Latest Odisha News

BREAKING NEWS

ଜଙ୍ଗଲ ନିଆଁ ରୋକିବେ ୬୦ଟି ଛେଳି! ଚିଲିର ବାୟୋବିଓ ଅଞ୍ଚଳରେ ନିଆରା ଅଭିଯାନ

ସାଣ୍ଟିଆଗୋ: ଚିଲିର ବାୟୋବିଓ ଅଞ୍ଚଳରେ ଆଗାମୀ ଗ୍ରୀଷ୍ମଋତୁ ଏବଂ ଜଙ୍ଗଲ ନିଆଁ ବିପଦକୁ ଦୃଷ୍ଟିରେ ରଖି ଏକ ଅନନ୍ୟ ପଦକ୍ଷେପ ନିଆଯାଇଛି। ଜଙ୍ଗଲର ଶୁଖିଲା ଘାସ, ବୁଦା ଏବଂ ନିଆଁ ଧରିପାରିବା ଭଳି ଉଦ୍ଭିଦଗୁଡ଼ିକୁ ସଫା କରିବା ପାଇଁ ୬୦ଟି ଛେଳିଙ୍କ ଏକ ଦଳକୁ ନିୟୋଜିତ କରାଯାଇଛି।

କନସେପ୍ସନ୍ ବିଶ୍ୱବିଦ୍ୟାଳୟ ଏବଂ ସ୍ଥାନୀୟ ପ୍ରକଳ୍ପର ସହଯୋଗରେ ଏହି ଅଭିନବ ପ୍ରାକୃତିକ ପଦ୍ଧତି ଆପଣା ଯାଇଛି। ଏହି ଛେଳିମାନେ ଅକ୍ଟୋବର ମାସରୁ ଆରମ୍ଭ କରି ଡିସେମ୍ବର ଶେଷ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହି ପ୍ରାକୃତିକ ଭାବରେ ଆବର୍ଜନା ଓ ଶୁଖିଲା ଘାସ ଖାଇ ସଫା କରିବେ। ଗତ କିଛି ବର୍ଷ ହେବ ଏହି ଅଞ୍ଚଳରେ ଏହି ପ୍ରକ୍ରିୟା ବେଶ ଫଳପ୍ରଦ ହୋଇଆସୁଛି।

ଚିଲିର ଜାତୀୟ ବନ୍ୟ ନିଗମ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଚଳିତ ବର୍ଷ ଅଧିକ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ଦେଶରେ ଜଙ୍ଗଲ ନିଆଁର ଆଶଙ୍କା ବହୁଗୁଣିତ ହୋଇଛି। ଏଭଳି ପରିସ୍ଥିତିରେ ପ୍ରାକୃତିକ ଉପାୟରେ ନିଆଁର ପ୍ରକାରକୁ ନିୟନ୍ତ୍ରଣ କରିବା ଏବଂ ବଡ଼ଧରଣର କ୍ଷୟକ୍ଷତି ଏଡ଼ାଇବା ପାଇଁ ଏହି ଛେଳି ବ୍ରିଗେଡ଼ର ସହାୟତା ନିଆଯାଉଛି।

କିପରି କାମ କରିବ ଛେଳି ପ୍ରଣାଳୀ: ଜଙ୍ଗଲରେ ନିଆଁ ଲାଗିବା ପାଇଁ ସବୁଠାରୁ ବଡ଼ କାରଣ ହେଉଛି ଶୁଖିଲା ଘାସ, ଶୁଖିଲା ପତ୍ର ଏବଂ ଛୋଟ ବୁଦାଗୁଡ଼ିକ ,ଛେଳିମାନେ ପ୍ରାକୃତିକ ଭାବରେ ଏହିସବୁ ଶୁଖିଲା ଘାସ ଏବଂ ବୁଦାକୁ ଖାଇ ସେଗୁଡ଼ିକୁ ସଫା କରିଦିଅନ୍ତି।

ଛେଳିମାନଙ୍କୁ ଏପରି ସ୍ଥାନମାନଙ୍କରେ ନିୟୋଜିତ କରାଯାଇଥାଏ, ଯାହାଦ୍ୱାରା ଜଙ୍ଗଲ ଏବଂ ଜନବସତି କିମ୍ବା ମୁଖ୍ୟ ରାସ୍ତା ମଝିରେ ଏକ ସୁରକ୍ଷା ବଳୟ ବା ‘ଫାୟାର ବ୍ରେକ୍’ ପ୍ରସ୍ତୁତ ହୋଇପାରିବ। ଯଦି କୌଣସି ସ୍ଥାନରେ ନିଆଁ ଲାଗେ, ତେବେ ଖାଲି ଜାଗା ଥିବାରୁ ନିଆଁ ଆଗକୁ ବ୍ୟାପିପାରେ ନାହିଁ।

Leave A Reply

Your email address will not be published.