Latest Odisha News

BREAKING NEWS

ଆଇସିସି ର‍୍ୟାଙ୍କିଂ: ଟପ୍-୧୦ ଟେଷ୍ଟ ବ୍ୟାଟରଙ୍କ ମଧ୍ୟରେ ୩ ଭାରତୀୟ, ବୁମରାହ ନମ୍ବର-୧ର ନିକଟତର

ନୂଆଦିଲ୍ଲୀ: ପ୍ରକାଶିତ ନୂଆ ଆଇସିସି ର‍୍ୟାଙ୍କିଂରେ ଭାରତୀୟ ଖେଳାଳିମାନଙ୍କୁ ବଡ଼ ସଫଳତା ମିଳିଛି । ପୁରୁଷ ଟେଷ୍ଟ ବ୍ୟାଟିଂ ର‍୍ୟାଙ୍କିଂର ଟପ୍-୧୦ ମଧ୍ୟରେ ୩ ଜଣ ଭାରତୀୟ ବ୍ୟାଟର ସ୍ଥାନ ପାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ (୯ ୱିକେଟରେ ୭୨୦ ରନ କରି ପାଳି ଘୋଷଣା) ଏହି ର‍୍ୟାଙ୍କିଂ ସୁଧାରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଋଷଭ ପନ୍ତ  ୧୨୮ ରନର ପ୍ରଭାବଶାଳୀ ପାଳି ଖେଳି ୧ଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ଏବଂ ଭାରତର ସର୍ବାଧିକ ର‍୍ୟାଙ୍କିଂ ଥିବା ବ୍ୟାଟର ହୋଇଛନ୍ତି ।  ଅଧିନାୟକ ଶୁଭମନ ଗିଲ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି ।  ୮୫ ରନର ଇନିଂସ ଖେଳି ଯଶସ୍ୱୀ ଜୟସ୍ୱାଲ ୫ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନ ହାସଲ କରିଛନ୍ତି । ଭାରତ ପକ୍ଷରୁ ସର୍ବାଧିକ ୧୩୬ ରନ କରିଥିବା କେଏଲ ରାହୁଲ ୪ଟି ସ୍ଥାନ ଉନ୍ନତି ସହ ୨୫ତମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ୮୦ ରନ କରିଥିବା ଦେବଦତ୍ତ ପାଡିକଲ ୧୫ଟି ସ୍ଥାନ ଉପରକୁ ଉଠି ୩୯ତମ ସ୍ଥାନରେ ପହଞ୍ଚିଛନ୍ତି ।

ଭାରତର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ୩ଟି ସ୍ଥାନ ଉପରକୁ ଉଠି ୮୫୬ ରେଟିଂ ପଏଣ୍ଟ ସହ ଇଂଲଣ୍ଡର ଓଲି ରବିନସନଙ୍କ ସହ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୮୮୧ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି । ବୁମରାହ ଓ ଷ୍ଟାର୍କଙ୍କ ମଧ୍ୟରେ ମାତ୍ର ୨୫ ପଏଣ୍ଟର ବ୍ୟବଧାନ ରହିଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୨ଟି ସ୍ଥାନ ଉପରକୁ ଉଠି ଷଷ୍ଠ ଏବଂ ପାକିସ୍ତାନର ମହମ୍ମଦ ଆବାସ ୧୨ତମ ସ୍ଥାନରେ ପହଞ୍ଚିଛନ୍ତି । ଟେଷ୍ଟ ଅଲରାଉଣ୍ଡର ତାଲିକାରେ ଦକ୍ଷିଣ ଆଫ୍ରିକାର ମାର୍କୋ ୟାନସେନ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ବଜାୟ ରହିଛନ୍ତି । ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ୨ଟି ସ୍ଥାନ ଖସି ନବମ ସ୍ଥାନରେ ରହିଛନ୍ତି । କାଗିସୋ ରାବାଡା ୧୦ମ ଏବଂ ନ୍ୟୁଜିଲାଣ୍ଡର ଗ୍ଲେନ ଫିଲିପ୍ସ ୧୨ତମ ସ୍ଥାନରେ ପହଞ୍ଚିଛନ୍ତି । ଦିନିକିଆ ର‍୍ୟାଙ୍କିଂରେ ଇଂଲଣ୍ଡର ବେନ ଡକେଟ ୩ଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଟି-୨୦ ର‍୍ୟାଙ୍କିଂରେ ଇଂଲଣ୍ଡର ସ୍ପିନର ଆଦିଲ ରସିଦ ବୋଲର ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଫିଲ ସଲ୍ଟ ବ୍ୟାଟର ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି । ଟମ ବ୍ୟାଣ୍ଟନ ୨୬ଟି ସ୍ଥାନ ଲମ୍ଫ ପ୍ରଦାନ କରି ୩୪ତମ ସ୍ଥାନରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.