Latest Odisha News

BREAKING NEWS

ଇତିହାସର ସେହି ବର୍ଷ ଯେତେବେଳେ ଗ୍ରୀଷ୍ମ ଋତୁ ଆସିନଥିଲା !

ନୂଆଦିଲ୍ଲୀ:ପ୍ରାୟ ୨୧୦ ବର୍ଷ ପୂର୍ବେ ୧୮୧୬ ମସିହାକୁ ଇତିହାସରେ ବିନା ଗ୍ରୀଷ୍ମ ଋତୁର ବର୍ଷ  ଭାବେ ପରିଚିତ କରାଯାଏ । ସେହି ବର୍ଷ ସତକୁ ସତ ଗ୍ରୀଷ୍ମ ଋତୁ ଆସିନଥିଲା । ଏହାର ମୂଳ କାରଣ ଇଣ୍ଡୋନେସିଆରୁ ଆରମ୍ଭ ହୋଇଥିଲା ଏବଂ ପ୍ରଭାବ ସାରା ବିଶ୍ୱରେ ଦେଖାଦେଇଥିଲା । ଅତ୍ୟଧିକ ଥଣ୍ଡା ଓ ଫସଲ ନଷ୍ଟ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିଲା । ୧୦ ଏପ୍ରିଲ ୧୮୧୫ରେ ଇଣ୍ଡୋନେସିଆର ସୁମ୍ବାୱା ଦ୍ୱୀପରେ ଥିବା ମାଉଣ୍ଟ ତମ୍ବୋରା ଆଗ୍ନେୟଗିରିରେ ଭୀଷଣ ବିସ୍ଫୋରଣ ହୋଇଥିଲା ।  ତଥ୍ୟ ଅନୁଯାୟୀ, ୧୦ ମାପକାଠିରେ ଏହାର ବିସ୍ଫୋରଣ ସୂଚକାଙ୍କ ୭ ଥିଲା । ଏହି ବିସ୍ଫୋରଣରେ ପ୍ରାୟ ୩୧ ଘନ ମାଇଲ୍ ପାଉଁଶ ଓ ପଥର ବାହାରିଥିଲା, ଯାହା ଫଳରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ପାହାଡ଼ ଉପର ବସ୍ତିଗୁଡ଼ିକ ଉଜୁଡ଼ି ଯାଇଥିଲା ।

ବିସ୍ଫୋରଣ ପରେ ବାୟୁମଣ୍ଡଳର ଉପର ସ୍ତର ଷ୍ଟ୍ରାଟୋସ୍ଫିଅର ପର‌୍ୟ୍ୟନ୍ତ ସଲଫର ଡାଇଅକ୍ସାଇଡ୍ ଓ ଅନ୍ୟ ତତ୍ତ୍ୱ ପହଞ୍ଚି ଯାଇଥିଲା । ଏହା ସୂର‌୍ୟ୍ୟଙ୍କ ଆଲୋକର ବଡ଼ ଅଂଶକୁ ପୃଥିବୀରେ ପଡ଼ିବା ପୂର୍ବରୁ ମହାକାଶ ଆଡ଼କୁ ଫେରାଇ ଦେଇଥିଲା । ଫଳରେ ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରା ପ୍ରାୟ ୧ ଡିଗ୍ରୀ ଫାରେନହାଇଟ୍ ପର‌୍ୟ୍ୟନ୍ତ ଖସି ଆସିଥିଲା ।  ତାପମାତ୍ରା କମିଯିବାରୁ ଜୁନ୍ ମାସ ଭଳି ଗ୍ରୀଷ୍ମ ସମୟରେ ମଧ୍ୟ ନ୍ୟୁୟର୍କ ସମେତ ଆମେରିକାର ବହୁ ସହର ଏବଂ ୟୁରୋପର ବିଭିନ୍ନ ଅଞ୍ଚଳରେ ଫସଲ ଉପରେ  କାକର ଜମିଯାଇଥିଲା । କୃଷି ନଷ୍ଟ ହେବାରୁ ଖାଦ୍ୟ ସଙ୍କଟ ଓ ଅନାହାର ପରିସ୍ଥିତି ଉପୁଜିଥିଲା । ପାଗର ଏହି ଅସ୍ୱାଭାବିକ ପରିବର୍ତ୍ତନ ଏସିଆର ଋତୁ ଓ କୃଷି ଉପରେ ମଧ୍ୟ ପ୍ରଭାବ ପକାଇଥିଲା, ଯାହା ଫଳରେ କେତେକ ସ୍ଥାନରେ ଫସଲ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ରୋଗ ବ୍ୟାପିବାର ଆଶଙ୍କା ବଢ଼ିଥିଲା ।

Leave A Reply

Your email address will not be published.