ରହିଛି । ସିଗାରେଟ୍ ଖଣ୍ଡଗୁଡ଼ିକ ସେଲ୍ୟୁଲୋଜ୍ ଏସିଟେଟ୍‌ରେ ତିଆରି ହୋଇଥାଏ, ଯାହା ଏକ ପ୍ରକାର ପ୍ଲାଷ୍ଟିକ୍ ଏବଂ ସହଜରେ ନଷ୍ଟ ହୁଏ ନାହିଁ । ଏଥିସହ ଫିଲ୍ଟରରେ ନିକୋଟିନ୍, ଭାରୀ ଧାତୁ ଏବଂ ଧୂଆଁର ଅବଶେଷ ରହିଥାଏ । ପାଣି ବା ଅନ୍ୟ ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଯେପରି ଏସବୁ ରାସାୟନିକ ପଦାର୍ଥ ନ ବାହାରେ, ସେଥିପାଇଁ ବିଟୁମେନ୍ କିମ୍ବା ପାରାଫିନ୍ ୱାକ୍ସର ସୁରକ୍ଷା ପରସ୍ତ ଦିଆଯାଇଛି । କନଷ୍ଟ୍ରକସନ୍ ଆଣ୍ଡ ବିଲ୍ଡିଂ ମାଟେରିଆଲ୍ସରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଆବୃତ ସିଗାରେଟ୍ ଖଣ୍ଡ ଯୋଗୁଁ ଡାମରର ଘନତା କମିଛି ଏବଂ ଏହାର ଛିଦ୍ରତା ବଢ଼ିଛି । ଫଳରେ ଏହା ସୂର‌୍ୟ୍ୟଙ୍କ ତାପକୁ ଶୋଷିବା ଏବଂ ପରିବହନ କରିବାର କ୍ଷମତାକୁ କମ୍ କରିଥାଏ । ସାଧାରଣ ଡାମର ଅତ୍ୟଧିକ ଗରମ ହୋଇ ତାପମାତ୍ରା ବଢ଼ାଇଥାଏ, କିନ୍ତୁ ଏହି ନୂଆ ଜ୍ଞାନକୌଶଳ ସହରରେ ବଢ଼ୁଥିବା ତାତିକୁ ରୋକିବାରେ ସହାୟକ ହୋଇପାରିବ ।

Leave A Reply

Your email address will not be published.