ନୂଆଦିଲ୍ଲୀ: ଆଇପିଏଲ ୨୦୨୭ ମିନି ଅକ୍ସନ (ନିଲାମ) ପାଇଁ ଖେଳାଳିଙ୍କ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି । ଏହି ନିଲାମୀ ପାଇଁ ଆଫଗାନିସ୍ତାନର ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନବି ଏବଂ ତାଙ୍କ ପୁଅ ହସନ ଇସାଖିଲ ନିଜ ନାମ ପଞ୍ଜୀକରଣ କରାଇଛନ୍ତି । ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ବାପା ଓ ପୁଅଙ୍କ ଯୋଡ଼ି ଗୋଟିଏ ନିଲାମୀରେ ସାମିଲ ହେବାକୁ ଯାଉଛନ୍ତି । ମହମ୍ମଦ ନବି ନିଜର ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ରଖିଥିବା ବେଳେ ତାଙ୍କ ପୁଅ ହସନ ଇସାଖିଲ ୭୫ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ ନାମ ଦାଖଲ କରିଛନ୍ତି । ଏହି ମୂଲ୍ୟରୁ ସ୍ପଷ୍ଟ ହେଉଛି ଯେ ନବିଙ୍କ ଅଭିଜ୍ଞତା ଓ ଦବଦବା ଏବେ ବି ବଜାୟ ରହିଛି, ଯେତେବେଳେ କି ତାଙ୍କ ପୁଅଙ୍କୁ ନିଜ ପରିଚୟ ସୃଷ୍ଟି କରିବାକୁ ସମୟ ଲାଗିବ ।
ମହମ୍ମଦ ନବି ଅନ୍ତର୍ଜାତୀୟ କ୍ରିକେଟ ଏବଂ ବିଶ୍ୱର ବିଭିନ୍ନ ଟି-୨୦ ଲିଗରେ ଜଣେ ଜଣାଶୁଣା ଚେହେରା । ସେ ଆଇପିଏଲରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଭଳି ଦଳ ପାଇଁ ଖେଳିସାରିଛନ୍ତି । ଅନ୍ୟପଟେ ତାଙ୍କ ପୁଅ ହସନ ଇସାଖିଲ ଜଣେ ଯୁବ କ୍ରିକେଟର ଏବଂ ଏବେ ପ୍ରଥମ ଥର ପାଇଁ ଆଇପିଏଲ୍ ଭଳି ବଡ଼ ମଞ୍ଚରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ପୂର୍ବରୁ ସେ ବାଂଲାଦେଶ ପ୍ରିମିୟର ଲିଗରେ ନିଜ ବାପାଙ୍କ ସହ ଖେଳିସାରିଛନ୍ତି । ମହମ୍ମଦ ନବି ୨୦୧୭ରୁ ୨୦୨୪ ମଧ୍ୟରେ ମୋଟ ୨୪ଟି ଆଇପିଏଲ୍ ମ୍ୟାଚ୍ ଖେଳି ୨୧୫ ରନ୍ ସଂଗ୍ରହ କରିବା ସହ ୧୫ଟି ୱିକେଟ୍ ଅକ୍ତିଆର କରିଛନ୍ତି । ୨୦୧୭ରେ ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୩ଟି ମ୍ୟାଚ୍ ଖେଳି ୨ ରନ୍ ଓ ୨ଟି ୱିକେଟ୍ ନେଇଥିବା ବେଳେ ୨୦୧୮ରେ ୨ଟି ମ୍ୟାଚରୁ ୧୮ ରନ୍ ଓ ୧ ୱିକେଟ୍ ହାସଲ କରିଥିଲେ । ୨୦୧୯ରେ ସେ ସର୍ବାଧିକ ୮ଟି ମ୍ୟାଚ୍ ଖେଳି ୧୧୫ ରନ୍ କରିବା ସହ ୮ଟି ୱିକେଟ୍ ନେଇଥିଲେ ।
ଏହାପରେ ୨୦୨୦ରେ ୧ ମ୍ୟାଚରୁ ୧୧ ରନ୍ ଏବଂ ୨୦୨୧ରେ ୩ଟି ମ୍ୟାଚରୁ ୩୪ ରନ୍ ଓ ୨ଟି ୱିକେଟ୍ ନେଇଥିଲେ । ଶେଷ ଥର ପାଇଁ ୨୦୨୪ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୭ଟି ମ୍ୟାଚ୍ ଖେଳି ୩୫ ରନ୍ ସଂଗ୍ରହ କରିବା ସହ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହା ମଧ୍ୟ ନିଶ୍ଚିତ ହୋଇନାହିଁ ଯେ ନିଲାମୀରେ ଉଭୟ ଖେଳାଳିଙ୍କ ଉପରେ ବୋଲି ଲାଗିବ କି ନାହିଁ । ଯଦି ଉଭୟ ଖେଳାଳି ନିଲାମୀରେ ବିକ୍ରି ହୁଅନ୍ତି ଏବଂ ଗୋଟିଏ ଦଳ କିମ୍ବା ବିପକ୍ଷ ଦଳ ପକ୍ଷରୁ ଏକାଠି ମୈଦାନକୁ ଓହ୍ଲାନ୍ତି, ତେବେ ଏହା ହସନଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ପୂରଣ ହେବା ଭଳି ହେବ । ନବି ପୂର୍ବରୁ କହିଥିଲେ ଯେ ହସନ ତାଙ୍କ ସହ ଗୋଟିଏ ମ୍ୟାଚ୍ ଖେଳିବାକୁ ଚାହୁଁଛନ୍ତି ଏବଂ କେବଳ ସେହି କାରଣରୁ ସେ ଏପର୍ୟ୍ୟନ୍ତ କ୍ରିକେଟରୁ ଅବସର ଘୋଷଣା କରିନାହାନ୍ତି ।
