Latest Odisha News

BREAKING NEWS

ନିର୍ମାଣ ବିଭାଗ-ଓବିସିସି ମଧ୍ୟରେ MoU ସ୍ୱାକ୍ଷରିତ, ୨୦୨୬-୨୭ରେ ୨,୦୦୦କୋଟିର କାର୍ଯ୍ୟ ଦେବ ବିଭାଗ

ଭୁବନେଶ୍ୱର: ରାଜ୍ୟର ଭିତ୍ତିଭୂମି ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ଜନକଲ୍ୟାଣମୂଳକ ଓ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନିର୍ମାଣ ବିଭାଗ ଏବଂ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍ ଲିମିଟେଡ୍ (OBCC) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଲୋକସେବା ଭବନ ସ୍ଥିତ ନିର୍ମାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଯୋଗଦେଇ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ଓବିସିସି ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା ବୁଝାମଣା ପତ୍ରରେ ସ୍ଵାକ୍ଷର କରିଛନ୍ତି । ବୁଝାମଣାପତ୍ର ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷରେ ନିର୍ମାଣ ବିଭାଗ ଓବିସିସିକୁ ୨,୦୦୦ କୋଟି ଟଙ୍କାର କାର୍ୟ୍ୟ ପ୍ରଦାନ କରିବ ।

ରାଜ୍ୟରେ ଆଧୁନିକ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ, ଧାର୍ମିକ ଓ ପର୍ୟ୍ୟଟନସ୍ଥଳୀର ବିକାଶ, ଉନ୍ନତ ଗମନାଗମନ ବ୍ୟବସ୍ଥା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। କେନ୍ଦୁଝର ଘଟଗାଁର ମା’ ତାରିଣୀ ମନ୍ଦିର, ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର, ଜଗତସିଂହପୁରର ମା’ ସାରଳା ମନ୍ଦିର, ଯୋରନ୍ଦାର ଶୂନ୍ୟ ମନ୍ଦିର, ଖୋର୍ଦ୍ଧାର ମା’ ଉଗ୍ରତାରା ମନ୍ଦିର ଓ ମା’ ଭଗବତୀ ମନ୍ଦିରର ବିକାଶ ଏଥିରେ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ପ୍ରକଳ୍ପର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

ସେହିପରି ରାଜ୍ୟର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ କଟକର ଏସ୍ସିବି ମେଡିକାଲ କଲେଜ, ବୁର୍ଲାର ଭିମ୍ସାର ଏବଂ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜରେ ବିଭିନ୍ନ ନିର୍ମାଣ ଓ ଉନ୍ନତୀକରଣ କାର୍ୟ୍ୟ ହାତକୁ ନିଆଯିବ। ସଡ଼କ ଓ ସେତୁ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି। ଭୁବନେଶ୍ୱରର ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଫ୍ଲାଏଓଭର ନିର୍ମାଣ, ବଡ଼ବିଲ ରିଙ୍ଗ୍ ରୋଡ୍, ଗଞ୍ଜାମର ଗେଟ୍ ବଜାର ଫ୍ଲାଏ ଓଭର ସହ କାଠଯୋଡ଼ି, ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀ ଉପରେ ହାଇଲେଭଲ୍ ସେତୁ ନିର୍ମାଣ ଭଳି ପ୍ରକଳ୍ପ ଏହି ବୁଝାମଣାପତ୍ର ମାଧ୍ୟମରେ କାର୍ୟ୍ୟକାରୀ କରାଯିବାର ଲକ୍ଷ୍ୟ ରହିଛି ।

କୃଷି ଓ ଗ୍ରାମୀଣ ଭିତ୍ତିଭୂମିର ବିକାଶ ପାଇଁ ମଡେଲ ଧାନମଣ୍ଡି ନିର୍ମାଣ, ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜଧାନୀ ଭୁବନେଶ୍ୱରରେ ଜନଆଶ୍ରୟ ଭବନ ନିର୍ମାଣ ସହ ବିଭିନ୍ନ ସ୍ଥାନରେ ଆଧୁନିକ ବସ୍ଷ୍ଟାଣ୍ଡ ନିର୍ମାଣ ଓ ଉନ୍ନତୀକରଣ କାର୍ୟ୍ୟ ମଧ୍ୟ ହାତକୁ ନିଆଯିବ। ଏଥିସହ କେନ୍ଦୁଝରଠାରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ନିର୍ମାଣ ପ୍ରକଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବୁଝାମଣାପତ୍ରରେ ନିର୍ମାଣ ବିଭାଗ ଓ ଅର୍ଥ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକଳ୍ପଗୁଡ଼ିକର ତଦାରଖ ଓ କାର୍ୟ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ବ୍ୟବସ୍ଥା ରହିଛି । ବୈଠକରେ ନିର୍ମାଣ ବିଭାଗ ଓ ଓବିସିସିର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.