Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ବାବା ଆଶୁ ମହାରାଜ ଗିରଫ

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ଆଶୁ ମହାରାଜଙ୍କୁ ପୋଲିସ ଗତରାତିରେ ଗିରଫ କରିଛି । ବାବାଙ୍କ ନାମରେ ନାବାଳିକା ଦୁଷ୍କର୍ମ ପରି ସଙ୍ଗୀନ ଅଭିଯୋଗ ରହିଛି । ଜଣେ ମହିଳା ଏବଂ ତାଙ୍କର ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗତ ରାତିରେ ଦିଲ୍ଲୀ ପୋଲିସ ଗିରଫ କରିଥିବା କଥା ଗଣମାଧ୍ୟମକୁ କହିଛନ୍ତି ଦିଲ୍ଲୀ ଅତିରିକ୍ତ ପୋଲିସ କମିଶନର୍ ରାଜୀବ ରଞ୍ଜନ ।

ଏହି ମହିଳାଙ୍କ ଅଭିଯୋଗ ଅନୁଯାୟୀ କେବଳ ଥରେ ନୁହେଁ ବରଂ ପୀଡ଼ିତା ମହିଳା ଓ ତାଙ୍କ ଝିଅଙ୍କୁ ଆଶୁ ମହାରାଜା ଏବଂ ତାଙ୍କର ପୁଅ ଓ ବନ୍ଧୁମାନେ ମିଶି ଗତ ୨୦୦୮ ମସିହାରୁ ୨୦୧୩ ମସିହା ମଧ୍ୟରେ ଅନେକ ଥର ଦୁଷ୍କର୍ମ କରିଛନ୍ତି ।

ମହିଳା ଜଣକ ହେଉଛନ୍ତି ଏହି ଭଣ୍ଡ ବାବାଙ୍କର ଜଣେ ଅତି ନିକଟତମ ଭକ୍ତ । ତେବେ ବାବା ତାଙ୍କର ନାବାଳିକା ଝିଅକୁ ଆଶ୍ରମକୁ ଆଣିବାକୁ ଅନୁରୋଧ କରିଥିଲେ । ବାବାଙ୍କ ବନ୍ଧୁ ଜୋର ଜବରଦସ୍ତ ନାବାଳିକା ଝିଅକୁ ଆଶ୍ରମକୁ ନେଇଯାଇଥିଲେ । ଆଶ୍ରମରେ ଆତ୍ମଘୋଷିତ ଭଣ୍ଡବାବା ଆଶୁ ମହାରାଜ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲେ ।

ମହିଳା ଜଣକ ଦିଲ୍ଲୀ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ବାବାଙ୍କ ନାମରେ ଦଫା ୩୭୬ ଏବଂ ପୋକ୍ସୋ ଆଇନ ବଳରେ ସମସ୍ତ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଛି ।

Leave A Reply

Your email address will not be published.