Latest Odisha News

BREAKING NEWS

ମୋଦୀ-ଜର୍ମାନ ଚାନ୍ସେଲର ମର୍ଜଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା, ପ୍ରତିରକ୍ଷା ଓ ବୈଷୟିକ ଜ୍ଞାନକୌଶଳ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀର ଚାନ୍ସେଲର ଫ୍ରିଡ୍‌ରିକ୍‌ ମର୍ଜଙ୍କ ମଧ୍ୟରେ ମଙ୍ଗଳବାର ଫୋନ୍‌ ଯୋଗେ ଆଲୋଚନା ହୋଇଛି । ଏହି ସମୟରେ ଉଭୟ ନେତା ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଘଟଣାକ୍ରମ ଉପରେ ମତ ବିନିମୟ କରିଥିଲେ । ଏଥିସହ ବିଶ୍ୱଶାନ୍ତି, ସ୍ଥିରତା ଏବଂ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ପାଇଁ ମିଳିତ ଭାବେ କାମ କରିବାକୁ ଉଭୟ ସହମତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଆଲୋଚନା ସମୟରେ ଉଭୟ ନେତା ଭାରତ-ଜର୍ମାନୀ ରଣନୈତିକ ସହଭାଗିତାର ଅଗ୍ରଗତି ସମୀକ୍ଷା କରିଥିଲେ। ଦୁଇ ଦେଶ ମଧ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଦ୍ୱିପାକ୍ଷିକ ଯୋଗାଯୋଗ ଓ ସହଯୋଗକୁ ନେଇ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ।

ଚଳିତ ବର୍ଷ ଭାରତ ଓ ଜର୍ମାନୀ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂରଣ ହେଉଛି। ଏହି ଅବସରରେ ପ୍ରତିରକ୍ଷା ଓ ଉନ୍ନତ ଜ୍ଞାନକୌଶଳ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ଆହୁରି ମଜଭୁତ କରିବା ନେଇ ଉଭୟ ନେତା ନିଜର ପ୍ରତିବଦ୍ଧତା ଦୋହରାଇଥିଲେ।

ଆଲୋଚନା ବେଳେ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି (ଇଣ୍ଡିଆ-ଇୟୁ ଏଫ୍‌ଟିଏ) ଦ୍ୱାରା ସୃଷ୍ଟି ହେବାକୁ ଥିବା ସୁଯୋଗ ସମ୍ପର୍କରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ। ଏହି ଚୁକ୍ତି ଦ୍ୱାରା ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ବୃଦ୍ଧି ପାଇଁ ନୂଆ ରାସ୍ତା ଖୋଲିବ ବୋଲି ସେମାନେ ମତ ଦେଇଥିଲେ। ଏଥିସହ ସମସାମୟିକ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ବହୁପକ୍ଷୀୟ ମଞ୍ଚରେ ନିରନ୍ତର ସହଯୋଗ ଜାରି ରଖିବାର ଗୁରୁତ୍ୱ ଉପରେ ପିଏମ୍‌ଓ ପକ୍ଷରୁ ଜାରି ବିବୃତିରେ ଉଲ୍ଲେଖ କରାଯାଇଛି।

ଏହି ଫୋନ୍‌ କଥାବାର୍ତ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ମଧ୍ୟ ସୂଚନା ଦେଇଛନ୍ତି। ଜର୍ମାନ ଚାନ୍ସେଲର ଫ୍ରିଡ୍‌ରିକ୍‌ ମର୍ଜଙ୍କ ସହ ତାଙ୍କର ଏକ ଫଳପ୍ରଦ ଆଲୋଚନା ହୋଇଥିବା ସେ କହିଛନ୍ତି।

ଏହି ଆଲୋଚନାରେ ଭାରତ-ଜର୍ମାନୀ ରଣନୈତିକ ସହଭାଗିତାରେ ଆସୁଥିବା ଗତିଶୀଳତାର ସମୀକ୍ଷା କରାଯିବା ସହ ବ୍ୟାପକ ନିବେଶ, ପ୍ରତିରକ୍ଷା ଓ ଉନ୍ନତ ଜ୍ଞାନକୌଶଳ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବା ନେଇ ଆଲୋଚନା ହୋଇଥିବା ମୋଦୀ ଉଲ୍ଲେଖ କରିଛନ୍ତି। ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ସହ ଶାନ୍ତି, ସ୍ଥିରତା ଓ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ ଦେଶ ମିଳିତ ଭାବେ କାମ ଜାରି ରଖିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.